ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି, ଭାରତ ସରକାର ଚେଇଁ ଶୋଇଛନ୍ତି: ରାହୁଲ ଗାନ୍ଧୀ
16/12/2022 at 6:31 PM

ଜୟପୁର: ଭାରତ ଉପରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଛି ଆଉ ଭାରତ ସରକାର ଶୋଇଛନ୍ତି ବୋଲି ରାହୁଲ କହିଛନ୍ତି। ଭାରତ ଯୋଡ଼ ଯାତ୍ରାରେ ରାଜସ୍ଥାନରେ ଥିବା ରାହୁଲ ସେଠାରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।
ରାହୁଲ କହିଛନ୍ତି ଯେ ମୋତେ ଯାହା ଲାଗୁଛି ଚୀନ କେବଳ ଅନୁପ୍ରବେଶ କରୁ ନାହିଁ ସେ ପୂରା ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି। ଆଉ ଭାରତ ସରକାର ଶୋଇ ରହିଛନ୍ତି। କେନ୍ଦ୍ର ସରକାର ଏହାକୁ ଲୁଚାଇ ରଖିବାକୁ ଚାହୁଁଛନ୍ତି। ମୁଁ ଦୁଇ ତିନ ବର୍ଷ ହେଲା ଏହା କହି ଆସିଲିଣି। ହେଲେ ଏଭଳି ଘଟଣା କେବେ ଲୁଚି ରହିବ ନାହିଁ ବୋଲି ରାହୁଲ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ମୁଁ ସରକାରଙ୍କୁ ଚେତାଇ ସାରିଛି। ଚୀନ ଅରୁଣାଚଳ ପ୍ରଦେଶ ଓ ଲଦାଖ ସାଇଟ୍ରେ ଚୀନ ପ୍ରସ୍ତୁତି କରୁଛି। ହେଲେ ସରକାର ସବୁ ଜାଣି କଥା ଲୁଚାଉଛନ୍ତି।
ନିକଟରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇଥିଲେ। ୩୦୦ରୁ ଅଧିକ ଚୀନ ଯବାନ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। ଭାରତ ଯବାନମାନେ ତାଙ୍କୁ ପିଟି ପିଟି ବିଦା କରିଥିଲେ। ଉଭୟ ସାଇଟ୍ରୁ ସେନା ପ୍ରତ୍ୟାହାର ହୋଇଥିଲା।
ଏହାକୁ ନେଇ ସଂସଦର ଉଭୟ ସଦନରେ ବିରୋଧୀ ଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହାକୁ ନେଇ କଂଗ୍ରେସ ନେତାମାନେ ମଧ୍ୟ ଗୃହତ୍ୟାଗ କରିଥିଲେ।
ସୂଚନା ଥାଉକି କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ୧୦୦ ଦିନ ପୂରିଛି। ସେପ୍ଟେମ୍ବର ୭ ତାରିଖରୁ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ ହୋଇ ୨୬୦୦ କିମି ଅତିକ୍ରମ କରି ବର୍ତ୍ତମାନ ରାଜସ୍ଥାନରେ ପହଞ୍ଚିଛି। ରାହୁଲଙ୍କ ସମେତ ଅନ୍ୟ କଂଗ୍ରେସ ନେତା ରାଜସ୍ଥାନରେ ୫୦୦ କିମି ଭ୍ରମଣ କରିଛନ୍ତି। ଏଠାରୁ ପୁଣି ଡିସେମ୍ବର ୨୧ ତାରିଖରେ ହରିୟାଣାରୁ ଯାତ୍ରା ଆରମ୍ଭ ହେବ।