କରୋନା ପାଇଁ ଚୀନ୍ରେ ସବୁ ଗଡବଡ, ଘୁଞ୍ଚିବ ସଂସଦର ବାର୍ଷିକ ଅଧିବେଶନ !
18/02/2020 at 3:09 PM

ବେଜିଂ ୧୮।୦୨: ଚୀନ୍ରେ ବ୍ୟାପକ ଭାବେ ମାଡିଚାଲିଛି ମାରାତ୍ମକ କରୋନା ଭୂତାଣି । କରୋନା ସଂକ୍ରମଣ ଯୋଗୁ ଏବେ ନିଜ ଦେଶର ସଂସଦ (ନ୍ୟାସନାଲ ପିପୁଲସ କଂଗ୍ରେସ)ର ବାର୍ଷିକ ଅଧିବେଶନକୁ ବାତିଲ କରିବାକୁ ବିଚାର କରୁଛି ଚୀନ୍ । ବର୍ତ୍ତମାନ ଚୀନ୍ ସଂସଦରେ ପ୍ରାୟ ୩୦୦୦ ସଦସ୍ୟ ଅଛନ୍ତି ।

ବାର୍ଷିକ ଅଧିବେଶନ ଜରିଆରେ ଦେଶରେ କ୍ଷମତାରେ ଥିବା କମ୍ୟୁନିଷ୍ଟ ପାର୍ଟି ନିଜର ସ୍ବଚ୍ଛ ଭାବମୂର୍ତ୍ତିକୁ ଆହୁରି ଉଜ୍ଜ୍ୱଳ କରିବାକୁ ଚେଷ୍ଟା କରିଥାଏ । ଆସନ୍ତା ମାର୍ଚ୍ଚ ୫ରେ ଏହି ଅଧିବେଶନ ଆରମ୍ଭ ହେବାର ଥିଲା । ମାତ୍ର କରୋନା ଯୋଗୁ ଏବେ ଏହା ବିଳମ୍ବିତ ହେବାର ସମ୍ଭାବନା ରହିଛି ।

୧୯୭୦ ମସିହା ପର ଠାରୁ ଚୀନ୍ ସଂସଦର ଅଧିବେଶନ କେବେବି ବିଳମ୍ବିତ ହୋଇନାହିଁ । ଏମିତିକି ୨୦୦୩ରେ ଚୀନ୍ରେ ସାର୍ସ ଭାଇରସ ବ୍ୟାପିବା ଯୋଗୁ ଗୁରୁତର ସଂକଟ ସୃଷ୍ଟି ହୋଇଥିଲେ ମଧ୍ୟ ସଂସଦ ଅଧିବେଶନକୁ ବିଳମ୍ବିତ କରାଯାଇନଥିଲା । ହେଲେ ଏବେ ଏପରି ପଦକ୍ଷେପ ନିଆଯାଉଥିବାରୁ ଚୀନ୍ରେ କରୋନା ଜନିତ ସଂକଟ କେତେ ଗୁରୁତର ରୂପ ଧାରଣ କରିଛି, ତାହାର ଆଭାସ ମିଳିସାରିଛି ।

ଯାହା ମନେହେଉଛି ବେଜିଂରେ ବି କରୋନା ଭୟଙ୍କର ଭାବେ ବ୍ୟାପିଛି । ଚୀନ୍ ସରକାର କରୋନା ସମ୍ପର୍କିତ ଅନେକ ତଥ୍ୟ ଲୁଚାଉଥିବାର ଅଭିଯୋଗ ଆସୁଛି । ତେଣୁ ବେଜିଂରେ କରୋନା ସଂକ୍ରମଣର ପ୍ରକୃତ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରୁନାହିଁ ।
