ଅନୁପ୍ରବେଶ ଉଦ୍ୟମ ପରେ ଚୀନ ସୀମାରେ ଉଡାଇଲା ଜେ-୨୦ ଲଢୁଆ ବିମାନ: ଟକ୍କର ଦେବାକୁ ପ୍ରସ୍ତୁତ ରାଫେଲ, ଜାଣନ୍ତୁ କାହାର ଦମ୍ କେତେ
31/08/2020 at 4:12 PM

ନୂଆଦିଲ୍ଲୀ ୩୧।୦୮: ଲଦାଖର ପାଙ୍ଗଙ୍ଗ ହ୍ରଦରେ ଚୀନ ସୈନିକ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି, ଯାହାକୁ ଭାରତୀୟ ଯବାନ ବିଫଳ କରିଛନ୍ତି। ଏହା ପରେ ଚୀନ ସେନା ସୀମା ନିକଟରେ ଲଦାଖ ଉପରେ ନିଜର ଲଢୁଆ ବିମାନ ଚେଙ୍ଗଦୁ ଜେ-୨୦ ଉଡାଇଛି। ଏହାକୁ ଟକ୍କର ଦେବା ପାଇଁ ଭାରତୀୟ ବାୟୁସେନାର ରାଫେଲ, ସୁଖୋଇ-୩୦ ଏମକେଆଇ ଓ ତେଜସ ବିମାନ ପ୍ରସ୍ତୁତ ହୋଇ ରହିଛନ୍ତି।
ରାଫେଲ ଆଗରେ ଜେ-୨୦ର ଇଞ୍ଜିନ ନିମ୍ନ ସ୍ତରର। ଲଢେଇ ମାମଲାରେ ମଧ୍ୟ ରାଫେଲ ଚେଙ୍ଗଦୁ ଜେ-୨୦ଠୁ ଅଧିକ ଉନ୍ନତ। ରାଫେଲରେ ଉଚ୍ଚକ୍ଷମତା ସଂପନ୍ନ ଯୁଦ୍ଧାସ୍ତ୍ର, ବେଟର ହାର୍ଡଙ୍ଗ ଓ ଲିଥଲ କ୍ଷେପଣାସ୍ତ୍ର ରହିଛି। ଆସନ୍ତୁ ଜାଣିବା ରାଫେଲ ଚୀନର ଲଢୁଆ ବିମାନ ଚେଙ୍ଗଦୁ ଜେ-୨୦ଠୁ କେଉଁ ମାମଲାରେ ଉନ୍ନତ ରହିଛି।

ସର୍ବ ପ୍ରଥମେ ରାଫେଲ ଓ ଚେଙ୍ଗଦୁର ଇଞ୍ଜନ ଉପରେ ନଜର ପକାଇବା। ରାଫେଲର ଦୁଇଟି Snecma M88 ଇଞ୍ଜିନ ରହିଛି। ଚେଙ୍ଗଦୁ ଜେ-୨୦ରେ ସେନୟାଙ୍ଗ WS-10 ବି ଇଞ୍ଜିନ ଲାଗିଛି, ଯାହା ୧୪୫ କିଲୋନ୍ୟୁଟନ ଥ୍ରଷ୍ଟ ଉତ୍ପନ କରିଥାଏ। ମାତ୍ର ରାଫେଲର ଇଞ୍ଜିନ ପାଓ୍ଵରକୁ ସହଜରେ ନିୟନ୍ତ୍ରଣ କରିଥାଏ।
ରାଫେଲର ସୁପିରିୟର କାମ୍ବେଟ୍ ଚେଙ୍ଗଦୁ ଜେ-୨୦ଠୁ ମଧ୍ୟ ଉନ୍ନତ। କାରଣ ରାଫେଲର ଆକାର ଆକାଶରେ କ୍ଲୋଜ କାମ୍ବେଟରେ ସାହାଯ୍ୟ କରିଥାଏ। କିନ୍ତୁ ଚେଙ୍ଗଦୁ ଜେ-୨୦ର ସେପ ଓ ସାଇଜ ଏହି କ୍ଲୋଜ କାମ୍ବେଟ ସମୟରେ କିଛିଟା ମୁସ୍କିଲ ସୃଷ୍ଟି କରିଥାଏ।

ରାଫେଲରେ ସ୍କାଲ୍ପ ଇଜି ଷ୍ଟର୍ମ ସ୍ୟାଡୋ, ଏଏଏସଏମ, ଏଟି ୭୩୦ ଟ୍ରିପଲ ଇଜେକ୍ଟର ରାକ, ଡେମୋକ୍ସେସ୍ ପାଡ, ହାମର କ୍ଷେପଣାସ୍ତ୍ର ଖଞ୍ଜା ଯାଇ ପାରିବ। ଚେଙ୍ଗଦୁ ଜେ-୨୦ରେ ଏଏଏମ, ସର୍ଟ ରେଞ୍ଜ ଏଏଏମ, ଇଣ୍ଟର୍ନଲ ଅଟୋକ୍ୟାନନ ଓ ରୋଟରୀ କ୍ୟାନନ ମେସିନ ଲଗ ଖଞ୍ଜା ଯାଇ ପାରିବ।
ରାଫେଲ ୪.୫ ପିଢିର ଟ୍ଵିଟନ ଇଞ୍ଜିନ, କାନାଡା ଡେଲ୍ଟା ଓ୍ଵିଙ୍ଗ, ମଲଟି ରୋଲ ଲଢୁଆ ବିମାନ ଅଟେ। କିନ୍ତୁ ଜେ-୨୦ ସିଙ୍ଗଲ ସିଟ୍, ଟ୍ଵିନ୍ ଜେଟ, ସବୁ ପାଗରେ ଉଡାଣ, ଷ୍ଟେଲ୍ଥ, ପଞ୍ଚମି ପିଢିର ଲଢୁଆ ବିମାନ ଅଟେ। ରାଫେଲର ସର୍ଭିସ ସିଲିଙ୍ଗ ୧୫,୨୩୫ ମିଟର ଥିବା ବେଳେ ଚେଙ୍ଗଦୁ ଜେ-୨୦ର ୨୦ ହଜାର ମିଟର ରହିଛି। ରାଫେଲ ସର୍ବାଧିକ ଗତି ଘଣ୍ଟା ପ୍ରତି ୨୧୩୦ କିଲୋମିଟର ରହିଥିବା ବେଳେ ଚେଙ୍ଗଦୁ ଜେ-୨୦ର ଗତି ଘଣ୍ଟା ପ୍ରତି ୨୨୨୩ କିଲୋମିଟର ରହିଛି।

ରାଫେଲ ଆକାରରେ ଚେଙ୍ଗଦୁ ଜେ-୨୦ଠୁ ଛୋଟ ରହିଛି। ଚେଙ୍ଗଦୁ ଜେ-୨୦ର ଲମ୍ବ ୨୦.୪ ମିଟର। ରାଫେଲର ଲମ୍ବ ୧୫.୨୭ ମିଟର। ଚେଙ୍ଗଦୁ ଜେ-୨୦ର ଓସାର ୧୩.୪ ମିଟର ଏବଂ ରାଫେଲର ୧୦.୮୦ ମିଟର। ଚେଙ୍ଗଦୁ ଜେ-୨୦ର ଉଚ୍ଚତା ୪.୪୫ ମିଟର ଥିବା ବେଳେ ରାଫେଲର ଉଚ୍ଚତା ୫.୩୪ ମିଟର। ଚେଙ୍ଗଦୁ ଜେ-୨୦ର ଓଜନ ୧୯.୪ ଟନ। ରାଫେଲର ଓଜନ ୧୦.୩ ଟନ। ଅସ୍ତ୍ରଶସ୍ତ୍ର ସହିତ ଚେଙ୍ଗଦୁ ଜେ-୨୦ର ଓଜନ ୩୬ ଟନ ଓ ରାଫେଲର ଓଜନ ୨୪.୫ ଟନ ରହିଛି।
ରାଫେଲର ରାଡାର ଓ ଏଭିଓନିକ୍ସ ସିଷ୍ଟମ ଅତ୍ୟାଧୁନିକ। ଜେ-୨୦ର ରାଡାର ସିଷ୍ଟମର କୌଣସି ସୂଚନା ଚୀନ ଏ ପର୍ଯ୍ୟନ୍ତ ଜାରି କରିନାହିଁ। ରାଫେଲରେ ଆକ୍ଟିଭ୍ ଇଲେକ୍ଟ୍ରୋନିକ ସ୍କେଣ୍ଡ ଆରେ ଲାଗିଛି। ଏହା ବ୍ୟତୀତ ରାଫେଲରେ ଇଲେକ୍ଟ୍ରୋନିକ ଓ୍ଵାରଫେୟାର ସୁଟ୍ ସ୍ପେକ୍ଟ୍ରା ଲାଗିଛି। ଯାହା କୌଣସି ପ୍ରକାରେ ଶତ୍ରୁକୁ ସନ୍ଧାନ କରି ଯୁଦ୍ଧାସ୍ତ୍ର ନିକ୍ଷେପ କରି ପାରିବ। ଏହା ସହିଚ ସଞ୍ଚାରକୁ ମଧ୍ୟ ଜାମ କରି ପାରିବ।