ଆମେରିକାରୁ ଗବେଷଣା ସମ୍ପର୍କିତ ତଥ୍ୟ ଚୋରି ଅଭିଯୋଗ, ଚୀନ୍ ସେନାର ଜଣେ ମେଜରକୁ ଗିରଫ କଲା FBI
14/06/2020 at 2:20 PM

ନ୍ୟୁୟର୍କ ୧୪।୦୬: ଆମେରିକାର ସାନ୍ ଫ୍ରାନସିସ୍କୋ ସ୍ଥିତ କାଲିଫର୍ଣ୍ଣିଆ ୟୁନିଭରସିଟିରୁ ଗବେଷଣା ସମ୍ପର୍କିତ ତଥ୍ୟ ଚୋରି କରିବା ଅଭିଯୋଗରେ ଚୀନ୍ ସେନାର ଜଣେ ମେଜର ଗିରଫ ହୋଇଛନ୍ତି । ଆମେରିକାର ସଂଘୀୟ ସୁରକ୍ଷା ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ଏଫବିଆଇ) ଦ୍ୱାରା ଜିନ୍ ୱାଙ୍ଗ୍ ନାମକ ଏହି ଅଧିକାରୀଙ୍କୁ ଗିରଫ କରାଯାଇଥିଲା ବୋଲି ସେଠାକାର ଜଷ୍ଟିସ ଡିପାର୍ଟମେଣ୍ଟ ସୂଚନା ଦେଇଛି ।
ଏଫବିଆଇ ଦ୍ୱାରା ୱାଙ୍ଗଙ୍କ ବିରୋଧରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ଗବେଷଣା ଏବଂ ଅନ୍ୟାନ୍ୟ ତଥ୍ୟ ଚୋରି ତଥା ଭିସା ଜାଲିଆତି କରିଥିବାର ଅଭିଯୋଗ କରାଯାଇଛି । ଏଫବିଆଇ ଅନୁସାରେ, ଜିନ୍ ଚୀନର ସେନା ପିପୁଲ୍ସ ଲିବରେସନ ଆର୍ମିରେ ଏବେ ବି କାର୍ଯ୍ୟରତ ଅଛନ୍ତି । ସେ ମେଜର ଭାବେ ନିୟୋଜିତ ଥିଲାବେଳେ ଚୀନ୍ ସେନାରୁ ଦରମା ବି ପାଉଛନ୍ତି। କିନ୍ତୁ ସେ ଭିସା ଆବେଦନବେଳେ ଏହି ତଥ୍ୟ ଗୋପନୀୟ ରଖିଥିଲେ । ସେ ଭିସା ଆବେଦନ ବେଳେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଗବେଷଣା କରିବାକୁ ଚାହୁଁଥିବାର ଉଲ୍ଲେଖ କରିଥିଲେ ।
ଜେରା ବେଳେ ଜିନ୍ ସ୍ୱୀକାର କରିଛନ୍ତି ଯେ ତାଙ୍କର ଉପରିସ୍ଥ ଅଧିକାରୀ(ମିଲିଟାରୀ ୟୁନିଭରସିଟି ଲାବ୍ର ନିର୍ଦ୍ଦେଶକ) ତାଙ୍କୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଲାବ୍ର ଡିଜାଇନ ଏବଂ ସଂରଚନା ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯଦ୍ଦ୍ୱାରା ପରେ ଚୀନ୍ରେ ଅନୁରୂପ ଲାବ୍ ତିଆରି କରାଯାଇପାରିବ । ଏଫବିଆଇ ଆହୁରି ଅଭିଯୋଗ କରିଛି କି ଜିନ୍ ଉକ୍ତ ବିଶ୍ୱବିଦ୍ୟାଳୟରୁ କିଛି ତଥ୍ୟ ଇ-ମେଲ ଜରିଆରେ ଚୀନ୍କୁ ପ୍ରେରଣ କରିସାରିଥିଲେ । ସେ ଆଉ କିଛି ତଥ୍ୟ ନେଇ ରବିବାର ଆମେରିକାରୁ ପଳାଇବାକୁ ଉଦ୍ୟମ କରୁଥିଲାବେଳେ ତାଙ୍କୁ ଧରାଯାଇଥିଲା ।
ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ପଛରେ ଚୀନ୍ର ସନ୍ଦେହଜନକ ଭୂମିକା ଥିବାରୁ ଏବଂ ସିଏ ବାରମ୍ବାର ହ୍ୟାକିଂ ଜରିଆରେ ତଥ୍ୟ ଚୋରି କରିବାକୁ ଉଦ୍ୟମ କରୁଥିବାରୁ ଆମେରିକା ପୂର୍ବରୁ ଘୋଷଣା କରିସାରିଛି କି ସିଏ ଆମେରିକାରେ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟରତ ଚୀନ୍ର ନାଗରିକମାନଙ୍କ ଦ୍ୱାରା ଗୋପନୀୟ ତଥ୍ୟ ଚୋରି ରୋକିବାକୁ ପଦକ୍ଷେପ ନେବ। ଏହାର କିଛି ଦିନ ପରେ ଟ୍ରମ୍ପ ପ୍ରଶାସନ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।