ଚୀନ୍‌ରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୭ମୃତ ୨୨ ଆହତ

Published By : Prameya-News7 Bureau | January 08, 2023 IST

ବେଜିଂ: ଚୀନର ଜିୟାଙ୍ଗସି ପ୍ରାନ୍ତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଭୀଷଣ ଦୁର୍ଘଟଣାରେ ପ୍ରାୟ ୧୭ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି  ସ୍ଥାନୀୟ ପ୍ରଶାସନ ।

ମିଡିଆ ରିପୋର୍ଟ ମୁତାବକ, ପୂର୍ବ ଚୀନର ଜିୟାଙ୍ଗସି ପ୍ରାନ୍ତ ନାନଚାଙ୍ଗ କାଉଣ୍ଟିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ଗାଡ଼ି ଗୁଡ଼ିକ ଉଭୟଙ୍କ ମଧ୍ୟରେ ଧକା ହେବା ଫଳରେ ୧୭ଜଣ ପ୍ରାଣ ହରାଇଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ପ୍ରଶାସନ ଅନୁମାନ କରୁଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ପ୍ରଶାସନ ତଦନ୍ତ ଆରମ୍ଭ କରିଛି । ଅନ୍ୟପେଟ ନାନଚାଙ୍ଗ କାଉଣ୍ଟି ଟ୍ରାଫିକ୍ ପୋଲିସ କୁହୁଡି ପାଇଁ ଟ୍ରାଭେଲ୍ ମାର୍ଗଦର୍ଶିକା ଜାରି କରିଛି । କୁହୁଡ଼ି ଯୋଗୁ ରାତିରେ ଦୃଶ୍ୟମାନ ହ୍ରାସ ପାଇଛି । ତେଣୁ ସାବଧାନତାର ସହିତ ଗାଡ଼ି ଚଳାଇବା ପାଇଁ କୁହାଯାଇଛି । ଓଭରକେଟ୍ ନକରିବାକୁ ମାର୍ଗଦର୍ଶିକାରେ କୁହାଯାଇଛି ।  

ସଡ଼କ ସୁରକ୍ଷା କଟକଣା କୋହଳ ଯୋଗୁ ଚୀନରେ ଦୁର୍ଘଟଣା ବଢୁଥିବା କୁହାଯାଉଛି । ଗତ ମାସରେ ମଧ୍ୟ ଚୀନର କୁହୁଡି ଯୋଗୁ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଅନେକ ଆହତ ହୋଇଥିଲେ । ସେପ୍ଟେମ୍ବର ମାସରେ ଦକ୍ଷିଣ ଚୀନରେ ବସ୍ ଦୁର୍ଘଟଣା ଯୋଗୁ ୨୭ ଯାତ୍ରୀ ପ୍ରାଣ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.