ଚର୍ଚ୍ଚ ଉପରେ ଆକ୍ରମଣ କରି ଦାନବାକ୍ସ ଲୁଟିଲେ ଦୁର୍ବୃତ୍ତ: ପୁଲିସ କହିଲା, ଚୋରି ଥିଲା ଉଦ୍ଦେଶ୍ୟ
28/12/2022 at 5:16 PM

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୈସୁର ଜିଲ୍ଲାରେ ଚର୍ଚ୍ଚ ଉପରେ ଆକ୍ରମଣ। ମଙ୍ଗଳବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଛି। ପ୍ରଭୁ ଜିଶୁଙ୍କ ପ୍ରତିମୂର୍ତ୍ତୀ ଭାଙ୍ଗିଥିବା ବେଳେ ଦୁର୍ବୃତ୍ତମାନେ ଦାନବାକ୍ସରୁ ସବୁ ଟଙ୍କା ଚୋରି କରିନେଇ ଯାଇଛନ୍ତି। ଚୋରି ଉଦ୍ଦେଶ୍ୟରେ ଏପରି କରାଯାଇଥିବା ପୁଲିସ ସନ୍ଦେହ କରୁଛି।
ମଙ୍ଗଳବାର ରାତିରେ ମୈସୁର ପେରିୟାପଟନାର ସେଣ୍ଟ ମେରି ଚର୍ଚ୍ଚ ଏହି ଭଙ୍ଗାରୁଜା ହୋଇଛି। ମଙ୍ଗଳବାର ସନ୍ଧ୍ୟା ୬ଟାରେ ଘଟଣା ସାମ୍ନାକୁ ଆସିଥିଲା। ପ୍ରଭୁ ଜିଶୁଙ୍କ ଶିଶୁ ପ୍ରତିମା ଭଙ୍ଗା ପଡ଼ିଥିବା ସହତ ଦାନବାକ୍ସ ବି ଭାଙ୍ଗି ଟଙ୍କା ନେଇଯାଇଥିବା ଦେଖିବାକୁ ମିଳିଥିଲା।
ଏହି ଘଟଣା ପରେ ଚର୍ଚ୍ଚର ପାଦ୍ରୀଙ୍କ ପକ୍ଷରୁ ଥାନାରେ ମାମଲା ଦିଆଯାଇଛି। ତେବେ ଚର୍ଚ୍ଚରେ ଭଙ୍ଗାରୁଜା ଘଟଣା ପରେ ସ୍ଥାନୀୟନ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ମୌସୁର ଏସ୍ପି ସୀମା ଲାତକରଙ୍କ ସୂଚନା ଦେଇ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ଏକ ଚୋରି ମାମଲା ବୋଲି ଜଣାପଡ଼ୁଛି। ଏନେଇ ଆମେ ଏକ ଟିମ୍ ଗଠନ କରିଛୁ। ତଦନ୍ତ ଜାରି ରହିଛି ବୋଲି ସୀମା କହିଛନ୍ତି।

ପୁଲିସର ସୂଚନା ଅନୁସାରେ, ଚର୍ଚ୍ଚର ପ୍ରମୁଖ ଦ୍ୱାରା ଦେଇ ଦୁର୍ବୃତ୍ତମାନେ ପ୍ରବେଶ କରିଥିଲେ। ଏହାକୁ ଆମେ ଚର୍ଚ୍ଚ ଉପରେ ଆକ୍ରମଣ ବୋଲି କହିପାରିବା ନାହିଁ। କାରଣ ଚର୍ଚ୍ଚରେ ଥିବା ଅନ୍ୟ ଜୀଶୁ ମୂର୍ତ୍ତୀ ଉପରେ ଆକ୍ରମଣ ହୋଇ ନାହିଁ। କେବଳ ଦାନବାକ୍ସ ଲୁଟ୍ କରାଯାଇଛି। ତେଣୁ ଏହା ଏକ ଚୋରି ମାମାଲା ହୋଇପାରେ ବୋଲି ପୁଲିସ କହିଛି।
ଯେହେତୁ ଚର୍ଚ୍ଚ ପରିସର ଭିତରେ କୌଣସି ସିସିଟିବି ଲଗାଯାଇ ନାହିଁ ତେଣୁ ଦୁର୍ବୃତ୍ତମାନଙ୍କୁ ଚିହ୍ନିବା କଷ୍ଟକର ହେଉଛି। ତେବେ ପାଖରେ ଥିବା ଏକ ସ୍କୁଲ୍ରେ ଲାଗିଥିବା ସିସିଟିଭିରୁ ପୁଟେଜ୍ ଚେକ୍ କରି ତଦନ୍ତ କରାଯାଉଛି ବୋଲି ପୁଲିସ ସୂଚନା ଦେଇଛନ୍ତି।