ନ୍ୟୁଜିଲାଣ୍ଡର ୪୧ତମ ପ୍ରଧାନମନ୍ତ୍ରୀ କ୍ରିସ୍ ହପକିନ୍ସ, ବୁଧବାର ନେବେ ଶପଥ, କହିଲେ ଏହା ମୋ ପାଇଁ ଶ୍ରେଷ୍ଠ ମୁହୂର୍ତ୍ତ

Published By : Prameya-News7 Bureau | January 22, 2023 IST

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କ୍ରିସ୍ ହପକିନ୍ସ । ଶାସକ ଦଳ  ଲେବର ପାର୍ଟି ହପକିନ୍ସଙ୍କୁ ପିଏମ୍ ଭାବେ ଚନୟ କରିଛି । ଆସନ୍ତା ବୁଧବାର ନ୍ୟୁଜିଲାଣ୍ଡର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ହପକିନ୍ । ଜୋସିଣ୍ଡା ଅର୍ଡର୍ଣ୍ଣ ହଠାତ୍ ଇସ୍ତଫା ନିଷ୍ପତ୍ତି ନେବା ପରେ ରବିବାର ଲେବର ପାର୍ଟିର ବରିଷ୍ଠ ନେତା କ୍ରିସ୍ ହପକିନ୍ସଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି । ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ ଜୋସିଣ୍ଡା ଅର୍ଡର୍ଣ୍ଣ ।

ରବିବାର ସସଂଦରେ ଶାସକ ଦଳ କ୍ରିସ୍ ହପକିନ୍ସଙ୍କୁ ପିଏମ୍ ଭାବେ ଘୋଷାଣା କରିବା ପରେ ନିଜ ବିବୃତ୍ତି ରଖିଛନ୍ତି ହପକିନ୍ସ । ସେ କହିଛନ୍ତି , ଏହା ମୋ ଜୀବନର ସବୁଠାରୁ ସର୍ବଶ୍ରେଷ୍ଠ ମୁହୂର୍ତ୍ତ । ଦେଶର ଗୁରୁଦାୟିତ୍ବ ସମ୍ଭାଳିବାକୁ ସୁଯୋଗ ମିଳିଥିବାରୁ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି । ଆଗାମୀ ଦିନରେ ଦେଶର ବିକାଶ  ବଡ଼ ଚ୍ୟାଲେଞ୍ଜ ହେବ । ଏଥିପାଇଁ ମୁଁ ଉତ୍ସାହିତ ଅଛି ବୋଲି ହପକିନ୍ସ କହିଛନ୍ତି । ସେହିପରି ସାମାଜିକ ବିକାଶ ମନ୍ତ୍ରୀ କାର୍ମିଲ ସେପୁଲୋନୀଙ୍କୁ ନ୍ୟୁଜିଲାଣ୍ଡର ଆଗାମୀ ଡେପୁଟି ପିଏମ୍ ଭାବେ ନାମିତ କରାଯାଇଛି ।  

{"id":736282,"width":827,"height":509,"sizeSlug":"full","linkDestination":"none"}

ଭୋଟ୍ ପରେ ସଂସଦରେ ପ୍ରଥମ ଅଭିଭାଷଣ ରଖିଛନ୍ତି ହପକିନ୍ସ । ଏହି ସମୟରେ ଦେଶର ବିଭିନ୍ନ ମୁଦ୍ଦା ଉଠାଇଛନ୍ତି । ଯାହା ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ପ୍ରଶାସନ ଧ୍ୟାନ କେନ୍ଦ୍ରୀତ କରିବ ଏବଂ ଏହାକୁ ସ୍ବିକାର କରିବା ପରେ ଏହା ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ମହାମାରୀ କୋଭିଡ୍-୧୯ ବିଶ୍ବରେ ସଂକଟ ଆଣିଦେଇଛି । ସ୍ବାସ୍ଥ୍ୟସେବା ସହିତ ଅର୍ଥ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି । ଏହାକୁ ପ୍ରଗତିଶୀଳ କରିବା ସରକାରଙ୍କ ପ୍ରଥମ ଲକ୍ଷ୍ୟ ହେବ । ଲୋକଙ୍କ ରୁଟି ଓ ଲହୁଣି ସମସ୍ୟା ସମାଧାନ କରିବା ପାଇଁ ଉଦ୍ୟମ କରାଯିବ ବୋଲି ହପକିନ୍ସ କହିଛନ୍ତି ।

୨୦୦୮ରେ ପ୍ରଥମ ଥର ପାଇଁ କ୍ରିସ୍ ହପକିନ୍ସ ସାସଂଦ ଭାବେ ଚୟନ ହୋଇଥିଲେ । କୋଭିଡ୍-୧୯ ମ୍ୟାନେଜମେଣ୍ଟ ପାଇଁ ୨୦୨୨ ନଭେମ୍ବର ମାସରେ ତାଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବ ଦିଆଯାଇଥିଲା । ୪୪ ବର୍ଷିୟ କ୍ରିସ୍ ହପକିନ୍ସ ବର୍ତ୍ତମାନ ଗୃହ ବିଭାଗ, ଶିକ୍ଷା ଏବଂ ସାମାଜିକ ସେବା ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି । ୨୦୦୮ରୁ ଏପର୍ଯ୍ୟନ୍ତ ଲଗାତାର  ପଞ୍ଚମ ଥର ପାଇଁ ରେମୁଟକା ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇ ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.