ଚୀନ ରାଷ୍ଟ୍ରପତିଙ୍କ ରଣ ହୁଂକାର, ଯୁଦ୍ଧକୁ ନେଇ କଲେ ବଡ଼ ଘୋଷଣା

Published By : Prameya-News7 Bureau | November 08, 2022 IST

ନୂଆଦିଲ୍ଲୀ: ସାରା ଦୁନିଆରେ ଚୀନ ନିଜ ବିସ୍ତାରବାଦୀ ନୀତିକୁ ନେଇ କୁଖ୍ୟାତ ଅଛି । ଭାରତର ଲଦାଖରେ ଚୀନ ନିଜ ଚାଲବାଜି ଏବଂ ତାଇୱାନ ଉପରେ ନିଜର ହକ ଜାହିର କରି ଆସୁଛି । ଏହି କାରଣରୁ ଆମେରିକା ଏବଂ ଚୀନ ଅନେକ ଥର ମୁହାମୁହିଁ ହୋଇଛନ୍ତି । ଅନ୍ୟପଟେ ଗତ ୯ ମାସ ଧରି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ସାରା ଦୁନିଆରେ ଅସ୍ଥିରତା ଜାରି ରହିଛି । ଏବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଖୋଲାଖୋଲି ରଣ ହୁଂକାର ଦେଇଛନ୍ତି ।

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶର ଅସ୍ଥିର ଏବଂ ଅନିଶ୍ଚିତ ସୁରକ୍ଷାକୁ ଦର୍ଶାଇ ଚୀନ ଯୁଦ୍ଧର ପ୍ରସ୍ତୁତି ଉପରେ ଧ୍ୟାନ କେନ୍ଦ୍ରୀତ କରିବ ବୋଲି ଘୋଷଣା କରିଛନ୍ତି । ଚୀନର ସରକାରୀ ମିଡିଆ ଅନୁସାରେ, ସିସିଟିଭି ଅନୁସାରେ ଜିନପିଙ୍ଗ ଜୋର ଦେଇ କହିଛନ୍ତି ଯେ ବେଜିଂ ନିଜର ସୈନ୍ୟ ପ୍ରଶିକ୍ଷଣ ଏବଂ କୌଣସି ଯୁଦ୍ଧର ପ୍ରସ୍ତୁତିକୁ ଅଧିକ ମଜଭୁତ କରିବ ।

ଚୀନ ରାଷ୍ଟ୍ରପତିଙ୍କ ଏହି ଘୋଷଣା ତାଇୱାନ ପାଇଁ ବଡ଼ ବିପଦ ରୂପେ ଦେଖାଯାଉଛି । ତାଇୱାନକୁ ନିଜର ବୋଲି ଚୀନ ଦାବି କରି ଆସୁଛି । ଏପରିକି ବଳ ପୂର୍ବକ କବଜା ନେଇ ମଧ୍ୟ ଚେତାବନୀ ଦେଇସାରିଛି । ଆମେରିକ, ୟୁରୋପୀୟ ୟୁନିୟନ ଏବଂ ବ୍ରିଟେନ ମନ୍ତ୍ରୀଙ୍କ ତାଇୱାନ ଗସ୍ତ ପରେ ଚୀନ ବିଚଳତ ହୋଇ ଉଠିଥିବା ବିଶେଷଜ୍ଞ ଦାବି କରୁଛନ୍ତି ।

ବ୍ରିଟେନ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ସୋମବାର ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିୟନ ବେଜିଂରେ କହିଥିଲେ, ‘ଦୁନିଆରେ କେବଳ ଗୋଟିଏ ଚୀନ ଅଛି ଏବଂ ତାଇୱାନର ଏହା ଅଭିଚ୍ଛେଦ୍ୟ ଅଙ୍ଗ । ଚୀନ କୌଣସି ଦେଶକୁ ତାଇୱାନ ସହ କୁଟନୈତିକ ସମ୍ପର୍କ କିମ୍ୱା ଯେକୌଣସି ସରକାରୀ ଆଲୋଚନା ଖଣ୍ଡନ କରୁଛି । ୱାନ ଚୀନ ସିଦ୍ଧାନ୍ତ ବ୍ରିଟେନ-ଚୀନ ସମ୍ପର୍କର କୁଟନୈତିକ ଆଧାର ଅଟେ’।

ଝାଓ କହିଥିଲେ, ‘ଚୀନର ସ୍ଥିତିକୁ ବ୍ରିଟେନ ସମ୍ମାନ ଜଣାଇବା ଦରକାର ଏବଂ ତାଇୱାନ ସହ ସରକାରୀ ଆଲୋଚନା ବନ୍ଦ କରିବା ଦରକାର । ଏହାସହ ତାଇୱାନକୁ ଭୁଲ ସନ୍ଦେଶ ପଠାଇବା ବନ୍ଦ କରିବା ଦରକାର । ଏହି ଅବସରରେ ଚୀନ ମୁଖପାତ୍ର ତାଇୱାନର ଡେମୋକ୍ରେଟିକ ପ୍ରୋଗ୍ରେସିଭ ପାର୍ଟିକୁ ମଧ୍ୟ କଡ଼ା ଚେତାବନୀ ଦେଇଥିଲେ’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.