କରୋନା ଭୟାବହତା: ସପ୍ତାହକ ଭିତରେ ଚୀନ ହସ୍ପିଟାଲ୍ରେ ହୋଇଛି ୧୩ ହଜାର ମୃତ୍ୟୁ
22/01/2023 at 6:07 PM

ବେଜିଂ: ସପ୍ତାହକ ଭିତରେ ଚୀନ ହସ୍ପିଟାଲଗୁଡ଼ିକରେ କୋଭିଡ-୧୯ ଯୋଗୁ ୧୩ ହଜାର ରୋଗୀଙ୍କର ମୃତ୍ୟୁ ହୋଇଛି। ଜାନୁଆରୀ ୧୩ ତାରିଖରୁ ୧୯ ତାରିଖ ମଧ୍ୟରେ ଏତେ ସଂଖ୍ୟକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ଚୀନର ଅଧିକାଂଶ ଲୋକେ ସଂକ୍ରମିତ ହୋଇଥିବା ଚୀନ ସରକାର ସୂଚନା ଦେଇସାରିଛନ୍ତି। ଏବେ ମୃତ୍ୟୁ ସଂଖ୍ୟାର ହିସାବ ଚୀନକୁ ଚିନ୍ତାରେ ପକାଇଛି।
ସପ୍ତାହେ ପୂର୍ବରୁ ଚୀନ କହିଥିଲା ଯେ ଜାନୁଆରୀ ୧୨ ତାରିଖ ପୂର୍ବରୁ ଦେଶରେ ୬୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଏହି ତଥ୍ୟ ଆହୁରି ଅଧିକ ବୋଲି କୁହାଯାଉଛି। କାରଣ ଚୀନ ସରକାର କେବଳ ହସ୍ପିଟାଲ୍ରେ ମୃତ୍ୟୁ ହୋଇଥିବା ରୋଗୀ ସଂଖ୍ୟାକୁ କହୁଛନ୍ତି। ହେଲେ କରୋନାରେ ଘରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ଉହ୍ୟ ରହିଯାଉଛି।

କରୋନା ସଂକ୍ରମଣ ପରଠାରୁ ଚୀନ କଡ଼ା କଟଣା ଲଗାଇଥିଲା। ହେଲେ କଟକଣା ଲୋକେ ଅତିଷ୍ଟ ହୋଇ ରାସ୍ତାକୁ ଓହ୍ଲାଇବା ପରେ ଡିସେମ୍ବର ମାସରେ ଏଥିରେ କୋହଳ କରାଯାଇଥିଲା। କଟକଣା କୋହଳ ହେବା ପରେ ଦେଶରେ ସଂକ୍ରମଣ ବଢ଼ିଛି।
ଶନିବାର ଚୀନ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ(ଚୀନ ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର(ସିଡିସି)) ପକ୍ଷରୁ କରୋନାରେ ମୃତ୍ୟୁ ସଂଖ୍ୟା ଉପରେ ସୂଚନା ଦିଆଯାଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୬୮୧ କରୋନା ରୋଗୀଙ୍କର ସ୍ୱାସକ୍ରିୟା ଜନିତ ସମସ୍ୟା ପାଇଁ ମୃତ୍ୟୁ ହୋଇଥିବା ବେଳେ ୧୧,୯୭୭ ଜଣ ସଂକ୍ରମଣ ସହ ଥିବା ଅନ୍ୟାନ୍ୟ ରୋଗ ପାଇଁ ମୃତ୍ୟୁ ମୁଖରେ ପଡ଼ିଛନ୍ତି ବୋଲି ସିଡିସି କହିଛି। ତେବେ ଯେଉଁମାନଙ୍କର ଘରେ ମୃତ୍ୟୁ ହୋଇଛି ସେମାନଙ୍କୁ ଏହି ତାଲିକାରେ ଯୋଡ଼ାଯାଇ ନାହିଁ।

ଏପଟେ ଦେଶରେ ଲୁନାର ନ୍ୟୁୟର ପାଳନ କରାଯାଉଥିବାରୁ ମୃତ୍ୟୁ ସଂଖ୍ୟାରେ ଆହୁରି ବୃଦ୍ଧି ହେବ। ଦୈନିକ ମୃତ୍ୟୁ ସଂଖ୍ୟା ୩୬ ହଜାର ଉପରେ ରହିବ ବୋଲି ବ୍ରିଟେନ୍ର ଏୟାରଫିନିଟି ନାମକ ଏକ ପୂର୍ବାନୁମାନ କରିଛି। ସଂସ୍ଥା କହିଛି ଯେ ଚୀନ ଡିସେମ୍ବର ମାସରୁ କୋଭିଡ କଟକଣା କୋହଳ କରିବା ପରେ ଦେଶରେ ୬୦୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ। କାରଣ ଲୁନାର ନ୍ୟୁୟର ପାଳନ ପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ଚୀନ ନାଗରିକ ପରିବାରକୁ ଛୁଟି କାଟିବାକୁ ଫେରୁଛନ୍ତି। ଫଳରେ ଗମନାଗମନ ବଢ଼ିଥିବାରୁ ସଂକ୍ରମଣ ଭୟ ଦେଖାଦେଇଛି।
ତେବେ ଚୀନ ସିଡିସି ମୁଖ୍ୟ ୱୁ ଜୁନୟୁ କହିଛନ୍ତି ଚୀନରେ ୮୦ ପ୍ରତିଶତ ଲୋକ ସଂକ୍ରମିତ ହୋଇସାରିଛନ୍ତି। ଏବେ ଛୁଟି ପାଇଁ ଗମନାଗମନ ବଢ଼ିଥିବାରୁ ସଂକ୍ରମଣ ବଢିପାରେ। ହେଲେ ଆଗାମୀ ଦୁଇ ତିନା ମାସ ପର୍ଯ୍ୟନ୍ତ ଦ୍ୱିତୀୟ ଲହରର ଭୟ ନାହିଁ ବୋଲି ସେ କହିଛନ୍ତି।