ପୁଣି କୋରାପୁଟ ଜିଲ୍ଲାରେ ଚିଟ୍‌ଫଣ୍ଡ ଠକେଇ : ୧୦ କୋଟି ଟଙ୍କା ନେଇ ସନସାଇନ୍ ଇନ୍‌ଫ୍ରା ମାରିଲା ଛୁ

Published By : Prameya-News7 Bureau | October 25, 2018 IST

ଜୟପୁର ୨୫|୧୦: କୋରାପୁଟ ଜିଲ୍ଲାର ଅଧିକାଂଶ ଗାଁରେ ବ୍ୟାଙ୍କର ସୁବଧା ନଥିବାରୁ ଏହାର ଫାଇଦା ନେଉଛନ୍ତି ଚିଟ୍ ଫଣ୍ଡ କଂପାନୀ। ମୋଟା ଅଙ୍କର ସୁଧ ଆଶା ଦେଖାଇ ଗରିବ ଗ୍ରାହକଙ୍କୁ ଟାର୍ଗେଟ କରି ଠକି ନେଉଛନ୍ତି କୋଟି କୋଟି ଟଂକା। ଆଉ ନିଜ ସର୍ବସ୍ବ ଜମା ଟଂକା ହରାଇ କାଙ୍ଗାଳ ହେଉଛନ୍ତି ଗରିବ ଆଦବାସୀ । ସନସାଇନ୍ ଇନଫ୍ରା ବିଲ୍ଡ କର୍ପୋରେସନ ଲିମିଟେଡ ନାମକ ଦିଲ୍ଲୀର ଏକ ସଂସ୍ଥା ଜୟପୁରରେ ଏହାର କାର୍ଯ୍ୟାଳୟ ଖୋଲି ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୦ କୋଟିରୁ ଉର୍ଦ୍ଧ୍ବ ଟଂକା ଠକି ନେଇ ଯାଇଥିବା  ଜୟପୁର ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ନେଇ ମାମଲା ଦାୟର କରି  ଠକ ସର୍ଦ୍ଦାରମାନଙ୍କୁ ଖୋଜୁଥିଲେ ବି ଏମାନଙ୍କ ଟେର ମିଳୁନି। ପୁଣି ଥରେ ସାମ୍ନାକୁ ଆସିଲା ଆଉ ଏକ ଚିଟ୍ ଫଣ୍ଡ କଂପାନୀର କଳା କାରନାମା। ମୋଟା ଅଂକର ସୁଧା ଆଶା ଦେଖାଇ ଏହି କଂପାନୀ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗରିବ ଜମାକାରୀଙ୍କ ଠାରୁ ଲୁଟି ନେଇଛି ୧୦ କୋଟିରୁ ଉର୍ଦ୍ଧ୍ବ ଟଂକା। ସନସାଇନ୍ ଇନଫ୍ରା ବିଲ୍ଡ କର୍ପୋରେସନ ଲିମିଟେଡ ନାମକ ଦିଲ୍ଲୀର ଏହି କଂପାନୀ ଜୟପୁରଠାରେ ଗତ ୨୦୦୮ ମସହାରେ ନିଜ କାର୍ଯ୍ୟାଳୟ ଖୋଲି ଲୋକଙ୍କ ଠାରୁ ଜମା ରାଶି ସଂଗ୍ରହ କରୁଥିଲା। ବିଭିନ୍ନ ସ୍ଥାନରେ ଏଜେଣ୍ଟ ନିଯୁକ୍ତି ଦେବା ସହ ବିଭିନ୍ନ ସ୍କିମରେ ଟଂକା ସଂଗ୍ରହ କରୁଥିଲା। ପ୍ରଥମେ ପ୍ରଥମେ ଉଚ୍ଚ ସୁଧ ହାରରେ ଲୋକଙ୍କୁ ଟଂକା ଫେରସ୍ତ କରି ଲୋକଙ୍କ ବିଶ୍ବାସ ଭାଜନ ବି ହୋଇପାରିଥିଲା। ହେଲେ ୬ ବର୍ଷ ନିଜ କାରବାର ଚଳାଇବା ପରେ ହଠାତ୍ ଗତ ୨୦୧୩ ମସିହା ଠାରୁ କଂପାନୀର ଆଉ ଦେଖା ନାହିଁ। ଅଫିସ ବନ୍ଦ କରି ରାତି ଅଧିଆ କଂପାନୀ କର୍ତ୍ତୃପକ୍ଷ ଛୁ । କିଛି ଦିନ  କଂପାନୀ କର୍ତ୍ତୃପକ୍ଷଙ୍କ ସହ ଏଜେଣ୍ଟମାନେ ଫୋନରେ  ଯୋଗାଯୋଗ କରି ପାରୁନଥିବା ବେଳେ ଏବେ ତାହା ବି ଆଉ ସଂଭବ ହେଉନି। ଦିନ ଗଡିବା ସହିତ ଜମାକାରୀଙ୍କ ଟଂକା ଫେରି ପାଇବା ଆଶା ମଉଳି ଯାଉଛି। ଏହାକୁ ନେଇ ୧୦୦ ରୁ ଉର୍ଦ୍ଧ୍ବ ଜମାକାରୀ  ଓ ଏଜେଣ୍ଟ କଂପାନୀ ବିରୋଧରେ ଜୟପୁର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେପଟେ ଚିଟ୍ ଫଣ୍ଡ ଠକେଇ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରୀଙ୍କୁ ଦାୟୀ କରିଛନ୍ତି ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ  ମହାସଂଘର ରାଜ୍ୟ ଆବାହକ ଜୟନ୍ତ ଦାସ।ଚିଟ୍ ପଣ୍ଡ କ୍ଷତିଗ୍ରସ୍ତଙ୍କୁ ନେଇ ଜୟପୁରରେ ଏକ ରାଲି କରିଥିବା ବେଳେ ଏ ନେଇ ଆଗକୁ ଏକ ବଡ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟ ସରକାର କର୍ପସ ଫଣ୍ଡ ଗଠନ କରିଥିଲେ ବି ଏ ପର୍ଯ୍ୟନ୍ତ ପ୍ରକୃତ କ୍ଷତିଗ୍ରସ୍ତ ଚିହ୍ନଟ ହୋଇ ପାରିନଥିବାରୁ ଗରିବ ଜମାକାରୀ ମାନେ ଆଜି ଯାଏଁ ସେମାନଙ୍କ ଜମା ଟଂକା ଫେରି ପାଇ ପାରିନଥିବା କହିଛନ୍ତି।ସେହିପରି କ୍ଷତିଗ୍ରସ୍ତଙ୍କଠାରୁ ସିବିଆଇ ସିଧାସଳଖ ଅଭିଯୋଗ ରଖୁନଥିବା ବେଳେ ରାଜ୍ୟ ବାହାରେ ପଂଜିକୃତ ହୋଇଥିବା ସଂସ୍ଥା ମାନଙ୍କୁ ତଦନ୍ତ କିମଶନ ତଦନ୍ତ ପରିସରଭୁକ୍ତ କରୁନଥିବାରୁ ଗରିବ ଜମାକାରୀ ସେମାନଙ୍କ ଟଂକା କିପରି ଫେରି ପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ସନସାଇନ ଇନଫ୍ରା ବିଲ୍ଡର ବିରୋଧରେ ଅଭିଯୋଗ ପାଇବା ପରେ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ହେଉଥିବା କହିଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ। ଚିଟ୍ ଫଣ୍ଡ ଠକେଇର ସିବିଆଇ ତଦନ୍ତ କରୁଥିବା ବେଳେ ରାଜ୍ୟ ସରକାର ତଦନ୍ତ କମିଶନ ବି ଗଠନ କରିଛନ୍ତି।ତେବେ ୫ ବର୍ଷ ପରେ ଏହି ଠକେଇ ନେଇ ଜମାକାରୀ ମାନେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଜମାକାରୀ ମାନେ କେବେ ଓ କିପରି ସେମାନଙ୍କ ଜମା ଟଂକା ଫେରି ପାଇବେ ତାକୁ ନେଇ ସନ୍ଦେହ ଦେଖା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.