ଜିନପିଙ୍ଗଙ୍କ ବିରୋଧରେ ବିଦ୍ରୋହ: ଚୀନରେ ଉଠିଲା ସ୍ଵର, ଦେଶକୁ ବରବାଦ କରୁଛନ୍ତି ରାଷ୍ଟ୍ରପତି
18/08/2020 at 9:04 PM

ବେଜିଂ ୧୮।୦୮: ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏବେ ନିଜ ଦେଶରେ ହନ୍ତସନ୍ତ ହେବାକୁ ପଡିଛି। ଦେଶ ଭିତରେ ଜିନପିଙ୍ଗଙ୍କ ବିରୋଧରେ ଉଠିଲା ବିରୋଧର ସ୍ଵର। ଲୋକେ ଜିନପିଙ୍ଗଙ୍କ ଉପରେ ଦେଶ ଓ ପାର୍ଟିକୁ ବରବାଦ୍ କରୁଥିବା ଅଭିଯୋଗ କରିଛନ୍ତି। ଚୀନର ପ୍ରସିଦ୍ଧ ସେଣ୍ଟ୍ରାଲ ପାର୍ଟି ସ୍କୁଲର ପୂର୍ବତନ ପ୍ରଫେସର ତଥା ଚୀନ କମ୍ୟୁନିଷ୍ଟ ପାର୍ଟିର ନେତା କାଇ ସିଆ ଅଭିଯୋଗ କରିଛନ୍ତି ଯେ ଜିନପିଙ୍ଗ ମାଫିଆ ବୋସ୍ ହେବାକୁ ଚେଷ୍ଟା କରୁଛନ୍ତି। ଚୀନ ରାଷ୍ଟ୍ରପତିଙ୍କୁ ସମାଲୋଚନା କରାଯାଉଥିବାର ଏକ ଅଡିଓ ମଧ୍ୟ ଭାଇରାଲ ହୋଇଛି। ଏହା ପରେ କାଇ ସିଆଙ୍କୁ ପାର୍ଟିରୁ ବହିଷ୍କାର କରାଯାଇଛି।
ଗତ ବର୍ଷରୁ ଆମେରିକାରେ ରହୁଥିବା କାଇ ସିଆ ଦ ଗାର୍ଡିୟନ ସହ କଥାବାର୍ତ୍ତା ବେଳେ କହିଛନ୍ତି ସି ଜିନପିଙ୍ଗଙ୍କଠାରେ ଅସୀମିତ ଶକ୍ତି ରହିଛି। ଦେଶରେ ତାଙ୍କୁ କେହି ହେଲେ ବିରୋଧ କରୁ ନାହାନ୍ତି। ଚୀନ ଓ ଆମେରିକା ମଧ୍ୟରେ ସଂଘର୍ଷ ସାରା ଦୁନିଆ ଦେଖୁଛି। ଜିନପିଙ୍ଗ ଚୀନକୁ ପୂରା ଦୁନିଆର ଶତ୍ରୁ କରି ସାରିଲେଣି। ଦେଶର ସମସ୍ୟା ଉପରୁ ଜନତାଙ୍କ ଧ୍ୟାନ ହଟାଇବା ପାଇଁ ଜିନପିଙ୍ଗ ଅନ୍ୟ ଦେଶ ସହ ଶତ୍ରୁତା କରୁଥିବା ସେ କହିଛନ୍ତି। ଏକ ରଣନୈତିକ ଏଜେଣ୍ଡା ଆଧାରରେ ଏସବୁ କରାଯାଉଥିବା ସିଆ କହିଛନ୍ତି।

କରୋନା ଭୂତାଣୁ ସଂକ୍ରମଣ ପାଇଁ ସେ ଚୀନକୁ ସିଧାସଳଖ ଦାୟୀ କରିଛନ୍ତି। ସିଆ କହିଛନ୍ତି ଉହାନର ମହାମାରୀ ପୂରା ଦୁନିଆରେ ବ୍ୟାପି ଯାଇଛି ଏବଂ ଏଥିରେ ପୂରା ବିଶ୍ଵର ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଯାଇଛି। ନିଜ ଦେଶରେ ମୃତ୍ୟୁ ସଂଖ୍ୟାକୁ ନେଇ ଚୀନ ସତ୍ୟ ଛୁପାଇ ରଖିଛି। ଜାନୁଆରୀ ୭ରେ ହିଁ ଚୀନ ସରକାରକୁ କରୋନା ସଂକ୍ରମଣର ସୂଚନା ମିଳି ସାରିଥିଲା ହେଲେ ଜିନପିଙ୍ଗ ସରକାର ଜାନୁଆରୀ ୨୦ ପର୍ଯ୍ୟନ୍ତ ଏହାକୁ ଦବାଇ ରଖି ବିଶ୍ଵ ସମୁଦାୟକୁ ଅବଗତ କରାଇଲେ ନାହିଁ।
କାଇ ସିଆ କହିଛନ୍ତି ତାଙ୍କୁ ପାର୍ଟିରୁ ବହିଷ୍କାର କରାଯାଇଛି। ସେ ସଂପ୍ରତି ଦେଶ ବାହାରେ ଅଛନ୍ତି। ଏଥିପାଇଁ ଏବେ ସେ ଚୀନ ଶାସନ ବିରୋଧରେ ଖୋଲାଖୋଲି କହିବାକୁ ସ୍ଵତନ୍ତ୍ର। ଏବେ ମୋର ଭାଷଣ କୌଣସି ପ୍ରକାରର ବାଧାରୁ ମୁକ୍ତ ରହିଛି। କାଇ ସିଆଙ୍କ ପିତା ଚୀନର ସ୍ଵାଧୀନତାରେ ସକ୍ରିୟ ଭୂମିକା ନିଭାଇଥିଲେ। ଏହି କାରଣରୁ ସିଆଙ୍କୁ ଚୀନ କମ୍ୟୁନିଷ୍ଟ ପାର୍ଟିର ଆଜୀବନ ସଦସ୍ୟ କରାଯାଇଥିଲା।
ଚୀନ ମାମଲାର ବିଶେଷଜ୍ଞ ତଥା ଚାଇନ ନେଇସାନ ମିଡିଆ ଆଉଟଲେଟ୍ର ସହ ସଂସ୍ଥାପକ ଏଡମି ନି କହିଛନ୍ତି କରୋନା ଭାଇରସ୍ ମହାମାରୀ ସି ଜିନପିଙ୍ଗଙ୍କ ଚୀନ କମ୍ୟୁନିଷ୍ଟ ପାର୍ଟି ଉପରେ କେତେ ପ୍ରାଧ୍ୟାନ୍ୟ ରହିଛି ତାହା ଏଥିରୁ ସ୍ପଷ୍ଟ ହୋଇ ଯାଇଛି।