‘ଆଲିବାବା’ଙ୍କ ମନମାନୀକୁ ଚେକ୍ ଦେବ ଚୀନ୍: ଇ-କମର୍ସ କମ୍ପାନୀର ଏକଚାଟିଆ ନୀତି ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର
24/12/2020 at 4:50 PM

ବେଜିଂ ୨୪/୧୨: ବହୁ ପ୍ରତିଷ୍ଠିତ ଇ କମର୍ସ କମ୍ପାନୀ ଆଲିବାବାର ଏକଚାଟିଆ ନୀତି ବିରୋଧରେ ତାତିଲା ଚୀନ। କମ୍ପାନୀ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର। ତଦନ୍ତ ନିର୍ଦ୍ଦେଶ ମିଳିବା ପରେ ଜ୍ୟାକ୍ ମାଙ୍କ ଦ୍ବାରା ପ୍ରତିଷ୍ଠିତ କମ୍ପାନୀ ଆଲିବାବାକୁ ଘେରିବା ପାଇଁ ଚୀନର ନିୟାମକମାନେ ତଦନ୍ତ ଆରମ୍ଭ କରିଛନ୍ତି। ତେଣୁ ନିୟାମକମାନେ ଆଲିବାବାର ଅନଲାଇନ୍ ଫାଇନାନ୍ସ ସ୍ପିନ୍ଅଫ୍, ଆଣ୍ଟ ଗ୍ରୁପ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିବା ସହ ଇ-କମର୍ସ କମ୍ପାନୀ ଉପରେ ଚାପ ପକାଇବାକୁ ଚେଷ୍ଟା ଚଳାଇଥିବା ସୂଚନା ମିଳିଛି। ଆଲିବାବା ଗ୍ରୁପ୍ ହୋଲ୍ଡିଂସ୍ର ତଥାକଥିତ ଏକଚାଟିଆ ନୀତି ବିରୋଧରେ ତଦନ୍ତ ନିର୍ଦେଶ ଦିଆଯାଇଥିବା ନେଇ ମାର୍କେଟ ସୁପରଭିଜନ୍ ଆଡମିନିଷ୍ଟେ୍ରସନ୍ ପକ୍ଷରୁ ଗୁରୁବାର ସୂଚନା ମିଳିଛି।
ଏହା ସହ ମିଳିଥିବା ସୂଚନା ଅନୁସାରେ ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା, ଚାଇନା ବ୍ୟାଙ୍କ ନିୟାମକ ଆୟୋଗ, ଚାଇନା ସିକ୍ୟୁରିଟି ନିୟାମକ ଆୟୋଗ “ତଦାରଖ ଏବଂ ମାର୍ଗଦର୍ଶନ”ସମ୍ବନ୍ଧୀୟ ଆଲୋଚନା ପାଇଁ ଆଣ୍ଟ ଗ୍ରୁପକୁ ମଧ୍ୟ ଭେଟିବେ। ଆଲି ପେ’ର ବିକାଶ ପାଇଁ ଆଣ୍ଟ ଗ୍ରୁପ୍ କାର୍ଯ୍ୟ କରୁଥିବା ବେଳେ ଏହା ହେଉଛି ଏକ ପେମେଣ୍ଟ ସିଷ୍ଟମ୍। ବର୍ତ୍ତମାନ ସମୟରେ ଏହା ଚୀନ ଅର୍ଥନୀତି ପାଇଁ ନିହାତି ଜରୁରୀ। ସେପଟେ ନିୟାମକଙ୍କ ଆମନ୍ତ୍ରଣକୁ ରକ୍ଷା କରିବ ବୋଲି ଆଣ୍ଟ ଗ୍ରୁପ୍ ପକ୍ଷରୁ ସୂଚନା ମିଳିଛି।
ତେବେ ଗୁରୁବାର ସକାଳେ ହଙ୍କକଙ୍ଗ ଷ୍ଟକ୍ ଏକ୍ସଚେଞ୍ଜ ଖୋଲିବାର କେଇ ସମୟ ଭିତରେ ଆଲିବାବାର ସେୟାର ୫.୪୮ ପ୍ରତିଶତ ହ୍ରାସ ପାଇଛି। ଆଲିବାବା ଗ୍ରୁପ୍କୁ ନେଇ ଖବର ଆସିବାର କିଛି ସମୟରେ କମ୍ପାନୀ ଏଭଳି କ୍ଷତି ସହିଛି। ଅନ୍ୟପଟେ ନିୟାମକମାନେ ପୂର୍ବରୁ ଆଲିବାବାର “ଦୁଇଟିରୁ ଗୋଟିଏ ବାଛିବା”ଅଭ୍ୟାସ ବିଷୟରେ କମ୍ପାନୀକୁ ଚେତାବନୀ ଦେଇଥିଲେ । ଆଲିବାବା ଗ୍ରୁପ୍ର ଏକଚାଟିଆ ଅଭ୍ୟାସ ବିରୋଧରେ ଏବେ ଚୀନ ସରକାର ଏକ ପ୍ରକାର ପ୍ରତିକ୍ରିୟାଶୀଳ ହେଉଥିବା ଦେଖିବାକୁ ମିଳିଛି। ତେବେ ପିପୁଲ୍ସ ଡେଲିରେ ପ୍ରକାଶିତ ଏକ ସମ୍ପାଦକୀୟ ଅନୁସାରେ ଏକଚାଟିଆ ତଥା ପ୍ରତିଯୋଗୀତା ବିରୋଧୀ ଅଭ୍ୟାସକୁ ରୋକିବା ପାଇଁ ପ୍ରୟାସ ହେଉଛି ସମାଜବାଦୀ ବଜାର ଅର୍ଥନୀତି ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ବିକାଶ ପାଇଁ ପ୍ରୋତ୍ସାହନ ଦେବା।
ନଭେମ୍ବରରେ ବିଶ୍ବର ସର୍ବ ବୃହତ୍ତ ପ୍ରାରମ୍ଭିକ ସର୍ବସାଧାରଣ ଅଫର୍ ପାଇଁ ଆଣ୍ଟ ଗ୍ରୁପ୍, ଆଣ୍ଟ ଫାଇନାନସିଆଲ୍ ଏବଂ ଆଲି ପେ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ବେଜିଂ ବନ୍ଦ ହୋଇଯାଇଥିଲା ଠିକ୍ ସାଂଘାଇ ଏବଂ ହଙ୍କକଙ୍ଗରେ ବାଣିଜ୍ୟ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ | ସେହି ସମୟରେ ଏହି ବନ୍ଦକୁ ନେଇ ଆର୍ଥିକ ଟେକ୍ନୋଲୋଜି ନିୟାମକ ପରିବେଶରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗକୁ ଦାୟୀ କରାଯାଇଥିଲା। କିନ୍ତୁ ବିଶ୍ଳେଷକମାନେ ଏଥିରେ ହସ୍ତକ୍ଷେପକୁ ଜ୍ୟାକ୍ ମାଙ୍କ ପାଇଁ ଏହା ଚେତାବନୀ ବୋଲି କହିଥିଲେ। ଏପରି ହେବାର କିଛି ସମୟ ପୂର୍ବରୁ ମା ଆଇପିଓରେ ନିଜ ଭାଷଣରେ ନିୟନ୍ତ୍ରକମାନଙ୍କୁ ସମାଲୋଚନା କରିଥିଲେ।