ନୂଆଦିଲ୍ଲୀ: କ୍ଵାଡକୁ ନେଇ ବିଚଳିତ ଚୀନ। କ୍ଵାଡ୍ ସମ୍ମିଳନୀ ଚାଲିଥିବା ସମୟରେ ଜାପାନ ନିକଟରେ ରୁଷ ସହ ମିଶି ମିଳିତ ସମରାଭ୍ୟାସ୍ କରିଛି ଡ୍ରାଗନ। ଏହି ଅଭ୍ୟାସ୍ ୧୩ ଘଣ୍ଟା ଧରି ଚାଲିଥିବା ବେଳେ ଏଥିରେ ରୁଷର ଟିୟୁ-୯୫ ଏବଂ ଚୀନର ଜିୟାନ ଏଚ୍-୬ ବୋମାବର୍ଷକ ସାମିଲ୍ ଥିଲା। ଜାପାନ ଏହି ଅଭ୍ୟାସକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛି। ଚଳିତ ବର୍ଷ ଚତୁର୍ଥ ଥର ଜାପାନ ନିକଟରେ ଚୀନ ଏବଂ ରୁଷ ମିଳିତ ଅଭ୍ୟାସ୍ କରିଛନ୍ତି।
ଚୀନ ଓ୍ଵାଶିଂଟନ ଏବଂ ଟୋକିଓକୁ ନିଜର ସାର୍ବଭୌମତା ପ୍ରତି ବିପଦ ଥିବା ଦର୍ଶାଇଛି। ଚୀନ ମିଡିଆ ଇଣ୍ଡୋ-ପେସିଫିକ ଫର ପ୍ରୋସ୍ପୋରିଟି(ଆଇପିଇଏଫ)କୁ ଆର୍ଥିକ ନାଟୋର ଆଖ୍ୟା ଦେଇଛି। ଚୀନ ମଙ୍ଗଳବାର ଟୋକିଓରେ ନିଜର ବ୍ୟକ୍ତିଗତ ବୈଠକ ପରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ନେତାଙ୍କ ଦ୍ଵାରା ଜାରି ମିଳିତ ବୟାନକୁ ନିନ୍ଦା କରିଛି।
ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଓ୍ଵାଙ୍ଗ ଓ୍ଵେନବିନ କଡା ପ୍ରତିକ୍ରିୟା ଦେଇ କହିଛନ୍ତି, କ୍ଵାଡ ଦେଶ ଛୋଟ ଛୋଟ ଦେଶକୁ ଢାଲ କରି ଚୀନ ବିରୋଧରେ ଉସୁକାଉଛନ୍ତି। ଚୀନର ସାର୍ବଭୌମତ୍ଵ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ତେଣୁ କ୍ଵାଡ ଦେଶ ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ସୁଗମ ସାମୁଦ୍ରିକ ବାଣିଜ୍ୟ ନାମରେ ଧମକ ନଦେବାକୁ ଚୀନ ଆହ୍ଵାନ କରିଚି।
ମଙ୍ଗଳବାର କ୍ଵାଡ ମିଳିତ ବୟାନରେ କୌଣସି ଦେଶର ନାମ ନନେଇ ଦକ୍ଷିଣ ଚୀନ ସାଗରରେ ଚୀନର ଦବଦବା ବିଷୟରେ ଗୁରୁତ୍ଵ ଦେଇଥିଲେ। ଯଥାସ୍ଥିତି ବଦଳାଇବାକୁ ଉଦ୍ୟମ କରାଯାଉଥିବା କୌଣସି ବି ଆକ୍ରାମକ, ଉତ୍ତେଜନକାରୀ ଏବଂ ଏକତରଫା କାର୍ଯ୍ୟାନୁଷ୍ଠାନର କଡା ବିରୋଧ କରୁଥିବା କ୍ଵାଡ୍ ଦେଶ କହିଛନ୍ତି।
ଚୀନ ଦକ୍ଷିଣ ଚୀନ ସାଗରକୁ ନିଜର ବୋଲି ଦାବି କରୁଛି। ହେଲେ ତାଇଓ୍ଵାନ, ଫିଲିପାଇନ୍ସ, ବ୍ରୁନେଇ, ମାଲେସିଆ ଏବଂ ଭିଏତନାମ ପରି ସମସ୍ତ ଦେଶ ଦକ୍ଷିଣ ଚୀନ ସାଗରର କିଛି ଅଂଶ ନିଜର ବୋଲି ଦାବି କରିଛନ୍ତି। ବେଜିଂ ଦକ୍ଷିଣ ଚୀନ ସାଗରରେ ବିବାଦୀୟ ଦ୍ଵୀପ ଉପରେ ସୈନ୍ୟ ପ୍ରତିଷ୍ଠାନ ସ୍ଥାପନ କରିଛି।