ପାକିସ୍ତାନକୁ ସବୁ ସାହାଯ୍ୟ ଯୋଗାଇଦେବ ଚିନ୍‌: ସି ଜିନ୍‌ପିଙ୍ଗ୍‌

Published By : Prameya-News7 Bureau | November 02, 2022 IST

ଇସ୍‌ଲାମାବାଦ, ୦୨/୧୧: ଦୁର୍ବଳ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପଡ଼ୋଶୀ ପାକିସ୍ତାନକୁ ସହାୟତା ଯୋଗାଇ ଦେବ ଚୀନ୍‌ । ପାକିସ୍ତାନର ଅର୍ଥନୀତି ସୁଦୃଢ଼ ହେବା ପର୍ଯ୍ୟନ୍ତ ନିରନ୍ତର ଭାବେ ସାହାଯ୍ୟ କରିବାକୁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ କହିଛନ୍ତି । ଏପ୍ରିଲ୍‌ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ କରି ଦୁଇ ଦିନିଆ ଚୀନ୍‌ ଗସ୍ତରେ ଯାଇଛନ୍ତି ଶେହବାଜ୍‌ ସରିଫ୍‌ । ଏହାର ଶେଷ ଦିନରେ ସି ଜିନ୍‌ପିଙ୍ଗ୍‌କୁ ଭେଟିଥିବା ବେଳେ ସେ ଏପରି କହିଥିବା ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଚୀନ୍‌ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ୬୦ ବିଲିୟନ୍‌ ଡଲାର୍‌ର ଭିତ୍ତିଭୂମି ପ୍ରୋଜେକ୍ଟ ଚାଇନା-ପାକିସ୍ତାନ ଇକୋନୋମିକ୍‌ କରିଡର୍‌ ବା ସିପିଇସିକୁ ନେଇ ଜିନ୍‌ପିଙ୍ଗ୍‌ ମତ ଦେଇଛନ୍ତି । ଚାଇନାର ଷ୍ଟେଟ୍‌ ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନର ବେଲୁଚିସ୍ତାନ ଅଞ୍ଚଳରେ ଗ୍ୱଦାର ସି-ପୋର୍ଟ ନିର୍ମାଣ କରିବ ଚୀନ୍‌ । ଏହି କାମକୁ ତ୍ୱରିତ କରିବା ପାଇଁ ଦୁଇ ଦେଶ ଆଲୋଚନା କରିଥିବା ଜଣାପଡ଼ିଛି ।

ନିକଟରେ ପାକିସ୍ତାନରେ ହୋଇଥିବା ବନ୍ୟାରେ ୧୭ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ପାଖାପାଖି ୩ କୋଟିରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିଲେ । ଏହି ସମୟରେ ଚୀନ୍‌ ପାକିସ୍ତାନକୁ ରିଲିଫ୍‌ ଯୋଗାଇଦେବା ସହ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲା । ଯାହାକୁ ନେଇ ସରିଫ୍‌ ଜିନ୍‌ପିଙ୍ଗ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାମାଜିକ- ଅର୍ଥନୈତିକ ଉନ୍ନତି, ପ୍ରଗତି ତଥା ସମୃଦ୍ଧତା ପାଇଁ ଚୀନ୍‌ ସଂକଳ୍ପବଦ୍ଧ । ଯାହାଦ୍ୱାରା ପାକିସ୍ତାନ ଅନୁପ୍ରାଣିତ ହୋଇଛି ବୋଲି ସରିଫ୍‌ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.