ଭୁବନରେ ବଢିଚାଲିଛି ଅପରାଧ: ଚୋରି, ଡକାୟତି, ଛିନିତାଇ ଓ ରାହାଜାନି, ଚିନ୍ତାରେ ବ୍ୟବସାୟୀ
11/03/2023 at 8:59 AM

ଭୁବନ ୧୧/୦୩: ଏସିଆ ମହାଦେଶର ସର୍ବ ବୃହତ୍ତମ ଗ୍ରାମର ଆଖ୍ୟା ପାଇଥିବା ଭୁବନରେ ଦିନକୁ ଦିନ ବଢ଼ିଚାଲିଛି ଚୋରି, ଡକାୟତି, ଛିନତାଇ ଓ ରାହାଜାନୀ । ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ଭୁବନ ଅଞ୍ଚଳର ଶହଶହ ବୁଲା ବେପାରୀ । ହାତ ଉପରେ ହାତ ରଖି ବସି ରହିଛି ପ୍ରଶାସନ । ନିରବ ଦ୍ରଷ୍ଟା ସାଜିଛି ଭୁବନ ପୋଲିସ ପ୍ରଶାସନ ।
ଶୁକ୍ରବାର ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାଲାପଣ୍ଡପସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଭୁବନ ଅଞ୍ଚଳର ଶହଶହ ବୁଲା ବେପାରୀ ଏକାଠି ହୋଇ ନିଜର ଏବଂ ଭୁବନ ଅଞ୍ଚଳର ମୁଖ୍ୟ ସମସ୍ୟା ପାଲଟିଥିବା ଚୋରି, ଡକାୟତି, ଛିନତାଇ ଏବଂ ରାହାଜାନୀ ଭଳି ସମସ୍ୟାକୁ ଆଲୋଚନା କରିବା ସହିତ ଏହାର ତୁରନ୍ତ ସମାଧାନର ରାସ୍ତାବାହାର କରିବା ନିମନ୍ତେ ଭୁବନ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି ।
ଭୁବନ ଅଞ୍ଚଳରେ ପ୍ରାୟ ୨ ରୁ ୩ ହଜାର ସବୁଦିନିଆ ବୁଲା ବେପାରୀ ନିଜ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଆଖପାଖ ଅଞ୍ଚଳକୁ ସାଇକେଲ ଯୋଗେ ଯାଇଥାନ୍ତି କିଛି ଅର୍ଥ ଉପାର୍ଜନ କରିବା ପାଇଁ । କିନ୍ତୁ ଫେରିବା ବାଟରେ ଚୋର ଡକାୟତମାନଙ୍କ ବନ୍ଧୁକ ମୁନ ଓ ଭୁଜାଲି ମାଡ ଆଗରେ ନିଜକୁ ବଞ୍ଚାଇବାକୁ ଯାଇ ସମସ୍ତ ଉପାର୍ଜିତ ଅର୍ଥକୁ ଦେଇ ଆସନ୍ତି ଚୋର ଡକାୟତମାନଙ୍କୁ ।
ଦିନକୁ ଦିନ ବଢିଚାଲିଥିବା ଏଭଳି ଘଟଣାର ସ୍ଥାୟୀ ପ୍ରତିକାର ପାଇଁ ଆଜି ଢେଙ୍କାନାଳ ପ୍ରଶାସନ ଏବଂ ଭୁବନ ପ୍ରଶାସନକୁ ଲିଖିତ ଜଣାଇଛନ୍ତି ଭୁବନ ଅଞ୍ଚଳର ଶହଶହ ବୁଲା ବେପାରୀ । ତେବେ ବୁଲା ବେପାରୀଙ୍କର ଅଭିଯୋଗକୁ ଆଗାମୀ ଦିନରେ ପ୍ରଶାସନ କିପରି ସମାଧାନ କରୁଛି ତାହାହିଁ ଅପେକ୍ଷ ।