ପୃଥିବୀରେ ୧୦ ହଜାର ମିଟର ଗଭୀର ଖନନ କରୁଛି ଚୀନ, ଋଷିଆ ପରେ ଦ୍ୱିତୀୟ ସୁପରଡିପ ବୋରହୋଲ

Published By : Prameya-News7 Bureau | May 31, 2023 IST

ଝିନଜିଆଙ୍ଗ ୩୧।୫: ଚୀନ୍‌ ବୈଜ୍ଞାନିକମାନେ ପୃଥିବୀରେ ୧୦ ହଜାର ମିଟର (୩୨ହଜାର ୮୦୮ଫୁଟ) ଗଭୀର ବୋରହୋଲ କରିବାକୁ ଯାଉଛି। ଯାହାକୁ ନେଇ ସାରା ବିଶ୍ୱରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି। ସବୁଆଡେ ଗୋଟିଏ ପ୍ରଶ୍ନ ଏହା ପଛରେ ଚୀନ୍‌ର ଉଦ୍ଦେଶ୍ୟ କ’ଣ? ତେବେ ବିଶ୍ୱର ସର୍ବ ବୃହତ୍ତ ଅର୍ଥବ୍ୟବସ୍ଥାର ଦେଶ ଏବେ ଗ୍ରହରୁ ଆରମ୍ଭ କରି ଭୂ ପୃଷ୍ଠ ପର୍ଯ୍ୟନ୍ତ ସବୁଆଡେ ତାର ସ୍ୱାର୍ଥ ଖୋଜିବାରେ ଲାଗିଛି।

ସରକାରୀ ସମ୍ବାଦ ସରବରାହ ସଂସ୍ଥା ସିହ୍ନୁଆ ଅନୁସାରେ ଚୀନ୍‌ ତୈଳ ସମୃଦ୍ଧ ଝିନଜିଆଙ୍ଗ କ୍ଷେତ୍ରରେ ଏହି ଖନନ ଆରମ୍ଭ କରିଛି। ତେବେ ଏହା ପୂର୍ବରୁ ଚୀନ୍ ମଙ୍ଗଳବାର ପୂର୍ବାହ୍ନରେ ଗୋଭି ମରୁଭୂମିରୁ ନିଜର ପ୍ରଥମ ନାଗରିକ ମହାକାଶ ଯାତ୍ରୀଙ୍କୁ ଅନ୍ତରୀକ୍ଷ ପ୍ରେରଣ କରିଛି। ମିଡିଆ ରିପୋର୍ଟ ଅନୁସାରେ ସୁପରଡିପ ବୋରହୋଲ ଲାଗି ଚୀନ୍‌ ୧୦ରୁ ଅଧିକ ମହାଦ୍ୱିପୀୟ ସ୍ତରକୁ ଛେଦ କରିବ। କୁହାଯାଉଛି ଏହା ଦ୍ୱାରା ଚୀନ୍‌ ପୃଥିବୀର ୧୪୫ ନିୟୁତ ବର୍ଷ ପୂର୍ବେ ଥିବା କ୍ରେଟେସିୟସ ସିଷ୍ଟମ ପର୍ଯ୍ୟନ୍ତ ପହଞ୍ଚିବାକୁ ସକ୍ଷମ ହେବ।

{"id":795823,"sizeSlug":"full","linkDestination":"none"}

ରାଷ୍ଟ୍ରପତି ସି ଜିନପିଙ୍ଗ ୨୦୨୧ ମସିହାରେ ଦେଶର କିଛି ପ୍ରମୁଖ ବୈଜ୍ଞାନିକଙ୍କୁ ସମ୍ବୋଧିତ କରିଥିଲେ। ଏଥିରେ ସେ ପୃଥିବୀର ଗଭୀରତାରେ ଅନୁସନ୍ଧାନକୁ ତୀବ୍ର କରିବାକୁ ଆହ୍ୱାନ ଦେଇଥିଲେ। ଏହି ପ୍ରୟାଶ ଭୂ ପୃଷ୍ଠରେ ଥିବା ଶକ୍ତି ସଂସାଧନ ସନ୍ଧାନରେ ବେଶ ସହାୟକ ହୋଇପାରିବ ବୋଲି କୁହାଯାଉଛି। ଏପରି ଖନନ ଦ୍ୱାରା ଭୂମିକମ୍ପ ଓ ଆଗ୍ନେୟଗିରି ବିସ୍ଫୋରଣ ଭଳି ପରିବେଶର ବିପଦ ଆକଳନ କରିବାରେ ମଧ୍ୟ ସହାୟକ ହୋଇପାରେ।

ତେବେ ଏପରି ବୋର ହୋଲ କରିବାରେ ଚୀନ୍‌ ବିଶ୍ୱର ପ୍ରଥମ ରାଷ୍ଟ୍ର ନୁହେଁ। ଏହା ପୂର୍ବରୁ ଋଷିଆରେ କୋଲା ସୁପରଡିପ ବୋରହୋଲ ରହିଛି। ଦୀର୍ଘ ୨୦ ବର୍ଷର ଖନନ ପରେ ଋଷିଆ ୧୯୮୯ ମସିହାରେ ୧୨,୨୬୨ ମିଟର (୪୦,୨୩୦ ଫୁଟ) ଗଭୀର ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ତେବେ ଏହି ସୁପର ବୋରହୋଲ ଯୋଗୁ ଋଷିଆକୁ କଣ ଲାଭ ମିଳିଛି ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ସେପଟେ ଚୀନ୍‌ ୩ ଜଣ ମହାକାଶ ଯାତ୍ରୀଙ୍କ ସହ ଜଣେ ସାଧାରଣ ନାଗରିକଙ୍କୁ ମହକାଶ ଯାତ୍ରାରେ ପଠାଇଛି। ଦେଶର ଅନ୍ତରୀକ୍ଷ କାର୍ଯ୍ୟକ୍ରମ ଲାଗି ଚୀନ୍‌ର ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.