ଚିଙ୍ଗୁଡି ଘେରି ଉଚ୍ଛେଦ ଦାବି: ଚିଲିକା ନଳବଣରେ ମତ୍ସ୍ୟଜୀବୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ

Published By : Prameya-News7 Bureau | September 28, 2018 IST

ଚିଙ୍ଗୁଡି ମଫିଆଙ୍କ ଦ୍ବାରା ଚିଲିକା କବଳିତ । ଏଥିପାଇଁ ଚିଲିକାରୁ ଆଉ ପୂର୍ବଭଳି ମାଛ-ଚିଙ୍ଗୁଡି-କଙ୍କଡା ଉତ୍ପାଦନ ହେଉନାହିଁ । ତେଣୁ ଚିଲିକାକୁ ସଂପୂର୍ଣ୍ଣ ଘେରିମୁକ୍ତ କରିବାକୁ ଚିଲିକା ମତ୍ସଜୀବୀ ମହାସଂଘ ବାରମ୍ବାର ଦାବି କରି ଆସୁଥିଲେ ବି ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ମତ୍ସ୍ବଜୀବୀ ମହାସଂଘ ଆଜି ନିଜେ ମଇଦାନକୁ ଓହ୍ଲାଇଛି ଶହଶହ ମତ୍ସ୍ୟଜୀବୀ ଏକାଠି ହୋଇ ଚିଲିକା ନଳବଣରେ ଆଇନ ଅମାନ୍ୟ ଆନ୍ଦୋଳନ ସହ ସେଠାରେ ମାଛ ଧରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ମୁତୟନ କରାଯାଇଥିଲା ।      ପ୍ରଶାସନ ଶୁଣିଲାନିସରକାର ବି ଶୁଣିଲେନି । ଶେଷରେ ଚିଲିକାକୁ ଘେରିମୁକ୍ତ କରିବାକୁ ଅଣ୍ଟା ଭିଡିଲେ ମତ୍ସ୍ୟଜୀବୀ । ବେଆଇନ ଚିଙ୍ଗୁଡି ଘେରିକୁ ମୁକ୍ତ କରିବାକୁ ହଜାରରୁ ଅଧିକ ସଂଖ୍ୟାରେ ମତ୍ସ୍ୟଜୀବୀ  ଶହେଟି ଡଙ୍ଗାରେ ଚିଲିକାର ନଳବଣ ଅଞ୍ଚଳକୁ ଯାଇ ସେଠାରେ ଆଇନ ଅମାନ୍ୟ ଆନ୍ଦୋଳନ କରିଥିଲେ । ନିସିଦ୍ଧାଞ୍ଚଳରେ ମାଛ ଧରିବା ସହ ବେଆଇନ ଚିଙ୍ଗୁଡି ଘେରି ମୁକ୍ତ କରିବାକୁ ଦାବି କରିଥିଲେ । ଚିଲିକା ମତ୍ସ୍ୟଜୀବୀ ମହାସଂଘ ନେତୃତ୍ବରେ ଖୋର୍ଦ୍ଧା-ପୁରୀ-ଗଞ୍ଜାମ ଜିଲ୍ଲାର ହଜାରରୁ ଅଧିକ ମତ୍ସ୍ୟଜୀବୀ ଡଙ୍ଗାରେ ଚିଲିକା ନଳବଣ ପହଞ୍ଚିଥିଲେ । ଚିଲିକା ଭିତର ସମେତ ୫ଟି ମୁହାଣ ଅଞ୍ଚଳରୁ ବେଆଇନ୍ ଚିଙ୍ଗୁଡି ଘେରି ମୁକ୍ତ କରିବା, ମୁହାଣ ଅଞ୍ଚଳ ସଫା କରିବା, ଜିରୋ ନେଟ୍‌ ଜାଲରେ ମାଛ ଧରାକୁ ବନ୍ଦ କରିବା ଆଦି ୭ଟି ଦାବି ଉଠାଇଥିଲେ ଆନ୍ଦୋଳକାରୀ । ସେପଟେ ଚିଲିକା ମତ୍ସ୍ୟଜୀବୀଙ୍କ ଏଭଳି ଆନ୍ଦୋଳନ ଖବର ପାଇ ଚିଲିକା ନଳବଣରେ ପହଁଚିଥିଲେ  କୃଷ୍ଣପ୍ରସାଦ ଆଇଆଇସିଙ୍କ ସହ ଚିଲିକା ଏସିଏଫ । ମତ୍ସ୍ୟଜୀବୀଙ୍କୁ ବୁଝୁସୁଝା କରିବା ସହ ସେମାନଙ୍କ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ମତ୍ସ୍ୟଜୀବୀଙ୍କ ଆନ୍ଦୋଳନରୁ ଓହରିଛନ୍ତି । ଯଥାଶିଘ୍ର ଦାବି ପୁରଣ ନହେଲେ ପୁଣି ମତ୍ସ୍ୟଜୀବୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ଓ ନିସିଦ୍ଧ ଜିରୋ ନେଟ୍‌ ବ୍ୟବହାର ଯୋଗୁଁ ମାଛ, ଚିଙ୍ଗୁଡି ଓ କଙ୍କଡା ଉତ୍ପାଦନ ହେଉନାହିଁ । ଫଳରେ ପାରମ୍ପରିକା ମତ୍ସ୍ୟଜୀବୀ ସେମାନଙ୍କ ବେଉସା ହରାଇଲେଣି । ମତ୍ସୟଜୀବୀଙ୍କ ଆନ୍ଦୋଳନ ପ୍ରତି ସରକାର ଧ୍ୟାନ ନଦେଲେ ଆଗକୁ ଏହାକୁ ନେଇ ପୁଣି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.