ଚକୋଲେଟ୍ ଦେଇ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଜଣେ ଡାକ୍ତର

Published By : Prameya-News7 Bureau | February 12, 2021 IST

ଲକ୍ଷ୍ନୌ,୧୨/୦୨: ବୁଧବାର ଥିଲା ପ୍ରେମ ସପ୍ତାହର ତୃତୀୟ ଦିନ ବା ଚକୋଲେଟ୍ ଡେ। ଚକୋଲେଟ ଦେଇ ପ୍ରେମୀ ଯୁଗଳ ପରସ୍ପରକୁ ମନର କଥା କହିଥାନ୍ତି । ତେବେ ଉତ୍ତର ପ୍ରଦେଶର ମେରୁଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏକ ହସ୍ପିଟାଲର ପ୍ରସୂତି ଓ୍ୱାର୍ଡରେ ଜଣେ ପୁରୁଷ ଡାକ୍ତର ଚକୋଲେଟ୍ ଦେଇ ସହକର୍ମୀ ଭାବେ କାମ କରୁଥିବା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ମହିଳା ଡାକ୍ତରଜଣଙ୍କ ରାତି ଡ୍ୟୁଟି କରୁଥିଲେ । ଏହାପରେ ସେ ପ୍ରସୂତି ଓ୍ୱାର୍ଡକୁ ଯାଇଥିଲେ । କିନ୍ତୁ ସେଠାରେ ପୂର୍ବରୁ ଥିବା ବିବେକ ନାମକ ଜଣେ ଡାକ୍ତର ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ଦୁଷ୍କର୍ମ ଉଦ୍ୟମ ପୂର୍ବରୁ ସେ ଚକୋଲେଟ୍ ଦେଇ ମହିଳା ଡାକ୍ତରଙ୍କୁ ଟଣାଓଟରା କରିଥିଲେ । ଏନେଇ ନିଜେ ମହିଳା ଡାକ୍ତରଜଣଙ୍କ ଅଭିଯୋଗ କରିଛନ୍ତି ।

ଘଟଣା ପରେ ତୁରନ୍ତ ପୀଡିତା ଡାକ୍ତରାଣୀ ପୋଲିସକୁ ଖବର ଦେଇଥିଲେ । ତେବେ ବିବେକ ଫେରାର ହୋଇଯାଇଛନ୍ତି । ଜିଲ୍ଲା ହସ୍ପିଟାଲର କର୍ତ୍ତୃପକ୍ଷ ଏମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।  ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ୍ ମନୀଷା ଅଗ୍ରଓ୍ୱାଲ କହିଛନ୍ତି ଯେ, ମହିଳା ଡାକ୍ତରଜଣଙ୍କ ଅଭିଯୋଗ କରିଛନ୍ତି । ବିଳମ୍ବିତ ରାତ୍ରରେ ଡାକ୍ତର ବିବେକ୍ ଚକୋଲେଟ୍ ଦେଇ ଡାକ୍ତରାଣୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ପୋଲିସକୁ ଏନେଇ ସୂଚନା ଦିଆଯାଇଥିଲା । ପୋଲିସ ଓ ବିଭାଗ ଉଭୟ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ପୋଲିସର କହିବାନୁସାରେ, ବିବେକ ଫେରାର ଅଛନ୍ତି । ମହିଳା ଡାକ୍ତରଙ୍କ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ରୁଜୁ କରି ତଦନ୍ତ କରାଯାଉଛି । ଅତିଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.