ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ଦାବି ମିଛ, ଏହାକୁ କେବେ ସ୍ୱୀକାର କରାଯିବ ନାହିଁ- ଜର୍ମାନୀ ରାଷ୍ଟ୍ରଦୂତ

Published By : Prameya-News7 Bureau | August 30, 2022 IST

ନୂଆଦିଲ୍ଲୀ:  ଭାରତର ସୀମାରେ ଚୀନର ବିସ୍ତାର ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥାର ଉଲ୍ଲଂଘନ ଏବଂ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତ ଫିଲିପ ଏକରମ୍ୟାନ । ଏହାସହ ଏକରମ୍ୟାନ କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ୟୁରୋପର ଆକ୍ରୋଶକୁ ମଧ୍ୟ ବୁଝିବା ଜରୁରୀ । ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜର୍ମାନୀ ରାଷ୍ଟ୍ରଦୂତ ଅରୁଣାଚଳ ପ୍ରଦେଶ ଉପରେ ଚୀନର ଦାବିକୁ ଭୁଲ ବୋଲି କହିଛନ୍ତି ।

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଗତ ୭୦ ବର୍ଷରେ ଦୁନିଆର ସବୁଠୁ ବଡ ଆକ୍ରମଣ ବୋଲି ଏକରମ୍ୟାନ କହିଛନ୍ତି । ଏହାସହ ଏହା ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ ବୋଲି ଭାରତ ମଧ୍ୟ ଭଲ ଭାବରେ ଜାଣିଥିବା ସେ କହିଛନ୍ତି । ସେ କହିଛନ୍ତି, 'ୟୁକ୍ରେନ ସଂକଟ ଉପରେ ଭାରତ ଏବଂ ୟୁରୋପ ଗୋଟିଏ ବିନ୍ଦୁରେ ସହମତ ହୋଇପାରିବେ ନାହିଁ । କିନ୍ତୁ ସମସ୍ୟାକୁ ଉଭୟ ପକ୍ଷ ଠିକ୍ ବୁଝିଛନ୍ତି' ।

ସେ କହିଛନ୍ତି, 'ଆମେ ଉତ୍ତର ସୀମାରେ ଭାରତର ସମସ୍ୟ ସହ ଅବଗତ ଅଛୁ, ଆମେ ଏହା ଭୁଲିବା କଥା ନୁହେଁ ଯେ ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ଅଭିନ୍ନ ଅଙ୍ଗ ବୋଲି ଦାବି କରୁଛି । ଆମେ ସ୍ପଷ୍ଟ ରୂପେ ଦେଖିପାରୁଛୁ ଯେ, ସୀମା ବିସ୍ତାର କରିବା ଅତ୍ୟନ୍ତ କଠିନ ଏବଂ ଏହାକୁ ସ୍ୱୀକାର କରାଯିବ ନାହିଁ'।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.