ଗଲଓ୍ବାନରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥିଲା ଚୀନର ଷଡ଼ଯନ୍ତ୍ର, ଆମେରିକୀୟ କମିଶନଙ୍କ ରିପୋର୍ଟରେ ଆସିଲା ସଙ୍ଗୀନ ତଥ୍ୟ
2/12/2020 at 5:01 PM

ଓ୍ବାସିଂଟନ ୦୨/୧୨: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଗଲଓ୍ବାନ ଘାଟି ଘଟଣା ପାଇଁ ଚୀନ ଷଡ଼ଯନ୍ତ୍ର କରିଥିବା ଜଣାପଡ଼ିଛି। ଗଲଓ୍ବାନ ଘାଟିରେ ଚୀନ ସେନା ଭିଆଇଥିବା ହିଂସା ପାଇଁ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ତେବେ ସେଠାରେ ଉପୁଜିଥିବା ଉତ୍ତେଜନା ସ୍ଥିତିକୁ ନୀୟନ୍ତ୍ରଣ କରିବା ପାଇଁ ଭାରତ-ଚୀନ ମଧ୍ୟରେ ଏବେ ବି ଆଲୋଚନା ଜାରି ରହିଛି। କିନ୍ତୁ ଗଲଓ୍ବାନ ଘଟଣା ଅକସ୍ମାତ ନୁହେଁ ବରଂ ଚୀନ ଜାଣିଶୁଣି ଯୋଜନା ସହ କରାଇଥିବା ଜଣାପଡ଼ିଛି। ଏନେଇ ଆମେରିକାର ଏକ ମହତ୍ବପୂର୍ଣ୍ଣ ଆୟୋଗ ନିଜ ରିପୋର୍ଟରେ ପ୍ରକାଶ କରିଛି।
ରିପୋର୍ଟରେ ପ୍ରକାଶିତ ତଥ୍ୟ ହିଁ ଚୀନର ଅସଲ ମୁଖା ପଦାରେ ପକାଇଛି। କିଛି ଏଭଳି ତଥ୍ୟ ହସ୍ତଗତ ହୋଇଛି ଯାହା ଆଧାରରେ ରିପୋର୍ଟ ତିଆରି ହୋଇଛି। ରିପୋର୍ଟ କହୁଛି ଗଲଓ୍ବାନ ଘାଟି ଘଟଣା ପାଇଁ ଚୀନ ଯୋଜନା କରିଥିଲା। ଯେଉଁଥରେ ଯବାନମାନଙ୍କ ଜୀବନ ଯିବାର ବି ଆଶଂକା କରିଥିଲେ ଚୀନ ସରକାର। ଆାମେରିକା-ଚୀନ ଆର୍ଥିକ ସୁରକ୍ଷା ସମୀକ୍ଷା ଆୟୋଗର ରିପୋର୍ଟରେ ଏହି ତଥ୍ୟ ଉନ୍ମୋଚନ ହୋଇଥିବା ବେଳେ ଏହାକୁ ଆମେରିକା ସଂସଦ ପାଇଁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।
ଗଲଓ୍ବାନ ଘଟଣାର କିଛି ସପ୍ତାହ ପୂର୍ବରୁ ଚୀନ ରକ୍ଷାମନ୍ତ୍ରୀ ମିଲିଟାରି ଫୋର୍ସ ବ୍ୟବହାର ନେଇ କହିଥିଲେ। ତା ପରେ ହିଁ ଏଭଳି ହିଂସା ଭାରତ-ଚୀନ ସୀମାରେ ଘଟିଥିଲା। ଯାହା ଦ୍ବାରା ୧୯୭୫ ପରେ ପ୍ରଥମ ଥର ବହୁ ଯବାନ ସହିଦ ହୋଇଥିଲେ। ଏହା ସହ ଗଲଓ୍ବାନ ଘଟଣା ପୂର୍ବରୁ ଗଲଓ୍ବାନ ଘାଟିରେ ଚୀନ ପକ୍ଷରୁ ବ୍ୟାପକ ନିର୍ମାଣ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିବା ସହ ୧୦୦୦ ଚୀନ ସୈନ୍ୟ ଠୁଳ ହୋଇଥିବା ନେଇ ସାଟେଲାଇଟ୍ ଚିତ୍ରରେ ସ୍ପଷ୍ଟ ହୋଇଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
ତେବେ ଏହି ଆୟୋଗକୁ କେହି କେହି ଆମେରିକା-ଚୀନ ଆୟୋଗ ବୋଲି କୁହନ୍ତି । ଏହା ଆମେରିକା ସରକାରଙ୍କ ସଂସଦୀୟ ଆୟୋଗ। ଅକ୍ଟୋବର ୨୦୦୦ରେ ତିଆରି ହୋଇଥିବା ଏହି ଆୟୋଗ ଆମେରିକା ଓ ଚୀନ ମଧ୍ୟରେ ରାଷ୍ଟ୍ରୀୟ ସୁରକ୍ଷା ଓ ବ୍ୟାପାର ମାମଲାର ତଦାରଖ କରିଥାଏ।