କଙ୍ଗନାଙ୍କ ଚାପୁଡା ମାମଲାରେ ବଡ ଆକ୍ସନ, ମହିଳା ସିଆଇଏସ୍ଏଫ୍ କର୍ମଚାରୀ ନିଲମ୍ଵିତ

Published By : Prameya-News7 Bureau | June 07, 2024 IST

ଚଣ୍ଡିଗଡ଼ ୦୭ ।୬(ଏଜେନ୍ସି): ବିଜେପି ନେତ୍ରୀ ତଥା ଅଭିନେତ୍ରୀ   କଙ୍ଗନା ରାଣାୱତ୍‌ଙ୍କୁ ଗୁରୁବାର ଚଣ୍ଡିଗଡ଼ ବିମାନବନ୍ଦରରେ ମୁତୟନ ସିଆଇଏସଏଫ୍‌ର ଜଣେ ମହିଳା କନ୍‌ଷ୍ଟେବଳ  ଚାପୁଡ଼ା ମାରିଛନ୍ତି । ଘଟଣା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବାବେଳେ ସେ ଗିରଫ ମଧ୍ୟ ହୋଇଛନ୍ତି । ଅପରାହ୍ନ  ପ୍ରାୟ ୩.୩୦ରେ ଏହି ଘଟଣା ଘଟିଥିଲା । 

କଙ୍ଗନା ଭିସ୍ତାରା   ଏୟାରଲାଇନ୍ସର ଏକ ବିମାନ ଯୋଗେ ଚଣ୍ଡିଗଡ଼ରୁ ଦିଲ୍ଲୀ  ଅଭିମୁଖେ ବାହାରିଥିଲେ । ତେବେ ସୁରକ୍ଷା ଯାଞ୍ଚ ସମୟରେ  ମହିଳା କନ୍‌ଷ୍ଟେବଳ କୁଲୱିନ୍ଦର କୌରଙ୍କ ସହିତ ତାଙ୍କର  ଯୁକ୍ତିତର୍କ ହୋଇଥିଲା । ଏହାପରେ କୌର ତାଙ୍କୁ ଚାପୁଡ଼ା  ମାରିବା ସହିତ ଗାଳି ଦେଇଥିବା କଙ୍ଗନା ସୋସିଆଲ  ମିଡିଆରେ ପୋଷ୍ଟ କରିଥିଲେ । ପରବର୍ତ୍ତୀ ସମୟରେ ଏଥିନେଇ  ଆନୁଷ୍ଠାନିକ ଭାବେ ଅଭିଯୋଗ ମଧ୍ୟ କରିଥିଲେ ସେ । ସେପଟେ   କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ମହିଳା କନ୍‌ଷ୍ଟେବଳଙ୍କର ଏକ  ଭିଡିଓ ସାମ୍ନାକୁ ଆସିଛି । 

ସେଥିରେ ସେ କହିଛନ୍ତି, କଙ୍ଗନା ୧୦୦  ଟଙ୍କା ଲାଗି ଚାଷୀ ଆନ୍ଦୋଳନରେ ବସୁଥିବା କଥା କହିଥିଲେ ।  ଯେତେବେଳେ ସେ ଏମିତି ବୟାନ ଦେଇଥିଲେ ସେତେବେଳେ  ମୋର ମା’ ବି ଆନ୍ଦୋଳନରେ ବସିଥିଲେ । ହରିଆଣା ମୁଖ୍ୟମନ୍ତ୍ରୀ  ନାୟବ ସିଂହ ସୈନି ଘଟଣାକୁ ନିନ୍ଦା କରିବା ସହ ତଦନ୍ତ  ନିର୍ଦ୍ଦେଶ ଦେଇଛନ୍ତି । ସିଆଇଏସ୍‌ଏଫ୍‌ ପକ୍ଷରୁ ଯାଞ୍ଚ ଲାଗି ଏକ  ୪ ସଦସ୍ୟବିଶିଷ୍ଟ ଟିମ୍‌ ଗଠନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.