ଚୀନକୁ ମିଳିବ ଦୃଢ ଜବାବ, ସୀମାରେ ମୁତୟନ ହେଲା ଭାରତର ସବୁଠୁ ବିପଦଜ୍ଜନକ ‘ନିର୍ଭୟ’ ମିଜାଇଲ
28/09/2020 at 5:33 PM

ନୂଆଦିଲ୍ଲୀ ୨୮।୦୯: ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଜାରି ଉତ୍ତେଜନା ମଧ୍ୟରେ ଭାରତର ସୈନ୍ୟକୁ ଆହୁରି ଶକ୍ତି ମିଳିଛି। ଭାରତ ସୀମାରେ ନିର୍ଭୟ କ୍ରୁଜ ମିଜାଇଲକୁ ମଧ୍ୟ ମୁତୟନ କରିଛି। ଏହି ମିଜାଇଲର ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ନିର୍ଭୟ କ୍ଷେପଣାସ୍ତ୍ର ତିବ୍ବତରେ ଚୀନର ଆଡ୍ଡା ଉପରେ ହମଲା କରିବାକୁ ସକ୍ଷମ।
୫ ମାସରୁ ଅଧିକ ସମୟ ହେବ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଅନେକ ସ୍ଥାନରେ ଦୁଇ ଦେଶର ସେନା ହାତାହାତି ହୋଇଛନ୍ତି। ଚୀନର ଆଭିମୁଖ୍ୟ ଓ ଗତିବିଧିକୁ ଦେଖିଲେ ନିକଟ ଦିନରେ ଉତ୍ତେଜନା ଥମିବାର ଆଶା କମ ରହିଛି। ଆଗକୁ ଆସୁଛି ହାଡଭଙ୍ଗା ଶୀତ। ସେନା ଆଗାମୀ ଚାରି ମାସ ଏହି ଭୀଷଣ ଥଣ୍ଡାରେ ଚୀନର ମୁକାବିଲା ପାଇଁ ପ୍ରସ୍ତୁତି କରିଛି। ଏମିତି ସ୍ଥିତିରେ ଭାରତ ସୀମାରେ ନିଜର ସବୁଠୁ ଭରସାଯୋଗ୍ୟ କ୍ଷେପଣାସ୍ତ୍ର ନିର୍ଭୟକୁ ମୁତୟନ କରିଛି। ଏହାର ମାରକ କ୍ଷମତା ୧୦୦୦ କିଲୋମିଟର ରହିଛି।
କ୍ଷେପଣାସ୍ତ୍ରର ବିଶେଷତ୍ଵ

ଏହି ମିଜାଇଲର କ୍ଷମତା ଆମେରିକାର ପ୍ରସିଦ୍ଧ ଟମହକ ମିଜାଇଲର ବରାବର। ଏହି ମିଜାଇଲ ବା କ୍ଷେପଣାସ୍ତ୍ର ନିଜର ନିଶାଣକୁ ଲକ୍ଷ୍ୟଭେଦ କରିବାରେ ସଂପୂର୍ଣ୍ଣ ସକ୍ଷମ। ନିର୍ଭୟ କ୍ରୁଜ ମିଜାଇଲକୁ ଭାରତରେ ହିଁ ସ୍ଵଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରାଯାଇଛି। ଏହି ମିଜାଇଲର ପ୍ରଥମ ପରୀକ୍ଷଣ ୨୦୧୩ ମାର୍ଚ୍ଚ ୧୨ରେ କରାଯାଇଥିଲା। ନିର୍ଭୟ ଦୁଇ ପର୍ଯ୍ୟାୟ ବିଶିଷ୍ଟ କ୍ଷେପଣାସ୍ତ୍ର। ଏହା ପ୍ରଥମେ ପାରମ୍ପରିକ ରକେଟ୍ ପରି ସିଧା ଆକାଶକୁ ଉଠିଥାଏ ଏବଂ ପୁଣି ୯୦ ଡିଗ୍ରୀ ମୋଡି ହୋଇ ଟାର୍ଗେଟ୍କୁ ହିଟ୍ କରିଥାଏ।
ଏହି କ୍ଷେପଣାସ୍ତ୍ରର ଲମ୍ବ ୬ ମିଟର ଏବଂ ଚଉଡା ୦.୫୨ ମିଟର। ଏହି ମିଜାଇଲ ୦.୬ଠୁ ନେଇ ୦.୭ ମ୍ୟାକ୍ ଗତିରେ ଉଡାଣ ଭରିପାରେ। ଏହାର ଓଜନ ୧୫୦୦ କିଲୋଗ୍ରାମ ଯାହା ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରେ।