ଭଙ୍ଗାଘରୁ ମିଳିଲା ଚିଙ୍ଗୁଡିଘେରୀ ଜଗୁଆଳିଙ୍କ ଗଳିତ ମୃତଦେହ, ବାତ୍ୟାର ୭ଦିନ ପରେ ଉଦ୍ଧାର

Published By : Prameya-News7 Bureau | June 02, 2021 IST

ବାସୁଦେବପୁର ୨।୬: ବାତ୍ୟାର ୭ ଦିନ ପରେ ଉଦ୍ଧାର ହେଲା ବୃଦ୍ଧଙ୍କ ଗଳିତ ମୃତଦେହ । ଏହି ବାତ୍ୟାରେ ବାସୁଦେବପୁର ବ୍ଲକ୍ ବିନୋବାଭାବେନଗର ଗ୍ରାମରେ ଥିବା ଏକ ଚିଙ୍ଗୁଡିଘେରୀର ଆଜବେଷ୍ଟ ଘର ଭାଙ୍ଗି ମାଟିରେ ମିଶିଯାଇଥିଲା । ସେହି ଭଙ୍ଗା ଘର ଭିତରୁ ବୁଧବାର ଦିନ ଚିଙ୍ଗୁଡି ଘେରୀର ଜଗୁଆଳିର ଶବକୁ ଗ୍ରାମବାସୀମାନେ ଉଦ୍ଧାର କରିଛନ୍ତି । ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଶବ ଜବତ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ବାତ୍ୟା ଦିନ ଚିଙ୍ଗୁଡିଘେରୀର ଜଗୁଆଳି ଉକ୍ତ ଘର ଭିତରୁ ବାହାରକୁ ଆସିନଥିଲେ । ବାତ୍ୟା ପରଦିନ ଉକ୍ତ ଜଗୁଆଳିକୁ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ସହିତ ପାଇନଥିଲେ। କିନ୍ତୁ ବୁଧବାର ଦିନ ଗ୍ରାମର କେତେକ ଲୋକେ ଉକ୍ତ ଚିଙ୍ଗୁଡିଘେରୀ ନିକଟକୁ ଯାଇଥିବା ବେଳେ ଦୁର୍ଗନ୍ଧ ହୋଇଥିଲା । ପରେ ତଳେ ପଡିଥିବା ଆଜବେଷ୍ଟ ଘର ନିକଟକୁ ଯାଇ ଏକ ଆଜବେଷ୍ଟ ଭାଙ୍ଗି ଦେଖିବା ପରେ ବୃଦ୍ଧଙ୍କ ଗଳିତ ଶବ ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବୃଦ୍ଧଙ୍କ ପରିବାର ଲୋକେ ମଧ୍ୟ ଆସି ପହଞ୍ଚିଥିଲେ । ମୃତ ବୃଦ୍ଧ ଜଣଙ୍କ ପଶ୍ଚିମବଙ୍ଗ ମେଦିନାପୁର ଥାନା ଧନଡିଗୀ ଗ୍ରାମର ଅମୂଲ୍ୟ ଜାନା ବୋଲି ଜଣାପଡିଛି  । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.