ଦୈନିକ କରୋନା ପଜିଟିଭ ସଂଖ୍ୟା ପ୍ରକାଶ କରିବନି ଚୀନ: ତଥ୍ୟ ଲୁଚାଇବାକୁ ଆଉ ଏକ ପ୍ରୟାସ

Published By : Prameya-News7 Bureau | December 25, 2022 IST

ବେଜିଂ: ଯେତେ ଲୁଚାଇଲେ ବି ଚୀନରେ କରୋନା ସଂକ୍ରମଣ ଏବେ କାହାକୁ ଅଛପା ନାହିଁ। ଦେଶ ବିଦେଶରେ ଚୀନର ସଂକ୍ରମଣ ଭୟାବହତା ଖବର ପହଞ୍ଚି ସାରିଛି। ଏପଟେ ସଂକ୍ରମଣ ରୋକିବାରେ ବିଫଳ ଥିବା ଚୀନ କରୋନା ଖବର ଲୁଚାଇବାକୁ ଚେଷ୍ଟା କରିଛି।

ଦେଶରେ କେତେ ସଂକ୍ରମିତ ଚିହ୍ନଟ ହେଲେ ସେ ନେଇ ଆଉ ତଥ୍ୟ ପ୍ରକାଶ କରାଯିବ ନାହିଁ ବୋଲି ଚୀନ ସରକାର ନିଷ୍ପତ୍ତି ନେଇଛନ୍ତି। ଚୀନ ଜାତୀୟ ସ୍ୱାସ୍ଥ୍ୟ କମିଶନ ଏହି ସୂଚନା ଦେଇଛି। ରବିବାର(୨୫ ଡିସେମ୍ବର) ଠାରୁ କୋରୋନା ସମ୍ପର୍କି ତଥ୍ୟ ପ୍ରକାଶ କରାଯିବ ନାହିଁ ବୋଲି ବିଭାଗ ସୂଚନା ଦେଇଛି। ରୟଟର୍ସରେ ଏନେଇ ଖବର ପ୍ରକାଶ ପାଇଛି।  

ଚୀନର କରୋନା କଟକଣା କୋହଳ ହେବା ପରେ ୨୦ ଦିନରେ ଦେଶରେ ୨୫୦ ମିଲିୟନ ସଂକ୍ରମିତ ଚିହ୍ନଟ। ହୋଇଥିବା ଡାଟା ଲିକ୍ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଛି।

ଚୀନର ଏନ୍‌ଏଚ୍‌ସି କହିଛି “ କେବଳ ଗବେଷଣା ପାଇଁ ସଂକ୍ରମଣ ସଂଖ୍ୟା ଓ ଆବଶ୍ୟକୀୟ ତଥ୍ୟ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଦ୍ୱାରା ପ୍ରକାଶପାଇବ।” ତେବେ ଚୀନ କାହିଁକି ଏମିତି ନିଷ୍ପତ୍ତି ନେଲା ଓ ସିଡିସି କେତେ ଥର ତଥ୍ୟ ପ୍ରକାଶ କରିବ ସେ ନେଇ କିନ୍ତୁ ଚୀନ ପକ୍ଷରୁ କିଛି କୁହାଯାଇ ନାହିଁ।  

ରେଡିଓ ଫ୍ରି ଏସିଆର ଖବର ଅନୁସାରେ ମାତ୍ର ୨୦ ଦିନରେ ୨୫୦ ମିଲିୟନ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ତଥ୍ୟ ସୋସିଆଲ୍‌ ମିଡିଆରେ ଲିକ୍ ହୋଇଗଲା। ଏଥିପାଇଁ ଚୀନ ତଥ୍ୟ ଲୁଚାଇବାକୁ ଏମିତି ନିଷ୍ପତ୍ତି ନେଇଛି। ଡିସେମ୍ବର ୧ରୁ ୨୦ ତାରିଖରେ ଭିତରେ ୨୪୮ ମିଲିୟନ ସଂକ୍ରମିତ ଚିହ୍ନଟ ହୋଇଥିବା ଲିକ୍ ତଥ୍ୟରେ କୁହାଯାଇଛି। ଯାହା ଚୀନ ଜନସଂଖ୍ୟାର ୧୭.୬୫ ପ୍ରତିଶତ।

ସଂକ୍ରମଣ ବଢ଼ୁଥିବାରୁ ବର୍ତ୍ତମାନ ଚୀନରେ ସମସ୍ତ ହସ୍‌ପିଟାଲ୍‌ ରୋଗୀରେ ଭର୍ତ୍ତି ହୋଇଯାଇଛନ୍ତି। ଆସନ୍ତା ବର୍ଷ ୧୦ ଲକ୍ଷରୁ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.