ଚୀନରେ ଗୋଟିଏ ମାସରେ କରୋନାରେ ୬୦,୦୦୦ ଲୋକଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଜାରି କଲା ଡାଟା
14/01/2023 at 7:36 PM

ନୂଆଦିଲ୍ଲୀ: କରୋନା ତଥ୍ୟ ଲୁଚାଉଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନକୁ ସମାଲୋଚନା କରିଥିଲା । ଏହାରି ଭିତରେ ଶନିବାର ବେଜିଂ ସୂଚନା ଦେଇ କହିଛି ଯେ ଗତ ୩୦ ଦିନ ଭିତରେ ସାରା ଦେଶର ହସ୍ପିଟାଲରେ ୫୯,୯୩୮ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସବୁ ମୃତ୍ୟୁ କରୋନା ଜନତ ଥିଲା ।
ଚୀନର ସରକାରୀ ମିଡିଆ ଅନୁସାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଶନିବାର କହିଛି ଯେ ଡିସେମ୍ୱର ୮ରୁ ଜାନୁଆରୀ ୧୨ ମଧ୍ୟରେ ହସ୍ପିଟାଲରେ ମୃତ ଲୋକଙ୍କ ସଂଖ୍ୟା ୫୯,୯୩୮ ରହିଛି । କରୋନା ସଂକ୍ରମଣ ପରେ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ୫,୫୦୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ କରୋନା ସହ କ୍ୟାନ୍ସର ଏବଂ ହୃଦରୋଗ ଯୋଗୁଁ ୫୪,୪୩୫ ଜଣଙ୍କ ମୃତ୍ୟୁ ହୋଇଛି ।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟରେ କୁହାଯାଇଛି ଯେ ମୃତକଙ୍କ ହାରାହାରି ବୟସ ୮୦.୩ ବର୍ଷ । ଚୀନ ନିଜର ଜିରୋ କୋଭିଡ୍ ପଲିସି ହଟାଇବା ପରେ ଦୈନିକ ସଂକ୍ରମଣ ଡାଟା ଜାରି କରିବା ବନ୍ଦ କରିଦେଇଛି । ପ୍ରାୟ ତିନି ବର୍ଷ ପରେ ଜାନୁଆରୀ ୮ରେ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ନିଜ ସୀମାକୁ ଚୀନ ପୁଣି ଥରେ ଖୋଲିଥିଲା ।