ଅଧା ରାତିରେ ଭାରତ ସୀମାରେ ପଶିବାକୁ ଉଦ୍ୟମ କରୁଥିଲେ ଚୀନ ଯବାନ: ସତ ମାନିବାକୁ ନାରାଜ ଡ୍ରାଗନ, ଅଭିଯୋଗକୁ କଲା ଖଣ୍ଡନ
31/08/2020 at 3:38 PM

ନୂଆଦିଲ୍ଲୀ ୩୧।୦୮: ଚୀନର ଧୋକାବାଜ ଇତିହାସକୁ ଦେଖି ଭାରତ ଲଦାଖ ସଂଲଗ୍ନ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିଛି। ଡ୍ରାଗନର ବିସ୍ତାରବାଦୀ ନୀତି ଏବଂ ଦୁଃସାହାସକୁ ଜବାବ ଦେବା ପାଇଁ ଭାରତୀୟ ଯବାନ ଅହରାତ୍ର ସୀମାରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହା ମଧ୍ୟରେ ଚୀନ ଅଗଷ୍ଟ ୨୯-୩୦ ରାତିରେ ପୁଣି ଥରେ ଧୋକାରେ ଭାରତ ମାଟିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି। ମାତ୍ର ସତର୍କ ଭାରତୀୟ ଯବାନ ଚୀନ ସୈନିକଙ୍କୁ ଉଚିତ୍ ଜବାବ ଦେଇ ପଛକୁ ଘଉଡାଇ ଦେଇଛନ୍ତି।
ଚୀନ ଚୁପଚାପ ରାତ୍ରର ଅନ୍ଧକାରରେ ଧୋକା ଦେଇ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ପ୍ରସ୍ତୁତି କରିଥିଲା। ଡ୍ରାଗନ ସେନା ଟ୍ୟାଙ୍କ, ୨୦୦ ସୈନିକ ଓ ଗୋଳା ବାରୁଦ ସହିତ ଭାରତୀୟ ସୀମା ଦକ୍ଷିଣ ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ କ୍ଷେତ୍ରରେ ପଶିବାକୁ ଉଦ୍ୟମ କରିଥିଲା। ମାତ୍ର ଏଲଏସିରେ ସଜାଗ ଭାରତୀୟ ଯବାନ ଶତ୍ରୁ ସେନାକୁ ଘଉଡାଇ ଚୀନର ଉଦ୍ଦେଶ୍ୟକୁ ପଣ୍ଡ କରିଛନ୍ତି। କିନ୍ତୁ ଦୁଇ ଦେଶର ସୈନିକଙ୍କ ମଧ୍ୟରେ କୌଣସି ସଂଘର୍ଷ କି ହାତାହାତି ହୋଇ ନାହିଁ।

ଚୀନ ସତ ମାନିବାକୁ ନାରାଜ ହୋଇଛି। ଏହି ଘଟଣାକୁ ନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛି। ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅନୁପ୍ରବେଶକୁ ଖଣ୍ଡନ କରିଛି। ଚୀନ କହିଛି ଯେ ସୀମାରେ ମୁତୟନ ଚୀନ ସୈନିକ ଏଲଏସି ଅତିକ୍ରମ କରି ନାହାନ୍ତି। ଦୁଇ ଦେଶ ମଧ୍ୟରେ ଏହି ଘଟଣାକୁ ନେଇ ଆଲୋଚନା ଜାରି ରହିଛି।
ଉଲ୍ଲେଖଯୋଗ୍ୟ ସୋମବାର ସକାଳେ ଭାରତ ସରକାରଙ୍କ ପକ୍ଷରୁ ଚୀନ ସୀମାରେ ତାଜା ସ୍ଥିତିକୁ ନେଇ ବୟାନ ଜାରି କରିଛି। ଏହା ଅନୁଯାୟୀ, ପୂର୍ବ ଲଦାଖରେ ପାଙ୍ଗଙ୍ଗ ହ୍ରଦ ନିକଟରେ ଦୁଇ ଦେଶର ସୈନିକ ଅଗଷ୍ଟ ୨୯-୩୦ ରାତିରେ ସାମ୍ନାସାମ୍ନି ହୋଇଥିଲେ। ଚୀନ ସେନା ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲେ, ଯାହାକୁ ଭାରତୀୟ ସେନା ପଣ୍ଡ କରିଥିଲେ।
ଅଗଷ୍ଟ ୨୯-୩୦ ରାତିରେ ଚୀନ ସେନା ପିଏଲଏର ଯବାନ ଗତ ବୈଠକରେ ହୋଇଥିବା ରାଜିନାମାକୁ ଉଲ୍ଲଂଘନ କରି ପୂର୍ବ ଲଦାଖ ଗତିରୋଧ ସ୍ଥଳରେ ସ୍ଥିତାବସ୍ଥା ବଦଳାଇବାକୁ ଉଦ୍ୟମ କରିଥିଲେ। ଏବେ ଏହି ବିବାଦର ସମାଧାନ ଲାଗି ବୈଠକ ଜାରି ରହିଛି। ଦୁଇ ପକ୍ଷରୁ କମାଣ୍ଡରସ୍ତରୀୟ ବୈଠକ ଜରିଆରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି।