ଚୀନକୁ ରୋକିବାରେ ବିଫଳ ବିଶ୍ୱ: ମାସକରେ ଏକ ମିଲିଅନରୁ ଅଧିକ ଇଭି ସେଲ୍ କରି ବିରଳ ରେକର୍ଡ କଲା

Published By : Prameya-News7 Bureau | September 12, 2024 IST

internet

ନୂଆଦିଲ୍ଲୀ: ଚୀନ ଉପରେ ବିଦେଶରେ ଯେତେ କଟକଣା ଲଗାଇଲେ ବି ଡ୍ରାଗନକୁ ରୋକିବା କଷ୍ଟକର ହୋଇପଡ଼ୁଛି। ଚୀନ ଉତ୍ପାଦନ ଇଭି ଉପରେ କାନାଡ଼ା, ଆମେରିକା ଓ ୟୁରୋପ ଭଳି ଦେଶ ଶୁଳ୍କ ବୃଦ୍ଧି କରିଛନ୍ତି। ଏହାସତ୍ତ୍ୱେ ବି ଇଭି ବିକ୍ରିରେ ରେକର୍ଡ କରିଛି ଚୀନ। ଗୋଟିଏ ମାସରେ ଏକ ମିଲିଅନ(୧୦ ଲକ୍ଷ)ରୁ ଅଧିକ ଇଭି ସେଲ୍ କରିଥିବା ପ୍ରଥମ ଦେଶ ହୋଇଛି ଚାଇନା। ଡାଟା ମାର୍କେଟ ରିସର୍ଚ ଫାର୍ମ ରୋ ମୋସନ(Rho Motion) ଏହି ରିପୋର୍ଟ ପ୍ରକାଶ କରିଛି। 

ଫ୍ଲିଟ୍ ୱାର୍ଡ୍ଲ ପତ୍ରିକାରର ରିପୋର୍ଟ ଅନୁସାରେ, ଚୀନ ଅଗଷ୍ଟ ମାସରେ ଏହି ସଫଳତା ହାସଲ କରିଥିବା ବେଳେ ଡିସେମ୍ବରରେ କରିଥିବା ନିଜର ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି। ଡିସେମ୍ବର ମାସରେ ଚୀନ ମାସକରେ ୭୦ ହଜାର ଇଭି ବିକ୍ରି କରି ରେକର୍ଡ କରିଥିଲା। ଚୀନର ଏହି ସଫଳତାକୁ ନେଇ ରୋ ମୋସନ ଡାଟା ମ୍ୟାନେଜର ଚାର୍ଲ୍ସ ଲିଷ୍ଟର କହିଛନ୍ତି ଯେ ଏହି ସଫଳତା ଚୀନର ଆରମ୍ଭ ମାତ୍ର। ଆସନ୍ତାମାସଗୁଡ଼ିକରେ ଚୀନ ଆହୁରି ରେକର୍ଡ ଭାଙ୍ଗିବ ବୋଲି ଚାର୍ଲ୍ସ କହିଛନ୍ତି। 

ଇଭି ସେଲ୍‌ରେ ଚୀନର ରେକର୍ଡ ବିକ୍ରି ପରେ ଅଗଷ୍ଟ ମାସରେ ବିଶ୍ୱ ସ୍ତରରେ ଇଭି ଓ ପ୍ଲଗ ଇନ ହାଇବ୍ରିଡି କାର୍ ବିକ୍ରିରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ୟୁରୋପରେ ଇଭି ସେଲ୍ ୩୩ ପ୍ରତିଶତ ହ୍ରାସ ପାଇବା ସତ୍ତ୍ୱେ ଏହି ବୃଦ୍ଧି ଦେଖିବାକୁ ମିଳିଛି ବୋଲି ଡାଟା ମାର୍କେଟ ରିସର୍ଚ ଫାର୍ମ ରୋ ମୋସନ କହିଛି। 

ଚୀନର ଇଭି ସେଲ୍ ୨୦୨୩ ଅଗଷ୍ଟ ତୁଳନାରେ ଏକ ତୃତୀୟାଂଶ ବୃଦ୍ଧି ପାଇଁ ୧୦.୫ ମିଲିଅନ ଭେଇକଲ ବିକ୍ରି କରିଛି। ଅଗଷ୍ଟ ୨୦୨୪ରେ ସାରା ବିଶ୍ୱରେ ମୋଟ ୧.୪୫ ମିଲିଅନ ଇଭି(ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ ଓ ପ୍ଲଗ ଇନ ହାଇବ୍ରିଡି) ବିକ୍ରି ହୋଇଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୯.୮ ମିଲିଅନ ଇଲେକ୍ଟ୍ରିକ ଭେଇକଲ ବିକ୍ରି ହୋଇଛି। 

ଇୟୁରୋପରେ ସବ୍‌ସିଡିରେ କାଟ, ଟାରିଫି ବୃଦ୍ଧି ଆଦି କଟକଣାରୁ ଅଗଷ୍ଟ ମାସରେ ଇଭି ସେଲ୍ କମିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୟୁରୋପରେ ୪ ପ୍ରତିଶତ ଇଭି ସେଲ୍ କମିଛି। ସବ୍‌ସିଡି କାଟ୍ ଯୋଗୁ ଜର୍ମାନୀରେ ଇଭି ସେଲ୍ ୨୩ ପ୍ରତିଶତ କମିଛି। ତେବେ ଆମେରିକା ଓ କାନାଡ଼ାରେ ଇଭି ସେଲ୍ ୮ ପ୍ରତିଶତ ବଢ଼ି ୦.୧୬ ମିଲିଅନ ଇଭି ସେଲ୍ ହୋଇଛି। 

ରୟଟର୍ସର ରିପୋର୍ଟ ଅନୁସାରେ କିଛି ମାସ ହେଲା ବିଶ୍ୱ ବଜାରରେ ଇଭିର ଚାହିଦା କମିଛି। କାରଣ ଗ୍ରାହକ ଅଧିକ ଶସ୍ତା ମଡେଲ୍ ଓ ଅଧିକ ବିକଳ୍ପ ଯୁକ୍ତ ହାଇଡ୍ରୋଜେନ୍ ଗାଡ଼ି ଅଧିକ କିଣିବାକୁ ପସନ୍ଦ କରୁଛନ୍ତି। ତେଣୁ ଇଭି ଚାହିଦାରେ ହ୍ରାସ ହୋଇଛି। 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.