ଚୀନ କମ୍ପାନୀ ଅଲିବାବା ଚୋରି କରୁଛି ଭାରତୀୟ ୟୁଜର୍ସଙ୍କ ଡାଟା, ଦେଶରେ ଶୀଘ୍ର ହୋଇପାରେ ବଡ ଯାଞ୍ଚ
15/09/2020 at 5:06 PM

ନୂଆଦିଲ୍ଲୀ ୧୫।୦୯: ଗତ କିଛି ସମୟରେ ଦେଶର ଅଖଣ୍ଡତା ଓ ସାର୍ବଭୌମତା ପ୍ରତି ବିପଦ ଥିବା ଦର୍ଶାଯାଇ ଭାରତ ଅନେକ ଚୀନ ଆପ୍ସକୁ ନିଷିଦ୍ଧ କରିଛି। ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଆପ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ କଟକଣା ଲଗାଯାଇଛି। ଏବେ ଖବର ଆସୁଛି ଯେ ଚୀନ କମ୍ପାନୀ ଅଲିବାବା ଭାରତୀୟ ୟୁଜର୍ସଙ୍କ ତଥ୍ୟ ଚୋରି କରୁଛି। ମାମଲାର ଶୀଘ୍ର ଯାଞ୍ଚ କରାଯିବ ବୋଲି କୁହାଯାଉଛି।
ଦେଶର ଶୀର୍ଷ ସ୍ତରୀୟ ଗୁଇନ୍ଦା ସୂତ୍ର ଅନୁଯାୟୀ ଅତି କମରେ ଦେଶର ୭୨ ସର୍ଭରରୁ ଭାରତୀୟ ୟୁଜର୍ସଙ୍କ ତଥ୍ୟ ଚୀନ ପଠାଯାଉଛି। ଏହି ସବୁ ସର୍ଭରର ମୁଖ୍ୟ କେନ୍ଦ୍ର ହେଉଛି ଚୀନ କମ୍ପାନୀ ଅଲିବାବାର କ୍ଲାଉଡ ଡେଟା ସର୍ଭର। ଅଧିକାରୀଙ୍କ ଅନୁଯାୟୀ ଅଲିବାବାର କ୍ଲାଉଡ ଡାଟା ସର୍ଭର ବହୁତ ପ୍ରସିଦ୍ଧ କାରଣ ଏହା ୟୁରୋପୀୟ ସର୍ଭର ତୂଳନାରେ ବହୁତ ଶସ୍ତାରେ ସେବା ପ୍ରଦାନ କରିଥାଏ।
ସୂତ୍ର ଅନୁଯାୟୀ ଅଲିବାବା ଦ୍ଵାରା ଭାରତରେ ସଞ୍ଚାଳିତ ୭୨ ସର୍ଭରକୁ ଚିହ୍ନଟ କରାଯାଇଛି, ଯେଉଁମାନେ ଚୀନକୁ ଭାରତୀୟଙ୍କ ତଥ୍ୟ ପଠାଉଛନ୍ତି। ଚୀନ ପ୍ରଶାସନ ଦ୍ଵାରା ଯୋଜନାବଦ୍ଧ ପ୍ରକ୍ରିୟାରେ ଏସବୁ କରାଯାଉଛି। ଗୁଇନ୍ଦା ସୂତ୍ର ଅନୁଯାୟୀ ବ୍ୟବସାୟୀଙ୍କୁ ଠକିବା ପାଇଁ ଏହି ସର୍ଭର ଅନେକ ସୁବିଧା ବହୁ କମ ଦାମରେ ଦେଉଛି। ଥରୁଟିଏ କମ୍ପାନୀ ଓ ୟୁଜର୍ସଙ୍କ ସମ୍ବେଦନଶୀଳ ଡାଟା ଆସିଗଲା ପରେ ଏହି ସବୁ ସର୍ଭର ଚୀନକୁ ସମ୍ବେଦଶୀଳ ତଥ୍ୟ ପଠାଉଛନ୍ତି।
ତଥ୍ୟ ଚୋରିକୁ ଦୃଷ୍ଟିରେ ରଖି ଦେଶରେ ବଡ ତଦନ୍ତ ଆରମ୍ଭ ହୋଇପାରେ। ସୋମବାର ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟରେ ମଧ୍ୟ ଚୀନର ସାଇବର ରଣନୀତି ବିଷୟରେ ଆଲୋଚନା କରାଯାଇଥିଲା।
ଏହା ପୂର୍ବରୁ କେନ୍ଦ୍ର ସରକାର ଗଲଓ୍ଵାନ ଘାଟିରେ ସୀମା ବିବାଦ ପରେ ଚୀନର ୧୦୬ ଆପ୍ସ ଉପରେ ପ୍ରତିବନ୍ଧ ଲଗାଯାଇଥିଲା। ଏଥିରେ ଟିକ୍ଟକ୍, ଓ୍ଵିଚାଟ୍, ୟୁସି ବ୍ରାଉଜର, ୟୁସି ନ୍ୟୁଜ୍ ଚ୍ୟାନେଲ, ପବ୍ଜି ପରି ଆପ୍ ସାମିଲ। ଏହି ପରି ଏ ପର୍ଯ୍ୟନ୍ତ ଚୀନର ମୋଟ୍ ୨୨୪ ମୋବାଇଲ ଆପ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସରକାର ଦାବି କରିଥିଲେ ଯେ ଏହି ସବୁ ଆପ୍ ଦେଶ ବିରୋଧୀ ଗତିବିଧିରେ ସାମିଲ।