ବେଜିଂ: ଚୀନ ସରକାରଙ୍କର କୋଭିଡ୍ ନୀତିକୁ ସମାଲୋଚନା କଲେ ବୋଲି ପ୍ରାୟ ୧୦୦୦ ସମାଲୋଚକଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ସସ୍ପେଣ୍ଡ କଲେ ଚୀନ ସରକାର। ବିବିସିରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଚୀନରେ ୱେଇବୋ(Weibo) ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏନେଇ ଏକ ବୟାନ ଜାରି କରି କହିଛି ଯେ ଚୀନର କୋଭିଡ୍ ବିଶେଷଜ୍ଞଙ୍କ ଉପରେ ବ୍ୟକ୍ତିଗତ ଟାର୍ଗେଟ୍ ଯୋଗୁ କମ୍ପାନୀ କିଛି ଆକାଉଣ୍ଟକୁ ବ୍ୟାନ୍ କରିଛି। ତେବେ ଏନେଇ ଅଧିକ କୌଣସି ସୂଚନା ଦିଆଯାଇ ନାହିଁ।
ସୂଚନା ଅନୁସାରେ ଓେଇବ ପାଖରେ ୧୩ ହଜାର ନିୟ ଉଲ୍ଲଂଘନ ଅଭିଯୋଗ ରହିଛି। ସେଥିମଧ୍ୟରେ ଏକ୍ସପର୍ଟଙ୍କ ଉପରେ ଆକ୍ରମଣ, ଧର୍ମଗୁରୁ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଟାର୍ଗେଟ ଭଲି ମାମଲା ରହିଛି। ୧୧୨୦ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି ବୋଲି କମ୍ପାନୀ କହିଛି।
ଚୀନ ସରକାରଙ୍କର ଜିରୋ କୋଭିଡ୍ ନୀତିକୁ ନେଇ ଗତବର୍ଷ ନଭେମ୍ବରରେ ଦେଶବ୍ୟାପୀ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ସୋସିଆଲ୍ ମିଡିଆରେ ମଧ୍ୟ ଚୀନ ସରକାରଙ୍କର ନୀତି ବିରୋଧରେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା। ଏନେଇ କିଛି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏଥିପାଇଁ କମ୍ପାନୀ ଆକାଉଣ୍ଟ ବ୍ୟାନ୍ କରିଥାଇପାରେ ବୋଲି କୁହାଯାଉଛି।