୨୫ ତାରିଖରେ କାଶ୍ମୀରକୁ ୧୦ ହଜାର ସୈନ୍ୟ ପଠାଇବାଠାରୁ ଆଜିର ଐତିହାସିକ ମୁହୂର୍ତ୍ତ ପର୍ଯ୍ୟନ୍ତ କଣ ଥିଲା ଘଟଣାକ୍ରମ ପଢନ୍ତୁ ଏହି ରିପୋର୍ଟରେ …
5/08/2019 at 6:25 PM

ନୂଆଦିଲ୍ଲୀ୫|୮: ମୋଦି ସରକାର ଧାରା ୩୭୦ ହଟାଇବେ ବୋଲି ପୂର୍ବରୁ ଘୋଷଣା କରିସାରିଥିଲେ। ଏପିରିକି ଏହା ଥିଲା ବିଜେପିର ନିର୍ବାଚନୀ ମୁଦ୍ଦା। ତେବେ ବର୍ତ୍ତମାନ ଏହି ବିଲ୍କୁ ଆଣିବା ଲାଗି କେମିତି ହୋମ୍ୱାର୍କ କରିଥିଲେ MSD । MSD ମାନେ ମୋଦି ଶାହା ଓ ଡୋଭାଲ ତାହା ଉପରେ ନଜର ପକାଇବା।
ଜୁଲାଇ ୨୫

କାଶ୍ମୀରକୁ ୧୦ ହଜାର ସୈନ୍ୟ ପ୍ରେରଣ କଲା କେନ୍ଦ୍ର।
୨ ଅଗଷ୍ଟ

ଅମରନାଥ ଯାତ୍ରା ସମୟରେ ମିଳିଲା ପାକିସ୍ତାନୀ ରାଇଫଲ ଓ ଲ୍ୟାଣ୍ଡମାଇନ। ସେହିଦିନ କାଶ୍ମୀରକୁ ଆଉ ୨୮ ହଜାର ସୈନ୍ୟ ପଠାଇଲା କେନ୍ଦ୍ର।

ଆଉ ପରଦିନ କେନ୍ଦ୍ର କାଶ୍ମୀରରେ ହାଇ ଆଲର୍ଟ ଜାରି କରିଥିଲା।

ଅମରନାଥ ଯାତ୍ରା ଉପରେ ଲାଗିଥିଲା କଟକଣା। ପର୍ଯ୍ୟଟକ ଓ କ୍ରିକେଟ ଖେଳାଳି ଛାତ୍ରଛାତ୍ରୀଙ୍କୁ କାଶ୍ମୀର ଛାଡ଼ିବା ଲାଗି ନିର୍ଦ୍ଦେଶ ଦିଆଗଲା। ଚାରିଆଡ଼େ ଚାଲିଥିଲା ଗୁଞ୍ଜରଣ। କାଶ୍ମୀରରେ କିଛି ଗୋଟିଏ ବଡ଼ ହେବାକୁ ଯାଉଛି। କିନ୍ତୁ କାହା ପାଖରେ କାନୋକାନ ଖବର ନଥିଲା କଣ ହେବାକୁ ଯାଉଛି।

ରବିବାର ୪ ଅଗଷ୍ଟ।

ପିଡିପି ନେତ୍ରୀ ଓ ଫାରୁକ ଅବଦୁଲ୍ଲାଙ୍କ ସମେତ ଅନ୍ୟ ନେତାମାନେ ସର୍ବଦଳୀୟ ବୈଠକରେ ସାମିଲ ହେଲେ। କେନ୍ଦ୍ରକୁ ଦେଲେ ଚେତାବନୀ ଯଦି କିଛି ବି କରାଯାଏ ତେବେ ଭୟଙ୍କର ପରିଣତି ହେବ। ଏହାର କିଛି ଘଣ୍ଟା ପରେ କାଶ୍ମୀରର ଏହି ବଡ଼ପଣ୍ଡାମାନଙ୍କୁ ଗୃହବନ୍ଦୀ କରାଗଲା। ଆଉ ପୁରା କାଶ୍ମୀର ଭ୍ୟାଲି ଉପରେ ଲାଗିଲା କର୍ଫ୍ୟୁ।

୫ ଅଗଷ୍ଟ।

ସକାଳ ସାଢ଼େ ୯ଟା। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିଲା ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟିର ବୈଠକ। ଏହାପରେ ବସିଥିଲା କ୍ୟାବିନେଟ ବୈଠକ। ଘୋଷଣା ହେଲା ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ରଖିବେ ବକ୍ତବ୍ୟ। ସମୟ ୧୧ଟାରେ। ରାଜ୍ୟସଭାରେ ସମସ୍ତ କାର୍ଯ୍ୟକୁ ରଦ୍ଦ କରାଯାଇଥିଲା।

ଅଧ୍ୟକ୍ଷ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ତଥା ସମାଜବାଦୀ ପାର୍ଟି ସଦସ୍ୟ ନୀରଜ ଶେଖରଙ୍କ ରାଜ୍ୟସଭାରୁ ଦେଇଥିବା ଇସ୍ତଫାକୁ ଗ୍ରହଣ କଲେ। ଆଉ ଏହା ପରେ ରାଜ୍ୟସଭାର ସମସ୍ତ କାର୍ଯ୍ୟ ରଦ୍ଦ କରାଯାଇ ଜାମ୍ମୁ ଓ କାଶ୍ମୀର ଉପରେ ବିଲ୍ ଉପସ୍ଥାପନ ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁମତି ଦେଇଥିଲେ। ଆଉ ଏହା ପରେ ଯାହା ହୋଇଥିଲା ତାହା ସୃଷ୍ଟି କରିଥିଲା ନୂଆ ଇତିହାସ।
