ସିନେମା ହଲ୍ ବ୍ୟକ୍ତିଗତ ସମ୍ପତ୍ତି, ଖାଦ୍ୟ ପାନୀୟ ନେବାକୁ ମନା କରିପାରିବେ ମାଲିକ: ସୁପ୍ରିମକୋର୍ଟ
3/01/2023 at 5:42 PM

ନୂଆଦିଲ୍ଲୀ, ୦୩/୦୧: ସିନେମା ହଲ୍ ଭିତରକୁ ଖାଦ୍ୟ ପାନୀୟ ନେବା ଉପରେ ପ୍ରତିବନ୍ଧକ ଲଗାଇପାରିବେ ହଲ୍ ମାଲିକ। ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏଭଳି କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ସିନେମା ହଲ୍ ଏକ ବେସରକାରୀ ସମ୍ପତ୍ତି ତେଣୁ ଏଠାରେ ମାଲିକଙ୍କର ଅଧିକାର ରହିଛି ସେମାନେ ଚଳଚ୍ଚିତ୍ର ଦେଖିବାକୁ ଆସୁଥିବା ଦର୍ଶକଙ୍କୁ ଖାଦ୍ୟ ଏବଂ ପାନୀୟ ଭିତରକୁ ନେବା ପାଇଁ ଅନୁମତି ଦେଇପାରିବେ କିମ୍ବା ନାହିଁ।
କୋର୍ଟ କହିଛନ୍ତି, ‘ସିନେମା ହଲ୍ ହେଉଛି ଏକ ବେସରକାରୀ ସମ୍ପତ୍ତି। ତେଣୁ ହଲ୍ ମାଲିକ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଲାଗୁ କରିପାରିବେ। ମାଲିକ ଖାଦ୍ୟ ଏବଂ ପାନୀୟ ବିକ୍ରି ଉପରେ ମଧ୍ୟ ନିୟମ ଲଗାଇପାରିବେ। ଏହା ଗ୍ରାହକଙ୍କ ଇଚ୍ଛା ସେମାନେ କିଣିବେ କି ନାହିଁ।’ ବେଞ୍ଚ ହଲ୍ ମାଲିକଙ୍କୁ ନିର୍ଦେ୍ଦଶ ମଧ୍ୟ ଦେଇଛନ୍ତି ଯେ, ହଲ୍ ତରଫରୁ ମାଗଣାରେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରାଯିବ। ଏହା ସହ ୨ ବର୍ଷରୁ ସାନ ତଥା ଛୋଟ ପିଲାଙ୍କ କ୍ଷେତ୍ରରେ ସେମାନଙ୍କର ଅଭିଭାବକଙ୍କୁ କିଛି ପରିମାଣର ଖାଦ୍ୟନେବାକୁ ଅନୁମତି ଦେବାକୁ କୋର୍ଟ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଜମ୍ମୁ-କାଶ୍ମୀରରେ ହଲ୍ମାନେ ଦର୍ଶକଙ୍କୁ ହଲ୍ ଭିତରକୁ ଖାଦ୍ୟପାନୀୟ ନେବାକୁ ଅଟକାଇଥିଲେ। ଏହି ପ୍ରସଙ୍ଗରେ ଜମ୍ମୁ-କାଶ୍ମୀର ହାଇକୋର୍ଟ ସିନେମା ହଲ୍ ଭିତରକୁ ଦର୍ଶକଙ୍କୁ ସାଥିରେ ଖାଦ୍ୟ ପାନୀୟ ନେଇଥିଲେ ଅଟକାଇବାକୁ ମନା କରିଥିଲେ। ଆଉ ଏବେ ଏହାର ଶୁଣାଣି କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।