ଚୀନରେ ଆହୁରି ଭୟଙ୍କର ହୋଇପାରେ କରୋନା,୧ ମିଲିୟନ ପାର୍ ହୋଇପାରେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୫ ହଜାର ଟପିବ: ରିପୋର୍ଟ
22/12/2022 at 10:49 PM

ବେଜିଂ: ଚୀନରେ ବର୍ତ୍ତମାନ କରୋନା ସଂକ୍ରମଣ ତାଣ୍ଡବ ରଚୁଛି। ଯେତେ କଟକଣା ଓ କଡ଼ା ନିୟମ କଲେ ବି ସଂକ୍ରମଣ ଥମୁନି। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିବା ସହିତ ପଡ଼ୋଶୀ ଦେଶ ଭାରତ ମଧ୍ୟ ଆଗୁଆ ସତର୍କତା ଆରମ୍ଭ କରିଦେଇଛି।
ଏହାରି ଭିତରେ ଚୀନ ସଂକ୍ରମଣ ଆହୁରି ଭୟାବହ ହେବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଦିନକୁ ୧ ମିଲିୟନ ସଂକ୍ରମିତ ଚିହ୍ନଟ ହେବା ସହିତ ପ୍ରତିଦିନ ୫ ହଜାର ମୃତ୍ୟୁ ହେବ ବୋଲି ଗବେଷଣା ରିପୋର୍ଟରେ କୁହାଯାଇଛି। ମହାମାରୀ ଉପରେ ନଜର ରଖୁଥିବା ଲଣ୍ଡନ ସ୍ଥିତ ଏୟାରଫାଇନିଟି ଏଲ୍ଟିଡି(Airfinity Ltd) ନାମକ ଏକ ଗବେଷଣା ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିଛି।
ପରିସ୍ଥିତି ଆହୁରି ଭୟଙ୍କର ହେବ। ବର୍ତ୍ତମାନ ଭଳି ସ୍ଥିତି ଲାଗି ରହିଲେ ୧.୪ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନରେ ଜାନୁଆରୀ ବେଳକୁ ଦୈନିକ ସଂକ୍ରମଣ ୩.୭ ମଲିୟନରେ ପହଞ୍ଚିଯାଇଥିବ। ସେହିପରି ମାର୍ଚ୍ଚ ବେଳକୁ ଏହି ସଂଖ୍ୟା ବଢ଼ି ୪.୨ ମିଲିୟନ ହୋଇପାରେ ବୋଲି ସଂସ୍ଥା କହିଛି।
ଚୀନ ସରକାରୀ ତଥ୍ୟ ଅନୁସାରେ ବୁଧବାର ଦେଶରେ ୨୯୬୬ ପଜିଟିଭ୍ ଚିହ୍ନଟ ହୋଇଥିବା ଡିସେମ୍ବର ଆରମ୍ଭରୁ ଏପର୍ଯ୍ୟନ୍ତ ମାତ୍ର ୧୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଡାକ୍ତରଖାନାରେ ରୋଗୀ ସଂଖ୍ୟା ଓ ମଶାଣୀରେ ମୃତଦେହ ସଂଖ୍ୟା ଦେଖିଲେ ଚୀନର ତଥ୍ୟ ଠିକ୍ ନୁହେଁ ବୋଲି ଜଣାପଡ଼ୁଛି। ଏହି ସଂଖ୍ୟା ଅନେକ ଅଧିକ ଜଣାପଡ଼ୁଛି। ହେଲେ ଚୀନ ଲୁଚାଇଥିବାରୁ ତଥ୍ୟ ଜଣାପଡ଼ୁ ନାହିଁ।