ପାଖ ଛାଡ଼ି ଯାଉନି କରୋନା: କଟକଣା କୋହଳ ପରେ ବଢ଼ିଲା ଚୀନର ଚିନ୍ତା, ଭୟଙ୍କର ହେଉଛି ସ୍ଥିତି
11/12/2022 at 4:59 PM

ବେଜିଂ: ଜନ ଅସନ୍ତୋଷ ଓ ଅନ୍ତର୍ଜାତୀୟ ଚାପ ଆଗରେ ନଇଁ ଦେଶରେ କେତେକ ସ୍ଥାନରେ କଟକଣା କୋହଳ କଲ ଚୀନ। ହେଲେ ପାଖ ଛାଡ଼ି ଯାଉନି କରୋନା। ଦେଶରେ କଟକଣା କୋହଳ ହେବା ପରଠାରୁ ଚୀନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରବିବାର ସଂକ୍ରମଣ ଅଧିକ ହୋଇଥିବାରୁ ଦୋକାନ ବଜାରକୁ ବନ୍ଦ କରିଦିଆ ଯାଇଛି। ହଜାର ହଜାର ନୂଆ କରୋନା ଭାଇରସ ଦେଶରେ ପାଦପ୍ରସାର କରୁଛି ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି।
ଗତମାସ ଆନ୍ଦୋଳନ ଯୋଗୁ କଡ଼ା କଟକଣା କୋହଳ କରିଥିଲେ ଚୀନ ସରକାର। ତେବେ କଡ଼ା କଟକଣା ଯୋଗୁ ଦେଶରେ ବିଭିନ୍ନ ସହର ଅର୍ଥନୀତି ଦୁର୍ବଳ ହୋଇଯାଇଥିଲା। ରାଜଧାନୀ ବେଜିଂର ଅର୍ଥନୀତି ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ତେବେ କୋଭିଡ କଟକଣା ଉଠାଇବା ପରେ କରୋନା ମାମଲାରେ ସେତେଟା ସୁଧାର ଆସିପାରି ନାହିଁ।
ଏପଟେ ଚୀନ ପ୍ରଖ୍ୟାତ ମହାମାରୀ ବିଶେଷଜ୍ଞ ଝୋଙ୍ଗ ନାଶାନଙ୍କ କହିବା କଥା ହେଲା ଦେଶରେ ଓମିକ୍ରନ ଭୟଙ୍କର ଭାବରେ ମାଡ଼ିଚାଲିଛି। ଅଧିକାଂଶ ସହରରେ ଓମିକ୍ରନ ପଜିଟିଭ ସଂଖ୍ୟା ଅଧିକ ରହିଛି ବୋଲି ସେ କହିଛନ୍ତି।