କରୋନା ନୁହେଁ ସାଧାରଣ ଫ୍ଲୁ…ଚୀନରେ ପ୍ରୋପାଗଣ୍ଡା ପ୍ରଚାର କରୁଛି ଜିନପିଙ୍ଗ ସରକାର, ଲୋକଙ୍କୁ ଦେଉଛି ଭୁଲ ପରାମର୍ଶ
26/12/2022 at 4:14 PM

ନୂଆଦିଲ୍ଲୀ: ଚୀନରେ କରୋନା ସଂକଟ ଗମ୍ଭୀର ହେବାରେ ଲାଗିଛି । ଏହାରି ଭିତରେ ଜିନପିଙ୍ଗ ସରକାରର ପ୍ରୋପାଗଣ୍ଡା ଟିମ ଦେଶରେ ମିଛ ପ୍ରଚାର କରିବା ଆରମ୍ଭ କରିଛି । ଚୀନର ମିଡିଆ ରିପୋର୍ଟ ଅନୁସାରେ, ସରକାରଙ୍କ ଟିମ ଲୋକଙ୍କୁ ମଧ୍ୟରେ ଏହି ସନ୍ଦେଶ ପହଞ୍ଚାଉଛି ଯେ ସେମାନଙ୍କୁ କରୋନା ହୋଇ ନାହିଁ ବରଂ ସାଧାରଣ ଜ୍ୱର ହୋଇଛି । ଏଥିରୁ ରକ୍ଷା ପାଇବା ପାଇଁ ପାରମ୍ପାରିକ ଔଷଧର ସେବନ ପାଇଁ ପରାମର୍ଶ ଦିଆଯାଉଛି । ଅନ୍ୟପଟେ ଚୀନ ସରକାର ପାରମ୍ପାରିକ ଔଷଧର ଉତ୍ପାଦନକୁ ମଧ୍ୟ ବଢାଇଦେଇଛି । ଉଲ୍ଲେଖଯୋଗ୍ୟ, ଯେଉଁ ଔଷଧର ଉତ୍ପାଦନକୁ ଚୀନ ବଢାଇଛି ତାହା ଅନେକ ଦେଶରେ ବ୍ୟାନ ରହିଛି ଏବଂ ଏହାର ବ୍ୟବହାରକୁ ନେଇ ମଧ୍ୟ ଚେତାବନୀ ଜାରି କରାଯାଇଛି ।
ଚୀନ ସରକାର କରୋନା ମାମଲା ବୃଦ୍ଧି ରୋକିବା ପାଇଁ ‘ଲିୟାନହୁଆ କ୍ୱିଙ୍ଗୱେନ’ ନାମକ ପାରମ୍ପାରିକ ଚୀନ ଔଷଧର ଉତ୍ପାଦନ ଏବଂ ବିତରଣକୁ ବଢାଇ ଦେଇଛି । ସରକାର ଦ୍ୱାରା ସହରରେ ଲୋକଙ୍କ ନିକଟରେ ଔଷଧ ଉପଲବ୍ଧ କରାଯାଉଛି । ଏହା ପୂର୍ବରୁ କରୋନାର ପ୍ରଥମ ଲହରରେ ସି ଜିନପିଙ୍ଗ ସରକାର କରୋନା ଚିକିତ୍ସା ପାଇଁ ଏହି ଔଷଧର ବ୍ୟବହାରକୁ ମଞ୍ଜୁରୀ ପ୍ରଦାନ କରିଥିଲେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନେକ ଦେଶରେ ଏହି ଔଷଧ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।
କରୋନାକୁ ନେଇ ଚୀନ ସରକାରଙ୍କ ଅଜବ ନୀତି ନିୟମ ଲୋକଙ୍କ ଜୀବନ ଉପରେ ଭାରି ପଡୁଛି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, କିଛି ଦେଶରେ ଏହା ବ୍ୟବହାର ଉପରେ ଚେତାବନୀ ଜାରି କରାଯାଇଛି । ଏପରି ସ୍ଥିତିରେ ଲୋକମାନେ ଏବେ ସରକାରଙ୍କ ବିରୋଧ କରୁଛନ୍ତି ଏବଂ ପାରମ୍ପାରିକ ଔଷଧର ବିରୋଧ କରୁଛନ୍ତି । ଲୋକଙ୍କ ଦାବି ଏହି ଔଷଧ ପରିବର୍ତ୍ତେ ପାରାସିଟାମୋଲ ପରି ଆଧୁନିକ ଔଷଧ ଯୋଗାଯିବା ଦରକାର ।