ଦୁନିଆର ୫୩ ଦେଶରେ ଚୀନ ଖୋଲିଛି ୧୦୨ ପୋଲିସ ଷ୍ଟେସନ, କାରଣ ଜାଣି ହେବେ ଚକିତ
21/03/2023 at 5:15 PM

ନୂଆଦିଲ୍ଲୀ: ସାରା ଦୁନିଆରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚୀନ ନୂଆ ଚକ୍ରାନ୍ତ ରଚିବାରେ ଲାଗିଛି । ୨୦୨୨ ସେପ୍ଟେମ୍ୱରରେ ସ୍ପେନର ନାଗରିକ ଅଧିକାରୀ ଗ୍ରୁପର ଏକ ରିପୋର୍ଟରେ ଦାବି କରିଥିଲେ ଯେ ଅନେକ ଦେଶରେ ଚୀନ ଓଭରସିଜ୍ ପୋଲିସ ଷ୍ଟେସନ (COPS) ସ୍ଥାପନ କରୁଛି । ଏହାରି ଭିତରେ ଏକ ରିପୋର୍ଟ ସାମନାକୁ ଆସିଛି, ଏଥିରେ କରାଯାଇଥିବା ଦାବି ଅନୁସାରେ ଚୀନ ୫୩ ଦେଶରେ ୧୦୨ଟି ପୋଲିସ ଷ୍ଟେସନ ଖୋଲି ସାରିଛି ।
ଏକ ରିପୋର୍ଟ ଅନୁସାରେ COPSର ନେଟୱାର୍କ ଚୀନ ସ୍ଥିତ ସାର୍ବଜନୀନ ସୁରକ୍ଷା ବ୍ୟୁରୋ (ପିଏସବି) ଦ୍ୱାରା ୨୦୧୬ରେ ପ୍ରତିଷ୍ଠା କରାଯାଇଥିଲା । ଭିନ୍ନ ଭିନ୍ନ ଦେଶରେ ଚୀନର ଏହି ପୋଲିସ ଷ୍ଟେସନକୁ ସେଠାରେ ବେଜିଂ ବିରୋଧରେ ଉଠୁଥିବା ସ୍ୱର ଉପରେ ନଜର ରଖିବାରେ ବ୍ୟବହାର କରାଯାଉଛି । ଏହାଛଡା ଚୀନରୁ ପଳାୟନ କରି ବିଦେଶକୁ ଚାଲି ଯାଇଥିବା ନାଗରିଙ୍କୁ ସ୍ୱଦେଶକୁ ଫେବାଇବା ପାଇଁ ଏହି ପୋଲିସ ଚାପ ପ୍ରୟୋଗ କରିଥାଏ । ଏହାଛଡ଼ା ଚୀନ ପ୍ରତି ଅସନ୍ତୋଷ ଥିବା ତିବ୍ଦତୀୟ, ଉଇଗର ମୁସଲମାନ ଏବଂ ଚୀନ ବିରୋଧୀ ସ୍ୱରକୁ ଏହା ଜରିଆରେ ଚାପିବା ପାଇଁ ପ୍ରୟାସ କରାଯାଏ ।
ରିପୋର୍ଟ ଅନୁସାରେ COPSରେ ଚୀନର ପୂର୍ବତନ ପୋଲିସ ଅଧିକାରୀ ଏବଂ ଦୂତାବାସର ପୂର୍ବତନ ଅଧିକାରୀଙ୍କୁ ସାମିଲ କରାଯାଇଛି । ଏହା ଚୀନ ଦୂତାବାସଠାରୁ ଅଲଗା କାମ କରିଥାଏ । ଏହାର କୌଣସି ଅଫିସ ନାହିଁ । ରିପୋର୍ଟ ଅନୁସାରେ ଏହା ସ୍ଥାନୀୟ ଦୋକାନ, ରେସ୍ତୋରାଁ, ମଲ କିମ୍ୱା ଆପାର୍ଟମେଣ୍ଟ ପରି ସ୍ଥାନରେ କାମ କରିଥାନ୍ତି ।
ରିପୋର୍ଟ ଅନୁସାରେ ଦକ୍ଷିଣ ଆମେରିକା, ମିଆଁମାର, କମ୍ୱୋଡିଆ, ଦକ୍ଷିଣ ଅଫ୍ରିକା, ତାଞ୍ଜାନିଆ, ମୋଜାମ୍ୱିକ, ଜାମ୍ୱିଆ, ସର୍ବିଆ, କ୍ରୋଏସିଆ, ରୋମାନିଆ ଏବଂ ଇଟାଲୀ ପରି ଅନେକ ଦେଶରେ ଚୀନ ନିଜ ପୋଲିସ ଷ୍ଟେସନ ସ୍ଥାପନ କରିଛି ।