ଆମେରିକା ମୋଣ୍ଟାନା ଅକାଶରେ ସନ୍ଦିଗ୍ଧ ଚୀନ୍ ବେଲୁନ୍, ବିଦେଶ ମନ୍ତ୍ରୀ ବ୍ଲିଙ୍କେନଙ୍କ ଚାଇନା ଗସ୍ତ ସ୍ଥଗିତ
4/02/2023 at 8:45 AM

ୱାଶିଂଟନ: ଆମେରିକାର ଆକାଶରେ ଚୀନ୍ ବେଲୁନ୍ । ମୋଣ୍ଟାନା ସହରରେ ସନ୍ଦିଗ୍ଧ ବେଲୁନ ଦେଖିବାକୁ ମିଳିଛି । ମୋଣ୍ଟାନାର ଏହି ଅଞ୍ଚଳରେ ବାୟୁସେନାର ସ୍ୱତନ୍ତ୍ର ଘାଟି ରହିଛି, ଯେଉଁଠାରୁ ଅନ୍ତର୍ଦେଶୀୟ ମିସାଇଲ ପରିଚାଳନା ହୋଇଥାଏ । ଆମେରିକାରେ ଏଭଳି ତିନୋଟି ଗୁରୁତ୍ବପୂର୍ଣ୍ଣ ବିମାନ ଘାଟି ରହିଛି । ଏହି ଅଞ୍ଚଳରେ ଚୀନର ବେଲୁନ୍ ମିଳିଥିବାରୁ ଏହାକୁ ଗୁରୁତର ସହ ନେଇଛନ୍ତି ଆମେରିକା ସରକାର ।
ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ମୁତାବକ, ଚୀନର ଗୁଇନ୍ଦା ବେଲୁନ ଉତ୍ତର ପଶ୍ଚିମ ସହର ମୋଣ୍ଟାନାରେ ଦେଖାଯାଇଛି । ଆମେରିକା ଉପରରେ ନଜର ରଖିବାକୁ ଚୀନ୍ ଷଡ଼ଯନ୍ତ୍ର କରି ଏଭଳି ବେଲୁନ ଛାଡ଼ିଥିବା ନଓ୍ବପେଣ୍ଟାଗନ ଦାବି କରିଛି । ଚୀନର ସନ୍ଦିଗ୍ଧ ବେଲୁନ ଜନବସତି ଅଞ୍ଚଳର ଏୟାର ଟ୍ରାଫିକ ଉପରେ ଏବଂ ବାହ୍ୟ ବାୟୁ ମାର୍ଗ ତଳଭାଗରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା । ଆମେରିକାର ବିଦେଶ ମନ୍ତ୍ରୀ ବ୍ଲିଙ୍କେନଙ୍କ ଚୀନ୍ ଗସ୍ତର ଦିନକ ପୂର୍ବରୁ ଗୁଇନ୍ଦା ବେଲୁନ ଦେଖିବାକୁ ମିଳିବାରୁ ବିବାଦ ଉପୁଜିଛି । ବ୍ଲିଙ୍କେନ ଫେବ୍ରୁଆରୀ ୫ ଓ ୬ରେ ଚୀନ ଗସ୍ତରେ ଯିବାର ଥିଲା ।
ଅନ୍ୟପକ୍ଷରେ ଆମେରିକା କରିଥିବା ଏହି ଦାବି ଉପରେ ଯାଞ୍ଚ କରାଯାଉଥିବା ଚୀନ ସଫେଇ ଦେଇ କହିଛି । କାନାଡ଼ା ଦେଇ ଏହି ବେଲୁନ ଆମେରିକା ଆସିଥିବା କୁହାଯାଉଛି । ତେବେ ଏହି ବେଲୁନ ଦ୍ୱାରା ସାମରିକ ବିପଦ ନ ଥିବା ଜଣାପଡ଼ିଛି । କେବଳ ଗୁଇନ୍ଦାଗିରି ପାଇଁ ଏହାକୁ ବ୍ୟବହାର କରାଯାଇଥିଲା । ଚୀନର ବେଲୁନ ଆମେରିକା ଆକାଶାରେ ଦେଖାଯିବା ପରେ ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ଙ୍କ ଦୁଇଦିନିଆ ଚୀନ୍ ଗସ୍ତକୁ ସ୍ଥଗିତ ରଖାଯାଇଛି ।