ଚାଇନାରେ ଖ୍ରୀଷ୍ଟମାସକୁ ନା : ବଡ ଦିନ ପାଳନ ଉପରେ କଟକଣା ଲଗାଇଲେ ଶାସକ ଦଳ

Published By : Prameya-News7 Bureau | December 25, 2021 IST

ବେଜିଂ, ୨୫/୧୨:  ଚାଇନାରେ ଖ୍ରୀଷ୍ଟମାସ ପାଳନକୁ ନା । ଚାଇନାରେ ଶାସନାଧିନ ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି ସ୍ଥାନୀୟ ଲୋକଙ୍କୁ ବଡ ଦିନ ପାଳନ ନକରିବାକୁ କହିଛି । ଏହା ପାଶ୍ଚାତ୍ୟ ସଭ୍ୟତା ବୋଲି ଦଳ କହିଛି । ଦଳର ଏପରି ଅଘୋଷିତ କଟକଣା ସମ୍ବନ୍ଧୀୟ ତଥ୍ୟ ପ୍ରଘଟ ହୋଇଯାଇଛି ।

ପ୍ରଘଟ ହୋଇଥିବା ବିଟର୍ ଓ୍ୱିଣ୍ଟରର ଏକ ଗୋପନୀୟ ରିପୋର୍ଟ ଅନୁସାରେ, ଦେଶରେ ସମସ୍ତ ପ୍ରକାର ଖ୍ରୀଷ୍ଟିଆନ ଉତ୍ସବ ପାଳନ କରିବା ନେଇ କଟକଣା ଜାରି ହୋଇଛି । ଏପରିକି ପ୍ରାର୍ଥନା ଉପରେ ବି କଟକଣା ଲାଗୁ କରାଯାଇଛି । କରୋନା ବାହାନା କରି ପର୍ବ ପାଳନ ଉପରେ କଟକଣା ଲାଗିଛି ।

ବିଟର ଓ୍ୱିଣ୍ଟରର ରିପୋର୍ଟ ଅନୁସାରେ, ଚୀନ୍ କମ୍ୟୁନିଷ୍ଟ ପାର୍ଟି ଦେଶର ଜନତାଙ୍କୁ କହିଛି ଯେ, ଖ୍ରୀଷ୍ଟମାସ ପାଳନ ଦ୍ୱାରା ମୂଳ ସଂସ୍କୃତି ପରମ୍ପରା ଲୋପ ପାଉଛି । ଅନେକ ପାଶ୍ଚାତ୍ୟ ଦେଶ ସେମାନଙ୍କ ପରମ୍ପରାକୁ ଚାଇନା ଉପରେ ଲଦି ଦେବାକୁ ଚାହୁଁଛନ୍ତି । ଏପରି କରି ସେମାନେ ଯୁବପୀଢିକୁ ଆକୃଷ୍ଟ କରୁଛନ୍ତି । ଆହୁରି ମଧ୍ୟ ଅନେକ ଶିଳ୍ପସଂସ୍ଥା ଏହି ପର୍ବର ଫାଇଦା ଉଠାଇବାକୁ ପ୍ରୟାସ କରୁଛନ୍ତି । ତେବେ ସରକାରଙ୍କ ଦ୍ୱାରା ପରିଚାଳିତ ଚର୍ଚ୍ଚ ପାଇଁ କଟକଣା ଲାଗୁ ହେବ ନାହିଁ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ବିଟର ଓ୍ୱିଣ୍ଟରର ଏହି ତଥ୍ୟ ଗତ ୨୦ ତାରିଖରେ ସାମ୍ନାକୁ ଆସିଥିଲା । ଏହା ପ୍ରଥମେ ଚୀନର ଶିକ୍ଷା ବିଭାଗ ଜାରି କରିଥିଲା । କିନ୍ତୁ ଏହା ଲିକ୍ ହୋଇଯାଇଥିଲା । ପ୍ରଥମେ ଏଥିରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ବଡଦିନ ପାଳନରୁ ନିବୃତ୍ତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.