ଆଗାମୀ ସପ୍ତାହରେ ଆରମ୍ଭ ହୋଇପାରେ ବିମାନ ସେବା, ମନ୍ତ୍ରୀ ହରଦୀପ ସିଂହ ପୁରୀ ଦେଲେ ସଙ୍କେତ
9/05/2020 at 3:46 PM

ନୂଆଦିଲ୍ଲୀ ୦୯।୦୫: କରୋନା ଭାଇରସ୍ ଲକ୍ଡାଉନ୍ କାରଣରୁ ୪୫ ଦିନ ହେବ ଠପ୍ ପଡିଥିବା ବିମାନ ସେବା ଆଗାମୀ ସପ୍ତାହରେ ଆରମ୍ଭ ହୋଇପାରେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ସମାଚାର ପତ୍ରିକା ଆଉଟ୍ଲୁକ୍କୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି। ସେ କହିଛନ୍ତି ଗୋଟିଏ ସପ୍ତାହ ଭିତରେ ଘରୋଇ ବିମାନ ସେବା ଆରମ୍ଭ ହୋଇପାରେ।
ଦେଶରେ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ଲାଗି ମାର୍ଚ୍ଚ ୨୫ରୁ ଲକ୍ଡାଉନ୍ ଜାରି ରହିଛି। ମେଟ୍ରୋ, ରେଳ ତଥା ସମସ୍ତ ପ୍ରକାରର ସାର୍ବଜନୀନ ପରିବହନ ସହିତ ବିମାନ ସେବା ଉପରେ ମଧ୍ୟ ରୋକ୍ ଲାଗିଛି। ମାତ୍ର ଏବେ ସରକାର ଅନେକ ଜୋନ୍ରେ ଲକ୍ଡାଉନ୍ରେ କୋହଳ ଦେବା ଆରମ୍ଭ କରିଛନ୍ତି। ତେଣୁ ଶୀଘ୍ର ବିମାନ ସେବା ସହିତ କିଛି ଅନ୍ୟ ସାର୍ବଜନୀନ ପରିବହନ ଖୋଲିବା ଉପରେ ସରକାର ବିଚାର କରୁଛନ୍ତି। କିନ୍ତୁ ଦେଶରେ କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ଦେଶରେ ମେ ୧୭ ପର୍ଯ୍ୟନ୍ତ ଲକ୍ଡାଉନ୍ ଲାଗୁ ହୋଇଛି।

ଆଉଟ୍ଲୁକ୍କୁ ଦେଇଥିବା ସାକ୍ଷାତକାରରେ ବେସାରମିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଗୋଟିଏ ସପ୍ତାହ ଭିତରେ ଘରୋଇ ବିମାନ ସେବା ଆରମ୍ଭ ହୋଇପାରେ। ଉଲ୍ଲେଖଯୋଗ୍ୟ, ଲକ୍ଡାଉନ୍ କାରଣରୁ ଗତ ୪୫ ଦିନ ହେବ ସବୁ ପ୍ରକାରର ଉଡାଣ ସେବା ବନ୍ଦ ରହିଛି। ସଂପ୍ରତି ଦେଶରେ ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟ ଜାରି ରହିଛି। ମେ ୧୭ରେ ଲକ୍ଡାଉନ୍ ଶେଷ ହେବ। ଏହା ମଧ୍ୟରେ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଘରୋଇ ଉଡାଣ ସେବାକୁ ନେଇ ଦେଇଥିବା ବୟାନ ବହୁତ ମହତ୍ଵ ବହନ କରୁଛି।
ମନ୍ତ୍ରୀ ହରଦୀପ କହିଛନ୍ତି, ଏହା ଉପରେ ଅନ୍ତିମ ନିର୍ଣ୍ଣୟ ନେବା ବାକି ରହିଛି। ବିମାନ ଚଳାଚଳ ସେବା ଗ୍ରୀନ ଜୋନରେ ହୋଇପାରେ। ସୂଚନା ଅନୁଯାୟୀ, ସମସ୍ତ ମହାନଗର ସଂପ୍ରତି ରେଡ୍ ଜୋନରେ ରହିଛି। କିନ୍ତୁ ଆଗାମୀ କିଛି ଦିନରେ ବିମାନ ଚଳାଚଳ ନେଇ ନିର୍ଣ୍ଣୟ ନିଆଯିବ। ମେ ୧୫ରୁ ଘରୋଇ ବିମାନ ଚଳାଚଳ ସେବା ଆରମ୍ଭ କରାଯାଇ ପାରେ ବୋଲି ମନ୍ତ୍ରୀ କହିଛନ୍ତି।