ମହାକାଶରେ ୩୦୦ ଖଣ୍ଡ ହେଲା ଚୀନ ରକେଟ୍, ୧୮ ଉପଗ୍ରହ ଧରି ଯାଇଥିଲା ସ୍ପେସ୍

Published By : Prameya-News7 Bureau | August 09, 2024 IST

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନି ସ୍ପେସ୍ ଏକ୍ସରୁ ପ୍ରେରଣା ନେଇ ଚୀନ ନିଜସ୍ୱ ଷ୍ଟାର୍ ଲିଙ୍କ୍ ତିଆରି କରିଥିଲା । ତେବେ ସାଟେଲାଇଟ୍ ଲଞ୍ଚ୍ ପରେ ଚୀନର ଏହି ରକେଟ୍ ୩୦୦ ଖଣ୍ଡ ହୋଇଯାଇଛି । ଯାହାପରେ ଏବେ ସ୍ପେସ୍‌ରେ ବର୍ଜ୍ୟବସ୍ତୁ ପାଲଟିଛି । ଆମେରିକୀୟ ମହାକାଶ କମାଣ୍ଡ (USSPACECOM) ଶୁକ୍ରବାର କହିଛି ଯେ ୧୮ କିୟାନଫ୍ୟାନ ଉପଗ୍ରହକୁ ଲଞ୍ଚ୍ କରିବା ଉପଲବ୍ଧି ହାସଲ କରିବା ପରେ ଚୀନର ଲଙ୍ଗ ମାର୍ଚ୍ଚ 6A ରକେଟ୍ ଖଣ୍ଡ ଖଣ୍ଡ ହୋଇଯାଇଛି । ଏହାପରେ ପୃଥିବୀର ନିମ୍ନ କକ୍ଷ (ଲୋ ଅର୍ଥ୍ ଅର୍ବିଟ୍)ରେ ୩୦୦ରୁ ଅଧିକ ଖଣ୍ଡକୁ ଟ୍ରାକ୍ କରାଯାଇଛି । ଏହା ପୂର୍ବରୁ ଉତ୍ତର ଚୀନର ସାଂକ୍ସି ପ୍ରାନ୍ତରେ ତାଇୟୁଆନ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରୁ ଲଙ୍ଗ ମାର୍ଚ୍ଚ 6A ରକେଟ୍‌କୁ ମଙ୍ଗଳବାର ଉପଗ୍ରହ ସହ ଉତ୍‌କ୍ଷେପଣ କରାଯାଇଥିଲା ।

ଏହି ୧୮ ସାଟେଲାଇଟ୍ ପ୍ରଥମ ବ୍ୟାଚର ଅଂଶ ଥିଲା, ଯାହାର ଲକ୍ଷ୍ୟ ଏଲନ୍ ମସ୍କଙ୍କ ଷ୍ଟାର୍ ଲିଙ୍କ୍ ପରି ନିଜସ୍ୱ ନେଟୱାର୍କ ସ୍ଥାପନ କରିବା । ସାଟେଲାଇଟ୍‌କୁ ସଂଘାଇରେ ଚୀନର ବିଜ୍ଞାନ ଏକାଡେମୀରେ ମାଇକ୍ରୋସାଟେଲାଇଟ୍ ପାଇଁ ଇନୋଭେସନ୍ ଡିଜାଇନ୍ କରିବା ସହ ନିର୍ମାଣ କରିଥିଲା । ରକେଟ୍ ପ୍ରାୟ ୮୦୦ କିଲୋମିଟର ଉଚ୍ଚରେ ଉପଗ୍ରହକୁ ସଫଳତାର ସହ ପହଞ୍ଚାଇଥିଲା ।

ଏକ୍ସରେ ଏକ ପୋଷ୍ଟରେ ଆମେରିକା କହିଛି, 'ଆମେରିକା ସ୍ପେସ୍ କମାଣ୍ଡ ଅଗଷ୍ଟ ୬ରେ ଲଞ୍ଚ କରାଯାଇଥିବା ଲଙ୍ଗ୍ ମାର୍ଚ୍ଚ ୬ଏ ରକେଟ୍ ଖଣ୍ଡ ବିଖଣ୍ଡିତ ହୋଇଥିବା ସ୍ପଷ୍ଟ କରୁଛି । ପୃଥିରୀର ନିମ୍ନ କକ୍ଷରେ ରକେଟର ୩୦୦ ଖଣ୍ଡ ରହିଛି । ବର୍ତ୍ତମାନ କୌଣସି ବିପଦ ନାହିଁ ଏବଂ ମହାକାଶ ଡୋମେନର ସୁରକ୍ଷା ଏବଂ ସ୍ଥିରତାର ସମର୍ଥନ କରୁଛି ।'

ସଂଘାଇ ସ୍ଥିତି କମ୍ପାନି ସ୍ପେସ୍‌ସେଲ୍ ଦ୍ୱାରା ବିକଶିତ କିୟାନଫ୍ୟାନ ନେଟୱାର୍କ ଦୀର୍ଘ ସମୟରେ ୧୫ ହଜରାରୁ ଅଧିକ ଏଲ୍‌ଇଓ ୱାଇଡ-ସ୍କ୍ରିନ୍ ମଲ୍ଟିମିଡିଆ ଉପଗ୍ରହ ନେଟୱାର୍କ ସ୍ଥାପନ କରିବା କ୍ଷମତା ରଖିଛି । ଏଥିରୁ ୧୦୮ ଉପଗ୍ରହକୁ ଚଳିତ ବର୍ଷ ଏବଂ ୨୦୨୫ ଶେଷ ସୁଦ୍ଧା ୬୪୮ ଉପଗ୍ରହ ଲଞ୍ଚ୍ କରାଯିବ । ଗ୍ଲୋବାଲ୍ ଟାଇମ୍ସର ରିପୋର୍ଟ ଅନୁସାରେ ୨୦୨୭ ସୁଦ୍ଧା ଏହି ଗ୍ରୁପର ଲକ୍ଷ୍ୟ ବୈଶ୍ୱିକ ନେଟୱାର୍କ କଭରେଜ୍ ପ୍ରଦାନ କରିବା ଏବଂ ୨୦୩୦ ସୁଦ୍ଧା ୧୫,୦୦୦ ଉପଗ୍ରହକୁ ସାମିଲ କରିବା । ଅନ୍ୟପଟେ ସ୍ପେସ୍ ଏକ୍ସ ପାଖରେ ବର୍ତ୍ତମାନ ମହାକାଶରେ ୬ ହଜାରରୁ ଅଧିକ ଉପଗ୍ରହ ଏବଂ ୧୦୦ ଦେଶରେ ଏହାର ୩ ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.