ପୁରୀରେ ଟାଉନ ବସ୍ ସେବା ବନ୍ଦ, କରୋନା ମୁକାବିଲା ପାଇଁ ପ୍ରଶାସନର ପଦକ୍ଷେପ

Published By : Prameya-News7 Bureau | March 15, 2020 IST

ପୁରୀ, ୧୫|୦୩:  କରୋନାକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହା କାୟା ବିସ୍ତାର କରିବାରେ ଲାଗିଛି। ଫଳରେ ଭାରତ ସରକାର ଓ  ସମସ୍ତ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିବା ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ଓଡିଶା ସରକାର ମଧ୍ୟ ଏହାକୁ ରୋକିବା ପାଇଁ ପ୍ରୟାସ କରୁଛନ୍ତି।

ଗତକାଲି ପୁରୀରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀରୁ ଚିଲିକା, କୋଣାର୍କ ଓ ସାତପଡା ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିଲା। ତେବେ ରବିବାର ପୁରୀରେ ଟାଉନ ବସ ଚଳାଚଳ ବନ୍ଦ କରାଯାଇଛି। ପେଣ୍ଠକଟାରୁ ବଳିଆପଣ୍ଡା ଯାଏଁ ବସ ଚଳାଚଳ ବନ୍ଦ ହୋଇଛି। ଭିଡ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି।

ଏହା ପୂର୍ବରୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧକ୍ଷତାରେ ବସିଥିବା ଏକ ବୈଠକରେ  ଏସପି, ପ୍ରାଶାସନିକ ଅଧିକାରୀ,  ନୀତି ପ୍ରଶାସକ ଓ ସେବାୟତ ମାନେ ଉପସ୍ଥିତ ଥିଲେ | ନୀତିକାନ୍ତି, ସେବାପୂଜା ଓ ଦର୍ଶନ ବ୍ୟବସ୍ଥା ନେଇ ୫ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା |  ଶ୍ରୀମନ୍ଦିର ପ୍ରଶାସନ , ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀମନ୍ଦିର ମଧ୍ୟରେ ମାସ୍କର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।  ତେବେ ସେବାୟତଙ୍କ ମଧ୍ୟରେ ଏହା ବାଧ୍ୟତାମୂଳକ ନୁହେଁ । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସତର୍କତା ମୂଳକ ପଦକ୍ଷେପ ସଂପର୍କରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ। 

{"id":238761,"width":747,"height":496,"sizeSlug":"large"}

କରୋନା ସଂକ୍ରମଣ ନିରାକରଣ ପାଇଁ କେତେକ ପୂଜାବିଧି ଏବଂ ପରମ୍ପରା ଉପରେ କଟକଣା କରାଯାଇଛି । ଜଗମୋହନ ଭିତର ଏବଂ ଅରୁଣ ସ୍ତମ୍ଭ ପାଖରେ ଭକ୍ତଙ୍କ ଗହଳି ଉପରେ କଟକଣା କରାଯିବ |  ଯାତ୍ରୀ ମାନଙ୍କୁ ଶୃଙ୍ଖଳିତ ଭାବରେ ଜଗମୋହନ ଭିତରକୁ ଛଡ଼ାଯିବ |  ଆନନ୍ଦ ବଜାର ରେ ବସିବା ଏବଂ ଭୋଜନ ବ୍ୟବସ୍ଥା ଉପରେ କଟକଣା କରାଯିବ |  ଶ୍ରୀମନ୍ଦିରକୁ ଆସୁଥିବା ସମସ୍ଥ ଭକ୍ତ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମ ରେ ନିଜସ୍ବ ଘୋଷଣା ଦେବା ବାଧ୍ୟତା ମୂଳକ |  ଦର୍ଶନାର୍ଥୀ ଙ୍କ ର ପୂର୍ବ ଗସ୍ତ ସଂପର୍କରେ ସୂଚନା ନିଆଯିବ | |  ଶ୍ରୀମନ୍ଦିର ସହିତ ପୁରୀ ଜିଲ୍ଲାରେ କରୋନା  ଭଳି ଭୟଙ୍କର ଭାଇରସ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ସଂପନ୍ନ କରାଯାଇଛି | କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରତିଷେଧ ମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ ଉପରେ ସମସ୍ଥ ନିଯୋଗ, ସେବାୟତ ଓ ଯାତ୍ରୀ ମାନେ ସେମାନଙ୍କର ସହଯୋଗ ପ୍ରଦାନ ପାଇଁ ଅନୁରୋଧ କରାଯାଇଛି|

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.