ୟୁକ୍ରେନ ସଂକଟ ମଧ୍ୟରେ ରୁଷ ମାଟିରେ ଓହ୍ଲାଇଲେ ଜିନପିଙ୍ଗ, ଜାଣନ୍ତୁ ଯୁଦ୍ଧ ଭିତରେ ଗସ୍ତର ଗୁରୁତ୍ୱ

Published By : Prameya-News7 Bureau | March 20, 2023 IST

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଜାରି ଯୁଦ୍ଧ ଭିତରେ ପ୍ରଥମ ଥର ପାଇଁ ମସ୍କୋରେ ପହଞ୍ଚିଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ । ସୋମବାର ଚୀନ ରାଷ୍ଟ୍ରପତି ନିଜର ତିନି ଦିନିଆ ରୁଷ ଯାତ୍ରା ପାଇଁ ମସ୍କୋରେ ପହଞ୍ଚିଛନ୍ତି । ୟୁକ୍ରେନ ଯୁଦ୍ଧ ଭିତରେ ପୁଟିନ ପ୍ରଥମ ଥର ପାଇଁ କୌଣସି ବିଶ୍ୱ ନେତାଙ୍କୁ ରୁଷରେ ସ୍ୱାଗତ କରିଛନ୍ତି । ଜିନପିଙ୍ଗଙ୍କ ଏହି ଯାତ୍ରା ଜରିଆରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପୁଟିନ ନିଜ ଶକ୍ତି ଦେଖାଉଥିବା ଦାବି କରାଯାଉଛି ।

ଜିନପିଙ୍ଗଙ୍କ ଏହି ଗସ୍ତ ଦୁହିଁଙ୍କ ଅସୀମିତ ବନ୍ଧୁତାକୁ ଅଧିକ ମଜଭୁତ କରିବ ବୋଲି ଉଭୟ ଚୀନ ଏବଂ ରୁଷ କହିଛନ୍ତି । ଚୀନ ନିଜର ଉର୍ଜା ଆଧାରିକ ଅର୍ଥନୀତିର ଚାହିଦାକୁ ପୂରଣ କରିବା ପାଇଁ ରୁଷକୁ ତେଲ ଏବଂ ଗ୍ୟାସର ଉତ୍ସ ରୂପେ ଦେଖୁଛି । ଏହାସହ ବିଶ୍ୱରେ ଆମେରିକାର ହସ୍ତକ୍ଷେପକୁ ଉଭୟ ଦେଶ ବିରୋଧ କରି ଆସୁଛନ୍ତି ।

କ୍ରେମଲିନ ମୁଖପାତ୍ରା ଡିମିତ୍ରୀ ପେସକୋଭ କହିଛନ୍ତି ଯେ ସୋମବାର ରାତ୍ରୀ ଭୋଜନ ପରେ ପୁଟିନ ଏବଂ ଜିନପିଙ୍ଗ ୟୁକ୍ରେନ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହି ସମୟରେ ରୁଷ ରାଷ୍ଟ୍ରପତି ପୁଟିନ ବର୍ତ୍ତମାନ ସ୍ଥିତି ଉପରେ ମସ୍କୋର ଅଭିମୁଖ୍ୟକୁ ବିସ୍ତାରରେ ବର୍ଣ୍ଣନା କରିପାରନ୍ତି । ଏହାସହ ମଙ୍ଗଳବାର ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ବିସ୍ତୃତ ଭାବେ ବୃହତ ଆଲୋଚନା ହେବ ।

ଅନ୍ୟପଟେ ସୋମବାର ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ ୱେନବିନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଏହି ଗସ୍ତକୁ ‘ବନ୍ଧୁତା, ସହଯୋଗ ଏବଂ ଶାନ୍ତିର ଯାତ୍ରା’ ବୋଲି କହିଛନ୍ତି । ଯୁଦ୍ଧ ଉପରେ ୱାଙ୍ଗ କହିଛନ୍ତି, 'ୟୁକ୍ରେନ ସଂକଟ ଉପରେ ଚୀନ ନିଜ ଅଭିମୁଖ୍ୟ ଏବଂ ସ୍ଥିତିକୁ ଦୃଢତାର ଉତ୍ଥାପନ କରିବ । ଏହାସହ ଶାନ୍ତି ଆଲୋଚନାରେ ଏକ ଗଠନାତ୍ମକ ଭୂମିକା ଗ୍ରହଣ କରିବେ' ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.