ଠିକ ସମୟରେ କାମ ନସାରିବାରୁ କର୍ମଚାରୀଙ୍କୁ ପରିସ୍ରା ପିଆଇଲେ ଏବଂ ଅସରପା ଖୁଆଇଲେ ମ୍ୟାନେଜର

Published By : Prameya-News7 Bureau | November 09, 2018 IST

ବେଜିଙ୍ଗ ୯/୧୧ : ଠିକ ସମୟରେ କାମ ନସରିବାରୁ ଚୀନର ଏକ କମ୍ପାନୀ ଏହାର କର୍ମଚାରୀଙ୍କୁ ପରିସ୍ରା ପିଆଇବା ସହ ଅସରପା ଖୁଆଇଚି | ଦିନକି ଦିନ ଚୀନରେ କର୍ମଚାରୀଙ୍କ ପ୍ରତି ଏଭଳି ଅମାନବୀୟ ଅତ୍ୟାଚାର ସାମ୍ନାକୁ ଆସିବାରେ ଲାଗିଛି | ଚୀନର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଥିବା ଗାଇଜୋରେ ଏହି କମ୍ପାନୀ ରହିଛି | କୋଠା ପୁନଃ ନିର୍ମାଣ କାମ କରୁଥିବା ଏହି କମ୍ପାନୀ ନିଜ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେଉଥିବା ବେଳର ଭିଡିଓ ଚୀନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ କମ୍ପାନୀର ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଜେଲ ଯିବାକୁ ପଡିଛି | କୌଣସି କାରଣ ବଶତଃ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଥିଲେ ବା ଫର୍ମାଳ ଡ୍ରେସ ପିନ୍ଧି ଆସିନଥିଲେ କମ୍ପାନୀ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଜୋରିମାନା ଆକାରରେ ୫୦ ୟେନ ଆଦାୟ କରୁଥିବା ଜଣେ ପୂର୍ବତନ କର୍ମଚାରୀ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି | ଏଭଳି ଅତ୍ୟାଚାର ସତ୍ୱେ ବିଭିନ୍ନ କାରଣ ଯୋଗୁଁ ଏହି କମ୍ପାନୀର କର୍ମଚାରୀମାନେ ଚାକିରୀ ଚାଡ଼ିନାହାନ୍ତି | କର୍ମଚାରୀଙ୍କୁ ଜାଣିଶୁଣି ଠିକ ସମୟରେ ଦରମା ମଧ୍ୟ ଦିଆଯାଉନଥିବା ଜଣାପଡିଛି | ଚୀନର ସରକାରୀ ଗଣମାଧ୍ୟମ ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓ ଆଧାରରେ କହିଛି ଯେ, ସାମାନ୍ୟ ଭୁଲ ପାଇଁ ଏହି କମ୍ପାନୀର କର୍ମଚାରୀଙ୍କୁ ଅନ୍ୟ କର୍ମଚାରୀ ଓ ସାଧାରଣରେ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଥାଏ | ଏପରିକି କିଛି କର୍ମଚାରୀଙ୍କୁ ଲଣ୍ଡା ମଧ୍ୟ କରାଯାଇଥାଏ | କେବଳ ଏହି କମ୍ପାନୀ ନୁହେଁ ବହୁ ଘରୋଇ କମ୍ପାନୀ କର୍ମଚାରୀଙ୍କଠୁ କାମ ଆଦାୟ କରିବା ପାଇଁ ଏଭଳି ଅମାନବୀୟ କାର୍ଯ୍ୟ କରୁଥିବା ସୂଚନା ମିଳିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.