ଭୁବନେଶ୍ବର ୧୧|୧୦: ଭୀଷଣ ବାତ୍ୟା ‘ତିତଲି’ର ଭୟ ଏବେ ଟଳିଛି । ତଥାପି ବାତ୍ୟା ପରର ପ୍ରଭାବ ହନ୍ତସନ୍ତ କରିଛି ଲୋକଙ୍କୁ । ତେବେ ବିଶ୍ବ ଦେଖିଛି ବାତ୍ୟା ବିପଦର କରାଳ ଚିତ୍ର। ପ୍ରକୃତିର ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଅନେକ ସମୟରେ ପ୍ରଳୟଙ୍କରୀ ବାତ୍ୟା ଆଣିଛି ବିନାଶ। ପ୍ରାକୃତିକ ବିପର୍ଯ୍ୟୟର ଏ ଭୟାବହ ଚିତ୍ର ପୁରା ବିଶ୍ବର ନିଦ ହଜାଇ ଦେଇଛି। ନଜର ପକାଇବା ଏଭଳି କେତେକ ପ୍ରଳୟଙ୍କରୀ ବାତ୍ୟା ଉପରେ।
ପ୍ରକୃତିର ଉଗ୍ର ରୂପ ଆଣେ ପ୍ରଳୟ। ଝଡ଼ ତୋଫାନ୍ ଯୋଗୁଁ ହୁଏ ହାହାକାର। ବିଶ୍ବ ଦେଖିଛି ମହାବାତ୍ୟାର ଏଭଳି କରାଳ ରୂପ। ପ୍ରକୃତିର କୋପ ଆଗରେ ହାର୍ ମାନିଛି ମଣିଷ। ବାତ୍ୟା ନେଇଛି ହଜାର ହଜାର ଜୀବନ। ବିଶ୍ବ ମାନଚିତ୍ରରେ ବଦଳିଛି ସହରର ରୂପରେଖ।
ଭୋଲା, ୧୯୭୦ :

ଭାରତ ମହାସାଗର କ୍ଷେତ୍ରର ସବୁଠୁ ଭୟଙ୍କର ବାତ୍ୟା ଥିଲା ୧୯୭୦ର ଭୋଲା ମହାବାତ୍ୟା। ପ୍ରକୃତିର ମାଡ଼ ଏତେ ତୀବ୍ର ଥିଲା ଯେ, ଛାରଖାର ହୋଇଯାଇଥିଲା ସବୁକିଛି। ଏବେକାର ବାଂଲାଦେଶରେ ସେତେବେଳେ ଲାଣ୍ଡଫଲ୍ କରିଥିଲା ଭୋଲା। ବିଶ୍ବର ସବୁଠୁ ମାରାତ୍ମକ ବାତ୍ୟା ଭାବେ ନାମିତ ହୋଇଛି ଭୋଲା। ବାତ୍ୟା ଆଣିଥିଲା ବିନାଶ। ଆଉ ଏହି ମହାପ୍ରଳୟ ନେଇଥିଲା ପ୍ରାୟ ୫ ଲକ୍ଷ ଜୀବନ। ମହାବାତ୍ୟାରେ ଭାରତର କେତେକ ଅଞ୍ଚଳ ବି କ୍ଷତିଗ୍ରସ୍ତ ହୋଇଥିଲା।
ନିନା, ୧୯୭୫ :

ମହାବାତ୍ୟା ନିନା ଚୀନ୍ରେ ଆଣିଥିଲା ବିନାଶ। ପ୍ରଳୟର ରୂପ ଏଠି ଥିଲା ଭୟଙ୍କର। ବାତ୍ୟାର ମାଡ଼ରେ ଭାଙ୍ଗି ଯାଇଥିଲା ବାଙ୍କିଆଓ ଡ୍ୟାମ୍। ଫଳରେ ବିନାଶ ଲୀଳା ହୋଇଥିଲା ଦୁଇଗୁଣା। ବନ୍ୟାର ସୁଅରେ ଧୋଇ ହେଇଗଲା ସହର। ଜୀବନ ହରାଇଲେ ୨ଲକ୍ଷରୁ ଅଧିକ ଲୋକ।
ନର୍ଗିସ୍, ୨୦୦୮ :

ମିଆଁମାରରେ ୨୦୦୮ରେ ପ୍ରଳୟ ଆଣିଥିଲା ମାହାବାତ୍ୟା ନର୍ଗିସ୍। ମେ ୨ରେ ମିଆଁମାରରେ ଲାଣ୍ଡଫଲ୍ କରିଥିଲା ନର୍ଗିସ୍। ପ୍ରକୃତିର ପ୍ରହାରରେ ଛାରଖାର ହୋଇଥିଲା ମିଆଁମାର। ଏକ ଲକ୍ଷ ୩୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। କେବଳ ଲାବୁଟା ସହରରେ ୮୦ହଜାର ଲୋକ ପ୍ରାଣ ହରାଇଥିଲେ। ୫୦ ହଜାରରୁ ଅଧିକ ଲୋକ ନିଖୋଜ ହୋଇଥିଲେ। ଘର ଭାଙ୍ଗିଥିଲା, ଉଜୁଡ଼ିଥିଲା ସହର।
କାଟ୍ରିନା, ୨୦୦୫ :

୨୦୦୫ ଅଗଷ୍ଟ ମାସରେ ଆମେରିକାରେ ବିପଦ ଆଣିଥିଲା ମହାବାତ୍ୟା କାଟ୍ରିନା। କେନ୍ଦ୍ରୀୟ ଫ୍ଲୋରିଡ଼ା ଓ ପୂର୍ବ ଟେକ୍ସାସ୍ ବାତ୍ୟାର ପ୍ରଭାବରେ ହୋଇଥିଲା ଅସ୍ତବ୍ୟସ୍ତ। ବାତ୍ୟା ପରର ବନ୍ୟା ଥିଲା ଅଧିକ ଭୟଙ୍କର। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ନ୍ୟୁ ଓରଲିନ୍ସ ସହର। ୮ଲକ୍ଷରୁ ଅଧିକ ଘର ଭାଙ୍ଗି ଯାଇଥିଲା।ପ୍ରାୟ ୨ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ରେକର୍ଡ କରାଯାଇଥିଲା।
ମାଙ୍ଗଖୁଟ୍, ୨୦୧୮ :

ଫିଲିପାଇନ୍ସ, ହଂକଂ ଓ ଚୀନ୍ରେ ମାଙ୍ଗଖୁଟ୍ର ବିନାଶଲୀଳା। ମହାବାତ୍ୟା ରଚିଥିଲା ତାଣ୍ଡବଲୀଳା। ପ୍ରକୃତିର କୋପ ଯେ କେତେ ଭୟଙ୍କର ଦେଖିଥିଲା ପୁରା ବିଶ୍ବ। ଶହ ଶହ ଲୋକ ପ୍ରାଣ ହରାଇଥିଲେ। ବାସହୀନ ହେଲେ ଅନେକ। ଚଳିତ ବର୍ଷର ସବୁଠୁ ଶକ୍ତିଶାଳୀ ମହାବାତ୍ୟା ଥିଲା ମାଙ୍ଗଖୁଟ୍।
ଫ୍ଲୋରେନ୍ସ, ୨୦୧୮ :

ଆମେରିକାରେ ଚଳିତ ବର୍ଷ ଦେଖିବାକୁ ମିଳିଥିଲା ଫ୍ଲୋରେନ୍ସ ପ୍ରଳୟ। ଫ୍ଲୋରେନ୍ସର ଆଟାକରେ ଧ୍ବସ୍ତ ବିଧ୍ବସ୍ତ ହୋଇଥିଲା ନର୍ଥ କ୍ୟାରୋଲିନା। ୯ ଲକ୍ଷରୁ ଅଧିକ ଘର ଓ ଅଫିସ କ୍ଷତିଗ୍ରସ୍ତ ହୋଇଥିଲେ। ପ୍ରଳୟର ଏହି ଭୟାବହ ଦୃଶ୍ୟ ଥିଲା ହୃଦୟ ବିଦାରକ।