ଆହୁରି ଶକ୍ତିଶାଳୀ ହେବ ଡ୍ରାଗନ୍‌; ତିଆରି କରୁଛି ପରମାଣୁ ମିସାଇଲ୍‌, ଭାରତକୁ ନାହିଁ ତ ବିପଦ ?

Published By : Prameya-News7 Bureau | November 07, 2024 IST

ନୂଆଦିଲ୍ଲୀ ୦୭।୧୧: ଦିନକୁ ଦିନ ଶକ୍ତିଶାଳୀ ହେଉଛି ଚୀନ । ନୂଆ ନୂଆ ଅସ୍ତ୍ରର କରୁଛି ପରୀକ୍ଷଣ । ଏବେ ତିଆରି କରୁଛି ପରମାଣୁ ମିସାଇଲ୍ । ଯାହା ଖୁବ୍‌ ଖତରନାକ୍‌ । ଡ୍ରାଗନ ନିଜର ଇଣ୍ଟରମିଡିଏଡ୍‌ ରେଞ୍ଜ ପରମାଣୁ ବାଲେଷ୍ଟିକ୍‌ ମିସାଇଲ୍‌ର ସଂଖ୍ୟା ବଢାଉଛି । ଏହି ମିସାଇଲ୍‌ର ନାଁ ହେଉଛି  DF-26 ଗୁଆମ କିଲର୍‌ । ଏହାକୁ ଗୁଆମ ଏକ୍ସପ୍ରେସ୍‌ ମଧ୍ୟ କୁହାଯାଇଥାଏ । ଏହାର ରହିଥାଏ ୨ଟି ଭ୍ୟାରିଆଣ୍ଟ । ଗୋଟିଏ ସ୍ଥଳଭାଗରୁ ଛଡାଯାଏ ଏବଂ ଅନ୍ୟଟି ଆଣ୍ଟି-ସିପ୍‌ ବାଲେଷ୍ଟିକ୍‌ ମିସାଇଲ୍‌ । ପ୍ରତି ମିସାଇଲ୍‌ରେ ୧୨୦୦ରୁ ୧୮୦୦ କିଲୋଗ୍ରାମ୍‌ ନ୍ୟୁକ୍ଲିୟର ୱାରହେଡ୍ ନେଇପାରେ । ଏହି କ୍ଷେପଣାସ୍ତ୍ରକୁ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହିତ ସଜା ଯାଇହେବ । ଏହାର ପରିସର ୫ ହଜାର କିଲୋମିଟର ରହିଛି । ତେବେ ଡ୍ରାଗନର ଏହି କ୍ଷେପଣାସ୍ତ୍ର ସଂଖ୍ୟା ବୃଦ୍ଧି ନେଇ ଖୁଲାସା କରିଛି ଆମେରିକାର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି (ଡିଆଇଏ) । 

ରିପୋର୍ଟ ଅନୁଯାୟୀ ଚୀନ୍ ଅଧିକ DF-26 କ୍ଷେପଣାସ୍ତ୍ର ନିୟୋଜିତ କରିବାକୁ ଯାଉଛି । ଏହା ହେଉଛି ଚୀନର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର । ଏଥିରେ ଉଭୟ ପ୍ରକାରର ଅସ୍ତ୍ର ବ୍ୟବହାର କରାଯାଇପାରିବ। ଏଥିରେ ଅସ୍ତ୍ରଶସ୍ତ୍ର ବଦଳାଇବାର ଶକ୍ତି ମଧ୍ୟ ରହିଛି । ଏହାକୁ ଲଞ୍ଚ କରିବା ପାଇଁ ରୋଡ୍ ମୋବାଇଲ୍ ଇରେକ୍ଟର ଲଞ୍ଚର୍ ସିଷ୍ଟମ୍ ବ୍ୟବହୃତ ହୋଇଥାଏ । ଏହାର ଅର୍ଥ ହେଉଛି ସ୍ଥଳଭାଗରୁ ସ୍ଥଳଭାଗକୁ କିମ୍ବା ସ୍ଥଳଭାଗରୁ ନୌସେନାକୁ ଆକ୍ରମଣ କରାଯାଇପାରିବ । ଏହାର ବ୍ୟବହାର ଏୟାରକ୍ରାଫ୍ଟ କେରିୟରକୁ ବୁଡ଼ାଇବା ପାଇଁ ମଧ୍ୟ କରାଯାଇପାରେ । ଏହି ମିସାଇଲ୍‌ ଥରକରେ ଆମେରିକାର କୌଣସି ବି ବଡ ଏୟାରକ୍ରାଫ୍ଟ କେରିୟର୍‌କୁ ବୁଡାଇପାରିବ ।   

ଆସନ୍ତା କିଛି ବର୍ଷ ମଧ୍ୟରେ ଚୀନ୍ ୧ ହଜାରରୁ ଅଧିକ DF-26 କ୍ଷେପଣାସ୍ତ୍ର ନିୟୋଜିତ କରିବ। ଆକଳନ ଅନୁଯାୟୀ ଚାଇନାରେ ୨୫୦ DF-26 କ୍ଷେପଣାସ୍ତ୍ର ଅଛି । ଚଳିତ ବର୍ଷ ଜୁନ୍ ମାସରେ ଆମେରିକାର ଇଣ୍ଡୋ-ପାସିଫିକ୍ କମାଣ୍ଡର କହିଛନ୍ତି ଯେ ଗୁଆମ ଦ୍ୱୀପରେ ଥିବା ଆଣ୍ଡରସନ୍ ବାୟୁସେନା ବେସକୁ ସୁରକ୍ଷା ଦେବା ହେଉଛି ତାଙ୍କର ପ୍ରାଥମିକତା। ଅର୍ଥାତ୍‌ ତାଙ୍କର ଏହି ଇସାରା ଚାଇନାର ଏହି କ୍ଷେପଣାସ୍ତ୍ର ଆଡକୁ ଥିଲା। କାରଣ ଏହାକୁ ଗୁଆମ କିଲର କୁହାଯାଏ । ରିପୋର୍ଟ ଅନୁଯାୟୀ ଚୀନ୍‌ର ଏହି କ୍ଷେପଣାସ୍ତ୍ରକୁ ନ୍ୟୁକ୍ଲିୟର ଆହ୍ବାନ୍‌ କୁହାଯାଉଛି । ଏହି କାରଣରୁ କେବଳ ଚୀନ୍ ନୁହେଁ ବରଂ ଉତ୍ତର କୋରିଆ ଏବଂ ଋଷର ଶକ୍ତି ବୃଦ୍ଧି ହେବ । ଯଦି ଚୁକ୍ତି ହୁଏ ତେବେ ଇରାନ ମଧ୍ୟ ଏହି କ୍ଷେପଣାସ୍ତ୍ରର ପ୍ରଯୁକ୍ତିବିଦ୍ୟା, କ୍ଷେପଣାସ୍ତ୍ର କିମ୍ବା ଅସ୍ତ୍ରଶସ୍ତ୍ର ହାସଲ କରିପାରିବ। ଏଭଳି ସ୍ଥିତିରେ ଆମେରିକା ଏବଂ ଇସ୍ରାଏଲ ପାଇଁ ସମସ୍ୟା ବଢିଯିବ । କାରଣ ଚୀନ୍, ଋଷ, ଉତ୍ତର କୋରିଆ, ଇରାନ କୌଣସି ବି ସମୟରେ ପାଶ୍ଚାତ୍ୟ ଦେଶ ବିରୁଦ୍ଧରେ ଏକାଠି ହୋଇପାରନ୍ତି । 

ଚୀନ ପାଖରେ କ୍ଷେପଣାସ୍ତ୍ରର ଭୟଙ୍କର ରେଞ୍ଜ ରହିଛି। ଡ୍ରାଗନ ପାଖରେ ଏପରି ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର ଅଛି, ଯାହା ମହାକାଶରେ ୪୦ ହଜାର କିଲୋମିଟର ଉଚ୍ଚତାରୁ ଭୂମିରେ ଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ । ଏତେ ଉଚ୍ଚାରୁ ଏକ ଟେନିସ ବଲ୍‌ ପଡିଲେ ବହୁତ କ୍ଷତି କରିପାରେ, ଏହା ତ ପୁଣି ମିସାଇଲ୍‌ । ଚୀନ୍ ଏପରି ନୂଆ ମିସାଇଲ୍‌କୁ ହାମି, ଗୁଆଙ୍ଗଝୁ, ହ୍ୟାଙ୍ଗିଂ ବ୍ୟାନର ଏବଂ ମଙ୍ଗୋଲିଆ ସୀମାରେ ନିୟୋଜିତ କରିଛି । ଏହା ଚାଷଜମି ମଧ୍ୟରେ ଲଗାଯାଇଛି, ଯେଉଁକାରଣରୁ ଶତ୍ରୁ ମିସାଇଲର ଉପସ୍ଥିତି ବିଷୟରେ ଜାଣିପାରିବେନି । ଋଷ ଲଗାତର ଚୀନ୍କୁ ସେନ୍ସର ଡାଟା ପ୍ରଦାନ କରୁଛି । ଯଦି ଋଷ ଚୀନକୁ ସାହାଯ୍ୟ କରେ, ତେବେ ଏହା ଅନେକ ପ୍ରକାରର ହାଇପରସୋନିକ୍ ଅସ୍ତ୍ର ଯୋଗାଇପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.