କଂଗ୍ରେସ ଉପରେ ବର୍ଷିଲେ ଚିରଞ୍ଜୀବି : କହିଲେ- ଦଳରେ ନେତୃତ୍ୱ ଅଭାବ, ବିଧାୟକ ୯ ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୨୦
8/05/2023 at 1:09 PM

ଭୁବନେଶ୍ୱର ୦୮।୦୫ : ଅସନ୍ତୋଷ ପ୍ରକାଶ କଲେ ପୂର୍ବତନ ପିସିସି ଉପସଭାପତି । କିଛି ଦିନର ନିରବତା ପରେ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ୱାଳ । ୨୫ ବର୍ଷ ଧରି ରାଜ୍ୟର କ୍ଷମତା ଠାରୁ ଦୂରରେ ଥିବା ଦଳର ପ୍ରାର୍ଥୀ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି ।
ଖୋଲା ମଞ୍ଚରେ ଅସନ୍ତୋଷ ଝାଡ଼ିଲେ ଚିରଞ୍ଜୀବି ବିଶ୍ବାଳ । ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ଯୋଡ଼ି, ଓଡ଼ିଶା ରାଜନୀତିରେ ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନା ଚକ୍ରରେ କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବି ବିଶ୍ବାଳ କହିଛନ୍ତି ଯେ, ୧୯୭୭ର ଯେଉଁ କଂଗ୍ରେସ ଥିଲା ତାହା ଏବେ ଆଉ ନାହିଁ । କଂଗ୍ରେସରେ ନେତୃତ୍ଵର ଅଭାବ ରହିଛି । ଦଳରେ ଏବେ ୯ଜଣ ବିଧାୟକ ଅଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ହେବାକୁ ୨୦ଜଣ ପ୍ରାର୍ଥୀ ଅଛନ୍ତି । ଦୁଇ ଦଶନ୍ଧିରୁ ଅଧିକା ହେବ ଦଳ କ୍ଷମତାଠାରୁ ଦୂରରେ ଅଛି ।
ସେହିପରି ନେତାମାନେ ଆଉ ଦଳ ସଜାଡି ପାରୁନାହାନ୍ତି । ଦଳ ଦୃଢ ହେବା ବଦଳରେ ଦିନକୁ ଦିନକୁ ଭାଙ୍ଗିବାରେ ଲାଗିଛି । ଯୁବକ ମାନେ କଂଗ୍ରେସକୁ ଆଉ ଆସୁନାହାନ୍ତି । ସେମାନଙ୍କୁ ଆଣିବା ପାଇଁ ବି ଚେଷ୍ଟା ନାହିଁ । ଦଳର ପୁରୁଖା ନେତା ଗଲେଣି । ଆଜିକା ଦିନରେ ଦଳର ବଡ ରୋଗ ହେଲା, ଜଣେ ସଂଗଠନ କରିବ ଆଉ ଜଣେ ଟିକେଟ ନେବ । ଆସନ୍ତା ନିର୍ବାଚନରେ ଦଳ ୧୪୭ ଆସନରେ ପ୍ରାର୍ଥୀ ଦେଇପାରିବ ନାହିଁ ।
ସେହିପରି ୯ରୁ ୯୦ ସ୍ଲୋଗାନକୁ କଡ଼ା ସମାଲୋଚନା କଲେ ଚିରଞ୍ଜୀବି । ମୁଁ ବି ଅଛି ୯ ଟା ୯୦ ହେବ ନା ୯୧ ହେବ ଆଗାମୀ ଦିନରେ ଦେଖିବା । ତେବେ ଆଉ ଦିନ କେଇଟା ପରେ ଝାରସୁଗୁଡ଼ା ଉପନିର୍ବାଚନ । ସେଠାରେ ଦଳ ଯେଉଁଭଳି ଲଢିବା କଥା ସେଭଳି ଲଢ଼ାଯାଉନି । ଲଢ଼ୁଆ ମନୋବୃତି କାହାର ନାହିଁ । ୨୦୦୦ ମସିହାର ଜନ୍ମ ପିଲାଙ୍କୁ ୨୩ ବର୍ଷ ହେଲାଣି । ସେ ପିଲାମାନେ କେବଳ ନବୀନଙ୍କ ବିଷୟରେ କଥା ଶୁଣୁଛନ୍ତି । ଆମ ଦଳର ଆଉ ଏକ ବଡ ରୋଗ ହେଲା ଯିଏ ପିସିସି ହୁଏ ସେ କାହାକୁ ପଚାରେନି ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା କଂଗ୍ରେସଠାରୁ ନିଜକୁ ଦୂରେଇ ରଖିଥିଲେ ଚିରଞ୍ଜୀବି ବିଶ୍ୱାଳ । ଦଳର କୌଣସି ସଭାସମିତିରେ ଯୋଗଦେଉନଥିଲେ । ସେ ଦଳ ଛାଡିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ବରିଷ୍ଠ ଆଇଏଏସ୍ ବିଜୟ ପଟ୍ଟନାୟକ ଦଳରେ ମିଶିବା ପରେ ଚିରଞ୍ଜୀବିଙ୍କ ସହ ସାକ୍ଷାତ କରିଥିଲେ । ସେହି ସାକ୍ଷାତରେ ଚିରଞ୍ଜୀବିଙ୍କୁ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ବୁଝାଇଥିବା ରାଜନୈତିକି ମହଲରେ ଚର୍ଚ୍ଚା ମଧ୍ୟ ହେଉଛି ।