ଅସୁସ୍ଥ ପ୍ରେମିକାଙ୍କ ପାଇଁ ଉତ୍ସର୍ଗ କରିଦେଲେ ୩୦ ବର୍ଷ, ପାଖେ ପାଖେ ରହି ନେଉଛନ୍ତି ଯତ୍ନ, କାହାଣୀ ଜାଣିଲେ ଭରିଯିବ ଆଖି
5/01/2023 at 10:51 PM

ନୂଆଦିଲ୍ଲୀ, ୦୫/୦୧: ଆଜିର ସମୟରେ ଯେଉଁଠାରେ ଲଭ୍, ସେକ୍ସ, ଧୋକାର ଅନେକ ଖବର ଆସୁଛି। ଯାହାକୁ ନେଇ ଅନେକ ସମୟରେ ଭଲପାଇବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ହେଲେ ଏବେବି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଭଲପାଇବା ସବୁକିଛି କରିବାକୁ ପ୍ରସ୍ତୁତ। ସେମାନେ କେବଳ ବୁଝନ୍ତି ପ୍ରକୃତ ଭଲପାଇବା।
ଏହିପରି ଏକ ପ୍ରକୃତ ଭଲପାଇବାର ଉଦାହରଣ ପାଲଟିଛନ୍ତି ଚୀନର ଏକ ଦମ୍ପତ୍ତି। କାରଣ ପ୍ରେମିକ ଜଣକ କିଛି ଏଭଳି କରିଥିଲେ ଯାହାକି ଆପଣ ହୁଏତ ବିଶ୍ବାସ କରିବେନି। ପ୍ରକୃତରେ ପ୍ରେମିକା ଜଣକ ଦୀର୍ଘଦିନ ଧରି ପାରାଲିସିସ୍ର ଶିକାର ହୋଇଥିଲେ। କିନ୍ତୁ ପ୍ରେମିକ ଜଣକ ତାଙ୍କୁ ନିଜଠାରୁ ଦୂରେଇ ଦେଇ ନଥିଲେ ବରଂ ଦୀର୍ଘ ୩୦ ବର୍ଷ ଧରି ନିଜ ପ୍ରେମିକାଙ୍କ ଯତ୍ନ ନେଇଆସୁଛନ୍ତି।
ଏହି କାହାଣୀ ହେଉଛି ଚୀନର ଶୁ ଝିଲ୍ଳୀଙ୍କର। ଯାହା ଆରମ୍ଭ ହୋଇଥିଲା ୧୯୯୨ ରେ। ସେତେବେଳେ ତାଙ୍କୁ ୨୯ ବର୍ଷ ବୟସ ହୋଇଥିଲା। ସେହି ବର୍ଷ ସେ ହୁଆଙ୍ଗ କୁଇୟୁନଙ୍କୁ ଭେଟ ହୋଇଥିଲା। ଶୁ ବଢ଼େଇ କାମ କରୁଥିବାବେଳେ ହୁଆଙ୍ଗ ଜଣେ ପ୍ରବାସୀ ଶ୍ରମିକ ଥିଲେ। ଉଭୟଙ୍କ ସେଣ୍ଟ୍ରାଲ ଚୀନ୍ର ହୁନାନରେ ଦେଖାହୋଇଥିଲା। ପ୍ରଥମ ନଜରରେ ହୋଇଥିଲା ପ୍ରେମ। ଆଉ ଉଭୟ ପରସ୍ପରର ନିକଟତର ହୋଇଥିଲେ। କିନ୍ତୁ ମାତ୍ର କିଛି ଦିନରେ ବଦଳିଯାଇଥିଲା ସବୁକିଛି। କାରଣ ଏକ ବସ୍ ଦୁର୍ଘଟଣାରେ ହୁଆଙ୍ଗ ପାରାଲିସିସ୍ର ଶିକାର ହୋଇଥିଲେ। ଫଳରେ ଉଭୟ ବିବାହ ମଧ୍ୟ କରିପାରିନଥିଲେ।
ଶୁ ଏକ ଭିଡିଓରେ ତାଙ୍କର ଏହି ପ୍ରେମ କାହାଣୀ ବିଷୟରେ କହିଛନ୍ତି। ଶୁ କହିଥିଲେ ଦୁର୍ଘଟଣା ପରେ ହୁଆଙ୍ଗଙ୍କ ସହ ସମ୍ପର୍କ ଭାଙ୍ଗିବାକୁ କହିଥିଲେ ପରିବାର ଲୋକ। କିନ୍ତୁ ସେ ଏଥିପାଇଁ ମନା କରିଥିଲେ ଏବଂ ତାଙ୍କ ସହ ଜୀବନ ବିତାଇବାକୁ ଶପଥ ନେଇଥିଲେ। ଏହାପରେ ସେ ହୁଆଙ୍ଗଙ୍କୁ ନିଜ ପାଖକୁ ନେଇଆସିଥିଲେ ଏବଂ ତାଙ୍କର ଯତ୍ନ ନେଇଥିଲେ। ସେ ଆହୁରି କହିଥିଲେ ଦୁର୍ଘଟଣା ବିଷୟରେ ପ୍ରାୟ ୨୬ ବର୍ଷ ପର୍ଯ୍ୟନ୍ତ ନିଜ ପରିବାରଲୋକଙ୍କୁ ମଧ୍ୟ ଜଣାଇନଥିଲେ ହୁଆଙ୍ଗ। କିନ୍ତୁ ହୁଆଙ୍ଗଙ୍କ ପିତା ତାଙ୍କୁ ଖୋଜି ଖୋଜି ତାଙ୍କ ପାଖରେ ପହଞ୍ଚିଥିଲେ। ଆଉ ସତ କଥା ଜାଣିବାକୁ ପାଇଥିଲେ। ଏହାପରେ ଉଭୟଙ୍କ ବିବାହ କରାଇଥିଲେ।
ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ସେତେବଳେ ମୋବାଇଲ ଏବଂ ଇଣ୍ଟରନେଟ୍ ନଥିଲା ଏଥିପାଇଁ ସୁ, ହୁଆଙ୍ଗଙ୍କ ମନୋରଞ୍ଜନ କରିବା ପାଇଁ ବାଦ୍ୟ ଯନ୍ତ୍ର ଇରହୁ ବଜାଇବା ଶିଖିଥିଲେ। ହୁଆଙ୍ଗଙ୍କ ଜୀବନକୁ ସରଳ କରିବା ପାଇଁ ଶୁ ଅନେକ ବ୍ୟବସ୍ଥା ମଧ୍ୟ କରିଥିଲେ। ଦମ୍ପତ୍ତିଙ୍କ ଏକ ପୋଷ୍ୟକନ୍ୟା ମଧ୍ୟ ଗ୍ରହଣ କରିଥିଲେ।