ମହିଳାଙ୍କ ପେଟରୁ ବାହାରିଲା ଅଢ଼େଇ କିଲୋର କେଶ, ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | May 30, 2024 IST

ନୂଆଦିଲ୍ଲୀ ୩୦।୦୫: ମହିଳାଙ୍କ ପେଟରୁ ବାହାରିଲା ଅଢ଼େଇ କିଲୋର କେଶ । ସର୍ଜରି ଜରିଆରେ ବାହାର କରିଛନ୍ତି ଡାକ୍ତର । ଘଟଣାଟି ହେଉଛି ଉତ୍ତରପ୍ରଦେଶର ଚିତ୍ରକୂଟର । ବାସ୍ତବରେ ଜଣେ ୨୫ ବର୍ଷୀୟା ମହିଳା ଗର୍ଭାବସ୍ଥାରେ କେଶ ଖାଇବାର ଅଭ୍ୟାସ ଆରମ୍ଭ ହୋଇଯାଇଥିଲା । 

କେବଳ ନିଜ କେଶ ନୁହେଁ, ତଳେ ପଡ଼ିଥିବା ଅନ୍ୟମାନଙ୍କ କେଶକୁ ଖାଇବା ମଧ୍ୟ ତାଙ୍କର ଅଭ୍ୟାସ ପାଲଟିଥିଲା । ସନ୍ତାନ ଜନ୍ମ ପରେ ସେ କେଶ ଖାଇବା ବନ୍ଦ କରିଦେଲେ । କିନ୍ତୁ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ଆରମ୍ଭ ହେଲା । କିଛି ବି ଖାଇପାରିଲେ ନାହିଁ । ବାରମ୍ବାର ବାନ୍ତି ହେଲା । ପରିବାର ସଦସ୍ୟ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଲେ । 

ଔଷଧ ସାମୟିକ ଆଶ୍ୱସ୍ତି ଦେଲେ ମଧ୍ୟ କୌଣସି ସୁଫଳ ହେଲା ନାହିଁ । ତା’ପରେ ମହିଳାଙ୍କୁ ଚିତ୍ରକୂଟ ସ୍ଥିତ ଜାନକୀ କୁଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଗଲା । ତାଙ୍କ ପେଟ ଯନ୍ତ୍ରଣାର କାରଣ ଜାଣି ଡାକ୍ତର ଚକିତ ହେଲେ । କେଶ ଖାଇବାର ଅଭ୍ୟାସ ଯୋଗୁ ମହିଳାଙ୍କ ପେଟ କେଶର ଏକ ପିଣ୍ଡୁଳାରେ ପରିପୂର୍ଣ୍ଣ ହୋଇଥିଲା । 

ଏହି ସ୍ଥିତିରେ ତାଙ୍କର ମୃତ୍ୟୁ ହେବାର ଆଶଙ୍କା ଥିଲା ବୋଲି ହସ୍‌ପିଟାଲର ଡାକ୍ତର ନିର୍ମଳା ଗେହାନି କହିଛନ୍ତି । ୪୫ ମିନିଟ୍‌ର ଅପରେସନ୍‌ ପରେ ତାଙ୍କ ପେଟରୁ ଏକ କେଶ ଗୁଚ୍ଛ ବାହାର କରାଗଲା, ଯାହାର ଓଜନ ପ୍ରାୟ ଅଢ଼େଇ କିଲୋ । ଡାକ୍ତରଙ୍କ ଅନୁସାରେ, ମହିଳା ଟ୍ରାଇପୋଫାଗିୟା ନାମକ ବିରଳ ବିକାରରେ ପୀଡ଼ିତ । 

ଏଥିରେ ବ୍ୟକ୍ତି ବାରମ୍ବାର କେଶ ଖାଆନ୍ତି କିମ୍ବା ଚୋବାଇଥାନ୍ତି । ଏହା ଏକ ଗମ୍ଭୀର ସ୍ଥିତି, ଯେଉଁଥିପାଇଁ କୁପୋଷଣ, ପାଚନ ପ୍ରଣାଳୀରେ ବ୍ଲକେଜ୍‌ ଭଳି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ । ଏପରିକି ମୃତ୍ୟୁ ମଧ୍ୟ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.