କରୋନା ସମୟରେ ସାମରିକ ଉତ୍ତେଜନା: ଦକ୍ଷିଣ ଚୀନ ସାଗରରେ ଆମେରିକା ଲଢୁଆ ଜାହାଜକୁ ତଡିଲା ଚୀନ, ୟୁଏସ ପଠାଇଲା ବୋମାବର୍ଷକ ବିମାନ

Published By : Prameya-News7 Bureau | May 01, 2020 IST

ଓ୍ଵାଶିଂଟନ/ବେଜିଂ ୦୧।୦୫: ସମଗ୍ର ଦୁନିଆ କରୋନା ଭାଇରସ୍‌ରେ ବେହାଲ ହୋଇ ପଡିଛି। ମାତ୍ର ଏମିତି ସଙ୍କଟ ସମୟରେ ବି ଚୀନ ଓ ଆମେରିକା ମଧ୍ୟରେ ସାମରିକ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ଚୀନର ନୌସେନା ଦାବି କରିଛି ଯେ, ତାର ସେନା ଦକ୍ଷିଣ ଚୀନ ସାଗରରେ ଆମେରିକାର ଲଢୁଆ  ଜାହାଜକୁ ନିଜ ଅଞ୍ଚଳରୁ ତଡି ଦେଇଛି। ଅନ୍ୟପଟେ ଆମେରିକା ଚୀନର ଏହି ଦାବିକୁ ଦୃଢ ଭାବେ ଖଣ୍ଡନ କରିଛି। ଏହା ମଧ୍ୟରେ ଆମେରିକା ନିଜର ବୋମାବର୍ଷକ ବିମାନକୁ ଦକ୍ଷିଣ ଚୀନ ସାଗର ଅଞ୍ଚଳକୁ ପଠାଇଛି।

ଚୀନର ପିପୁଲ୍ସ ଲିବେରେସନ ଆର୍ମିର ସଦର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର ବରିଷ୍ଠ କର୍ଣ୍ଣେଲ ଲି ହୁଆମିନ କହିଛନ୍ତି, ଚୀନ ବାୟୁ ସେନା ଓ ନୌସେନାକୁ ନିୟୋଜିତ କରି ନିଜ ଅଞ୍ଚଳରୁ ଆମେରିକାର ଗାଇଡେଡ୍ କ୍ଷେପଣାସ୍ତ୍ର ବିଧ୍ଵଂସକ ୟୁଏସଏସ ବ୍ୟାରିକୁ ତଡି ଦେଇଛି। ଡ୍ରାଗନ ଏହା ମଧ୍ୟ ଦାବି କରିଛି ଯେ, ଆମେରିକା ଲଢୁଆ ଜାହାଜ ଦକ୍ଷିଣ ଚୀନ ସାଗରରେ ତାର ସମୁଦ୍ର କ୍ଷେତ୍ରରେ ଥିଲା। କିନ୍ତୁ ଆମେରିକା ନୌସେନା ଚୀନର ଏହି ଦାବିକୁ ଖଣ୍ଡନ କରିଛି।

{"id":263084,"sizeSlug":"large"}

ଚୀନ କହିଛି ଯେ, ଆମେରିକାର ଏହି କାର୍ଯ୍ୟ ଅନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଂଘନ କରିଛି ଏବଂ ଚୀନର ସାର୍ବଭୌମ ଓ ସୁରକ୍ଷା ହିତକୁ ଗମ୍ଭୀର ଭାବେ ଉଲ୍ଲଂଘନ କରିଛି। ଏଥିରେ ଆମର ସୁରକ୍ଷା ପ୍ରତି ବିପଦ ବଢିଛି। ଏମିତି ହେଲେ ଅପ୍ରତ୍ୟାଶିତ ପରିଣାମ ମିଳିପାରେ ଏବଂ ଏଥିରେ କରୋନା ବିରୋଧରେ ବିଶ୍ଵର ଲଢେଇ ଦୁର୍ବଳ ହୋଇ ଯାଇପାରେ। ଆମେରିକା ନୌସେନା ନିଜର ଏହି ଦାବିକୁ ଖଣ୍ଡନ କରିଛନ୍ତି। ଆମେରିକା ନୌସେନା କହିଛି ଯେ, ଦୁଇ ଦେଶର ନୌସେନା ମଧ୍ୟରେ କୌଣସି ମୁହାଁମୁହିଁ ଜନକ ସ୍ଥିତି ଉପୁଜିଥିବାର ରିପୋର୍ଟ ନାହିଁ।

ଉଲ୍ଲେଖଯୋଗ୍ୟ, ଚୀନ ଦକ୍ଷିଣ ଚୀନ ସାଗର ଏବଂ ଏହାର ଆଖପାଖ ସମୁଦ୍ରୀ ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରୁଛି। ସେଠାରେ କମ୍ରାଗତ ନିଜର ସାମରିକ ଶକ୍ତି ମଜବୁତ କରୁଛି। ଚୀନ କ୍ରମାଗତ ଦକ୍ଷିଣ ଚୀନ ସାଗରରେ ସାମରିକ ଦଖଲ ଦେଇ ଆସିଛି। କରୋନାର ଏହି ସଙ୍କଟ ସମୟରେ ବି ଏହି କ୍ଷେତ୍ରରେ ଚୀନର ଦାଦାଗିରି କମ ହୋଇ ନାହିଁ। ଗତ ସପ୍ତାହରେ ତାଇଓ୍ଵାନ ଦାବି କରିଥିଲା ଯେ, ଚୀନ ନିଜର ଲଢୁଆ ଜାହାଜ ଓ ଲଢୁଆ ବିମାନ ଏହି ସମୁଦ୍ର ଇଲାକାକୁ ପଠାଇଥିଲା। ଜାପାନ ମଧ୍ୟ ଏହି ସୂଚନା ଠିକ୍ ଥିବା କହିଛି। ମାତ୍ର ଚୀନ ଏହି ଖବରକୁ ଖଣ୍ଡନ କରି କହିଛି ଯେ ଏହା ରୁଟିନ୍ ଏକ୍ସରସାଇଜ୍ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.