ବେଜିଂ ୩୦।୬: ଚୀନ୍ ଜି-୨୦ ନେତାଙ୍କ ଆଗାମୀ ବର୍ଷ ହେବାକୁ ଥିବା ବୈଠକ ଜମ୍ମୁ-କାଶ୍ମୀରରେ ଆୟୋଜନ କରିବା ପାଇଁ ଭାରତର ଯୋଜନା ସମ୍ପର୍କିତ ଖବରରେ ଗୁରୁବାର ନିଜର ପ୍ରତିକ୍ରିୟା ରଖିଛି। ସମ୍ବଦ୍ଧିତ ପକ୍ଷଙ୍କୁ ପ୍ରସଙ୍ଗରେ ରାଜନୈତିକ ରଙ୍ଗ ନ ବୋଳିବାକୁ କହିଛି। ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିୟାନ ଗୁରୁବାର ମିଡିଆ ବ୍ରିଫିଙ୍ଗରେ ଅଧିକାରୀକ ମିଡିଆର ଏକ ପ୍ରଶ୍ନର ଉତ୍ତର ଦେଇ କାଶ୍ମୀରକୁ ନେଇ ଚୀନ୍ର ମନଭାବ ବିଲକୁଲ ସ୍ପଷ୍ଟ ବୋଲି କହିଛନ୍ତି।
ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମରୁ ଚାଲି ଆସୁଥିବା ଏକ ପ୍ରସଙ୍ଗ। ଜାତିସଂଘର ସମ୍ବଦ୍ଧିତ ପ୍ରସ୍ତାବ ଓ ଦ୍ୱିପକ୍ଷୀୟ ସହମତିରେ ଉଚିତ ସମାଧାନ ବାହାର କରିବା ଦରକାର । ସେହିପରି ସମ୍ପର୍କିତ ପକ୍ଷ ଏକପାଖିଆ ପଦକ୍ଷେପ ସହ ପରିସ୍ଥିତିକୁ ଜଟିଳ କରିବାରୁ ନିବୃତ୍ତ ରହିବା ଦରକାର ବୋଲି ଝାଓ କହିଛନ୍ତି। ସେ କହିଛନ୍ତି ଯେ ଆମକୁ କଥାବାର୍ତ୍ତା ଓ ଆଲୋଚନାରେ ବିବାଦର ସମାଧାନ କରିବାକୁ ହେବ। ମିଳିମିଶି ଶାନ୍ତି ଓ ସ୍ଥିରତା କାୟମ କରିବା ଜରୁରି।
ସେ କହିଛନ୍ତି ଯେ ଜି-୨୦ ଅନ୍ତର୍ଜାତୀୟ ଆର୍ଥିକ ସହଯୋଗ ଲାଗି ଏକ ପ୍ରମୁଖ ମଞ୍ଚ। ଏଣୁ ସମ୍ବଦ୍ଧିତ ପକ୍ଷଙ୍କୁ ଆର୍ଥିକ ରୂପେ ସ୍ୱୟଂସମ୍ପୂର୍ଣ୍ଣ ହେବାକୁ ତଥା ପ୍ରସଙ୍ଗର ରାଜନୀତିକରଣରୁ ବର୍ତ୍ତିବା ସହ ବିଶ୍ୱ ଆର୍ଥିକ ଶାସନ ସୁଧାରିବାରେ ସକରାତ୍ମକ ଯୋଗଦାନ ଦିଅନ୍ତୁ। ତେବେ ଜି-୨୦ ସଦସ୍ୟ ରାଷ୍ଟ୍ର ଭାବେ ଭାରତରେ ଆୟୋଜିତ ହେବାକୁ ଯାଉଥିବା କାର୍ଯ୍ୟକ୍ରମରେ ଚୀନ୍ ଯୋଗ ଦେବକି ବୋଲି ପ୍ରଶ୍ନର ଜବାବରେ ଆମେ ଏଥିରେ ଯୋଗ ଦେବୁ କି ନା ଏହା ଉପରେ ବିଚାର କରାଯିବ ବୋଲି କହିଛନ୍ତି।