ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି, ଆବଶ୍ୟକ ପଡିଲେ ପୁରୁଷ ବନ୍ଧୁଙ୍କ କରାଯିବ ନାର୍କୋ ଟେଷ୍ଟ: ଏସପି
5/03/2023 at 7:45 PM

ସମ୍ବଲପୁର: ଭିସୁଟ ଚିନ୍ମୟୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଏସପିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟରେ ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଥିବା ଏସପି କହିଛନ୍ତି। ଆସନ୍ତାକାଲି ପୁରୁଷ ବନ୍ଧୁଙ୍କ ଲାଏ ଡିଟେକସନ ଟେଷ୍ଟ ରିପୋର୍ଟ ଆସିପାରେ। ସେଥିରେ ସନ୍ତୁଷ୍ଟିଜନକ ଉତ୍ତର ନମିଳିଲେ ଆଗକୁ ନାର୍କୋ ପାଇଁ ଯୋଜନା ହେଉଥିବା କହିଛନ୍ତି ସମ୍ବଲପୁର ଏସପି।
ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ଜବତ ହୋଇଥିବାବେଳେ ସେହି ହିସାବରେ ପୋଲିସ୍ ତଦନ୍ତ ଚଳାଇଛି। ତଦନ୍ତର ଅଗ୍ରଗତି ନେଇ ପରିବାର ଲୋକଙ୍କୁ ଅବଗତ କରାଯାଉଥିବା ଏସପି କହିଛନ୍ତି | ଏ ପର୍ଯ୍ୟନ୍ତ ଏହି ଘଟଣାରେ ୩୧ ଜଣଙ୍କୁ ଜେରା କରାଗଲାଣି | ଏମାନଙ୍କ ମଧ୍ୟରେ ୫ ଜଣ ଦୋକାନୀ ଓ ଜଣେ ଢାବା ମାଲିକ ସମେତ ଅନେକ ଛାତ୍ରଛାତ୍ରୀଙ୍କୁ ଜେରା କରାଯାଇଛି | ଆଜି ଚିନ୍ମୟୀଙ୍କ ମା ବାପାଙ୍କୁ ବୁର୍ଲା ଏସଡିପିଓ ଅଫିସରେ ପଚରାଉଚୁରା କରାଯାଇଥିବାବେଳେ ସେହି ସମୟରେ ଉତ୍ତରାଂଚଳ ଆଇଜି ଡକ୍ଟର ଦୀପକ କୁମାର, ସମ୍ବଲପୁର ଏସପି ବତୁଲା ଗଙ୍ଗାଧର, ଅତିରିକ୍ତ ଏସପି ତପନ କୁମାର, ବୁର୍ଲା ଏସଡିପିଓ ସତ୍ଯବ୍ରତ ଦାଶ, ବୁର୍ଲା ଥାନା ଅଧିକାରୀ ସୁଶାନ୍ତ ଦାଶ ଉପସ୍ଥିତ ଥିଲେ |
ଖବର ଅନୁଯାୟୀ, ଚିନ୍ମୟୀ ଭିସୁଟର ସମାବର୍ତ୍ତନ ଉତ୍ସବ ସରିବା ପରେ ମାନସଙ୍କ ଭଡା ଘରକୁ ଯାଇଥିଲେ । ସେଠାରୁ ସନ୍ଧ୍ୟାରେ ଯାଇ ଏକ ଢ଼ାବାରେ ଖାଇଥିଲେ । ଢାବାରୁ ବାହାରି ରାସ୍ତାରେ ଥିବା ଏକ କଫି ସପ୍ରେ କଫି ପିଇଥିଲେ । ସେ ସବୁ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା କରିଛି ପୋଲିସ । ଭିସୁଟ୍ରେ ପ୍ରାୟ ଅନେକ ଛାତ୍ରଛାତ୍ରୀଙ୍କୁ ପଚରା ଉଚରା ହୋଇଛି । ପୁରୁଷବନ୍ଧୁ ପ୍ରୀତିମାନ ଓ ମାନସଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସରିଛି । ଆବଶ୍ୟକ ପଡ଼ିଲେ ଦୁଇଜଣଙ୍କର ନାର୍କୋ ଟେଷ୍ଟ ହେବ। ବଲାଙ୍ଗୀରରେ ମଧ୍ୟ ପରିବାର ଲୋକଙ୍କ ସହ ସମ୍ପର୍କୀୟ ଓ ସାଙ୍ଗ ସାଥିଙ୍କୁ ପଚରା ଉଚରା କରିଛି ପୋଲିସ ।